ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନ, ସାହସ, କରୁଣା ଓ ନିଃସ୍ୱାର୍ଥପର ସେବା ପିଢ଼ି ପିଢ଼ିକୁ ପ୍ରେରଣା ଯୋଗାଇବ: ରାଜ୍ୟପାଳ
ଭୁବନେଶ୍ୱର, ୧୪/୦୭: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନ ସାହସ, କରୁଣା ଓ ନିଃସ୍ୱାର୍ଥପର ସେବା ପିଢ଼ି ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ବୋଲି ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି I ମଙ୍ଗଳବାର ଦିନ କଟକ ସହିଦ ଭବନଠାରେ ଲୋକ ସେବକ ମଣ୍ଡଳ ଓ ସମାଜର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ବର୍ଷିକୀ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଜ୍ୟପାଳ ଏହା କହିଛନ୍ତି ।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଆଧୁନିକ ଓଡ଼ିଶାର ଜଣେ ମହାନ ସ୍ଥପତି ବୋଲି ବର୍ଣ୍ଣନା କରି ରାଜ୍ୟପାଳ ନିଜ ଉଦବୋଧନରେ କହିଥିଲେ ଯେ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସେହି ବିରଳ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ ଯିଏ ସମୟର ସୀମା ଅତିକ୍ରମ କରି ପ୍ରେରଣାର ଏକ ଜୀବନ୍ତ ଉତ୍ସ ରୂପେ ରହି ଆସିଛନ୍ତି। ମାତ୍ର ଏକାବନ ବର୍ଷ ବୟସର ଜୀବନ କଲା ମଧ୍ୟରେ ସେ ଅସାଧାରଣ କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ କରୁଣା, ସାହସ, ଚରିତ୍ର ଓ ଦେଶ ଓ ସମାଜ ପ୍ରତି ନିଷ୍ଠାର ଏକ ଅମର ଅବଦାନ ରଖିଯାଇଛନ୍ତି।
ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବହୁମୁଖୀ ଅବଦାନକୁ ସ୍ମରଣ କରି ରାଜ୍ୟପାଳ କହିଥିଲେ ଯେ, ସେ ଏକ ନିର୍ଭୟ ସ୍ୱାଧୀନତା ସଂଗ୍ରାମୀ, ଦୂରଦର୍ଶୀ ବ୍ୟବସ୍ଥାପକ ଏବଂ ସମର୍ପିତ ସାମାଜିକ ସଂସ୍କାରକ ଥିଲେ। ଅସହଯୋଗ ଆନ୍ଦୋଳନରେ ତାଙ୍କର ଭୂମିକା, ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ, ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ଜନଜାଗରଣ ଓ ନୈତିକ ସାମ୍ବାଦିକତାର ଏକ ମାଧ୍ୟମ ରୂପେ ‘ସମାଜ’ ପତ୍ରିକାର ପ୍ରତିଷ୍ଠାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଜଣେ ଅନନ୍ୟ ସମାଜ ସଂସ୍କାରକ ରୂପେ ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ, ପଣ୍ଡିତ ଗୋପବନ୍ଧୁ ଦୟାକୁ କର୍ମରେ ରୂପାନ୍ତରିତ କରିଥିଲେ ଏବଂ ସମାଜ ସେବାରେ ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଉତ୍ସର୍ଗ କରିଥିଲେ। ଶିକ୍ଷା, ସାହିତ୍ୟ, ସାମ୍ବାଦିକତା କିମ୍ବା ମାନବିକ ସେବା ଭଳି ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଜନସାଧାରଣଙ୍କୁ ଉନ୍ନତ କରିବା ଏବଂ ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ କରିବା।
ପଣ୍ଡିତ ଗୋପବନ୍ଧୁଙ୍କ ଅସାଧାରଣ ମାନବିକତାକୁ ସ୍ମରଣ କରି ରାଜ୍ୟପାଳ ଉଲ୍ଲେଖ କରିଥିଲେ ଯେ, ନିଜ ପୁତ୍ର ଗୁରୁତର ଅସୁସ୍ଥ ଥିବା ସମୟରେ ମଧ୍ୟ ସେ ବନ୍ୟାପ୍ରଭାବିତଙ୍କ ସେବା ପାଇଁ ଆଗେଇ ଆସିଥିଲେ, ଯେଉଁଥିପାଇଁ ତାଙ୍କ ପାଇଁ ‘ଉତ୍କଳମଣି’ ଉପାଧି ପ୍ରଯୁଜ୍ୟ ଥିଲା ।
ଏହି ଅବସରରେ ‘ସମାଜ’ ପତ୍ରିକାର ଏକ ଶହ ବର୍ଷର ଉର୍ଦ୍ଧ୍ବ ସେବାକୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ ଯେ, ଏହାର ଅଟଳ ବିଶ୍ୱାସଯୋଗ୍ୟତା, ସମ୍ପାଦକୀୟ ମୌଳିକତା ଏବଂ ନୈତିକ ସାମ୍ବାଦିକତା ପିଢ଼ି ପରେ ପିଢ଼ିର ବିଶ୍ୱାସ ଅର୍ଜନ କରିଛି ଏବଂ ଏହାକୁ ଲୋକସେବାର ଏକ ସମ୍ମାନିତ ପ୍ରତିଷ୍ଠାନ ରୂପେ ପ୍ରତିଷ୍ଠିତ କରିଛି। ଲୋକସେବକ ମଣ୍ଡଳ (ସର୍ଭାଣ୍ଟସ୍ ଅଫ୍ ଦ ପିପଲ୍ ସୋସାଇଟି) କୁ ମଧ୍ୟ ଏହି ଗୌରବମୟ କୃତ୍ତିକୁ ସଂରକ୍ଷଣ ଓ ଆଗକୁ ବଢ଼ାଇବା ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ ।
ଏହି ଅବସରରେ ସମାଜର ‘ଗୋପବନ୍ଧୁଙ୍କ ଶ୍ରାଦ୍ଧ ସଂଖ୍ୟା’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ରାଜ କୁମାର, ଉପାଧ୍ୟକ୍ଷ ଶ୍ରୀ ଦୀପକ ମାଲବିୟ, ସଚିବ ଶ୍ରୀ ରାମନାଥ ଝା ଓ ‘ସମାଜ’ର ମୁଦ୍ରାକାର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ସମାଜର ସମ୍ପାଦକ ଶ୍ରୀ ତପନ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସାଧାରଣ ପରିଚାଳକ ଶ୍ରୀ ଗୋପୀନାଥ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ସମାଜ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା I