ପୁରୀ, ୧୬/୦୭: ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଦୀର୍ଘ ସମୟର ଅପେକ୍ଷାର ଘଟିଲା ଅନ୍ତ। ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ କୋଟି କୋଟି କଣ୍ଠର ‘ଜୟ ଜଗନ୍ନାଥ’ ଧ୍ୱନି ଏବଂ ଭକ୍ତି ଓ ସେବାର ମହାସମୁଦ୍ର ଭିତରେ ମାଉସୀ ମା’ ମନ୍ଦିର ଅଭିମୁଖେ ଆଗକୁ ଗଡ଼ିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ‘ନନ୍ଦିଘୋଷ’ ରଥ।
ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭାଇ ବଳଭଦ୍ର ଓ ଭଗିନୀ ଦେବୀ ସୁଭଦ୍ରାଙ୍କ ସହ ଆଜି ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି। ଶ୍ରୀମନ୍ଦିରରୁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଆଷାଢ଼ ଶୁକ୍ଳ ଦ୍ୱିତୀୟାର ପବିତ୍ର ଘୋଷଯାତ୍ରା। ଲକ୍ଷ ଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନି, ହରିବୋଲ, ହୁଳହୁଳି ଏବଂ ଘଣ୍ଟ-କାହାଳୀର ନାଦରେ ସାରା ଶ୍ରୀକ୍ଷେତ୍ର ଗଗନ ପବନ ପ୍ରକମ୍ପିତ ହୋଇଉଠିଛି।
ଆଜି ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ସବୁଠାରୁ ଆକର୍ଷଣୀୟ ‘ଧାଡ଼ି ପହଣ୍ଡି’। ଟାହିଆ ହଲାଇ ଗୋଟି ଗୋଟି ହୋଇ ତିନି ଠାକୁର ରଥ ଉପରକୁ ବିଜେ କରିଥିଲେ। ସେବାୟତଙ୍କ ଗହଣରେ କାଳିଆ ସାଆନ୍ତଙ୍କୁ ରଥ ଉପରେ ଦେଖି ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଥିଲେ।
ଏହାପରେ ପରମ୍ପରା ଅନୁଯାୟୀ, ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥ ଉପରକୁ ଆସି ସୁନା ଖଡ଼ିକାରେ ‘ଛେରା ପହଁରା’ ସେବା ସମ୍ପନ୍ନ କରିଥିଲେ। ଭଗବାନଙ୍କ ଆଗରେ ରାଜା ଓ ପ୍ରଜା ଯେ ସମାନ, ଏହି ନୀତି ପୁଣି ଥରେ ତାର ପ୍ରମାଣ ଦେଇଛି।
ଛେରା ପହଁରା ନୀତି ସରିବା ପରେ ଚାରମାଳ ଫିଟାଯାଇ ରଥରେ ଅଶ୍ୱ ଓ ସାରଥିଙ୍କୁ ସ୍ଥାପନ କରାଯାଇଥିଲା। ଏହାପରେ ବହୁ ପ୍ରତିକ୍ଷିତ ରଥଟଣା ଆରମ୍ଭ ହୋଇଥିଲା। ବଡ଼ଭାଇ ବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥ ପ୍ରଥମେ ଗଡ଼ିବା ଆରମ୍ଭ କରିଥିବା ବେଳେ ତାଙ୍କ ପଛେ ପଛେ ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ଏବଂ ଶେଷରେ କୋଟି ଓଡ଼ିଆଙ୍କ ମଉଡ଼ ମଣୀ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଛି।
ତାଳଧ୍ୱଜ ରଥ ଜନତା ସିନେମା ହଲ୍ ସମ୍ମୁଖରେ ଅଟକି ରହିଲା। ଦେବଦଳନ ରଥ ମରୀଚିକୋଟ ଛକ ଓ ନନ୍ଦିଘୋଷ ରଥ ସିଂହଦ୍ୱାର ଥାନା ନିକଟରେ ଅଟକିଛି। ଆସନ୍ତାକାଲି ସକାଳୁ ପୁଣି ରଥଟଣା ହେବ।
“ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ” — ରଥ ଉପରେ ବାମନ ରୂପୀ ଜଗନ୍ନାଥଙ୍କୁ ଦର୍ଶନ କଲେ ମାନବର ପୁନର୍ଜନ୍ମ ହୁଏନାହିଁ ବୋଲି ବିଶ୍ୱାସ ରହିଛି।