ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା

ଯୋଗ ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ, ୧୬/୦୭: ତ୍ୟାଗରାଜ ନଗରରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ୫୯ତମ ରଥଯାତ୍ରା ଉତ୍ସବରେ ଯୋଗଦେବା ପାଇଁ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ସମବେତ ହୋଇଥିଲେ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏହି ପବିତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଭକ୍ତମାନଙ୍କୁ ରଥଯାତ୍ରାର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ତାଙ୍କର ସଂକ୍ଷିପ୍ତ ଅଭିଭାଷଣରେ ସେ ଶ୍ରୀଜଗନ୍ନାଥ ସଂସ୍କୃତି ମାନବିକ ମୂଲ୍ୟବୋଧ, ସାମାଜିକ ସଦ୍ଭାବ ଏବଂ ବିଶ୍ୱଭ୍ରାତୃତ୍ୱର ବାର୍ତ୍ତା ପ୍ରସାରରେ ଯେଉଁ ଭୂମିକା ଗ୍ରହଣ କରିଆସିଛି, ତାହା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଦକ୍ଷିଣ ଦିଲ୍ଲୀର ସାଂସଦ ଶ୍ରୀମତୀ ବାଂଶୁରୀ ସ୍ୱରାଜ ଏବଂ ସ୍ଥାନୀୟ ବିଧାୟକ ଶ୍ରୀ ନୀରଜ ବସୋୟା ମଧ୍ୟ ଉପସ୍ଥିତ ରହି ଭକ୍ତମାନଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଥିଲେ।

ଚଳିତ ବର୍ଷର ରଥଯାତ୍ରାର ଏକ ବିଶେଷ ଆକର୍ଷଣ ଥିଲା ପୁରୀର ପାରମ୍ପରିକ ରୀତିନୀତି ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ପୃଥକ୍ ପୃଥକ୍ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥର ବ୍ୟବସ୍ଥା। ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ପ୍ରଥମ ଥର ପାଇଁ ଏଭଳି ତିନୋଟି ସ୍ୱତନ୍ତ୍ର ରଥରେ ରଥଯାତ୍ରାର ଆୟୋଜନ କରାଯାଇଥିଲା। ନାରୀ ସଶକ୍ତିକରଣ ଓ ଲିଙ୍ଗ ସମାନତାର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳା ଭକ୍ତମାନେ ଟାଣିଥିଲେ। ଏହି ଅଭିନବ ପଦକ୍ଷେପ ରଥଯାତ୍ରା ଉତ୍ସବର ଏକ ସ୍ମରଣୀୟ ଓ ଆକର୍ଷଣୀୟ ବିଶେଷତା ଭାବେ ପରିଗଣିତ ହୋଇଥିଲା।

ପାରମ୍ପରିକ ପହଣ୍ଡି ବିଜେ ନୀତି ଅନୁଯାୟୀ ସକାଳ ୧୦ଟା ୩୦ ମିନିଟରେ ମହାପ୍ରଭୁମାନଙ୍କୁ ଗର୍ଭଗୃହରୁ ବାହାରକୁ ଅଣାଯାଇଥିଲା। ପରେ ଦିନ ୧୨ଟା ସୁଦ୍ଧା ସେମାନଙ୍କୁ ଶ୍ରୀଜଗନ୍ନାଥ ମାର୍ଗ (ବଡଦାଣ୍ଡ) ଉପରେ ସ୍ଥାପିତ ନିଜ ନିଜ ରଥରେ ବିରାଜମାନ କରାଯାଇଥିଲା।

ପାରମ୍ପରିକ ଛେରା ପହଁରା ନୀତି ମନ୍ଦିରର ମନୋନୀତ ଗଜପତି ତଥା ଅଏଲ୍ ଇଣ୍ଡିଆ ଲିମିଟେଡ୍ (OIL)-ର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ସୁଧାକର ମହାପାତ୍ରଙ୍କ ଦ୍ୱାରା ସମ୍ପନ୍ନ ହେବା ପରେ ଅପରାହ୍ନ ୩ଟାରେ ତ୍ୟାଗରାଜ ଷ୍ଟାଡିୟମର ମୁଖ୍ୟ ପ୍ରବେଶ ଦ୍ୱାର ସମ୍ମୁଖରୁ ରଥଯାତ୍ରା ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରା ଶ୍ରୀଜଗନ୍ନାଥ ମାର୍ଗ, ବିକାଶ ସଦନ ଛକ, ଆଇଏନ୍‌ଏ ମାର୍କେଟ୍ ସର୍ଭିସ୍ ଲେନ୍‌, ଶ୍ରୀ ଅରବିନ୍ଦ ମାର୍ଗର ସମାନ୍ତରାଳ ରାସ୍ତା, ଆଇଏନ୍‌ଏ ମେଟ୍ରୋ ଷ୍ଟେସନ୍ (ପିଙ୍କ ଲାଇନ୍‌), ରାଜ୍ୟସଭା କର୍ମଚାରୀ ଆବାସିକ ପରିସର ଦେଇ ପରିକ୍ରମା କରି ଶେଷରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା। ସେଠାରେ ମହାପ୍ରଭୁମାନେ ତାଙ୍କର ବାର୍ଷିକ ନବଦିନାତ୍ମକ ଗୁଣ୍ଡିଚା ବିଜେ ଅବସରରେ ବିରାଜମାନ ରହିବେ।

ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଚିକିତ୍ସା ସହାୟତା, ପାନୀୟ ଜଳର ସୁବିଧା, ଗ୍ରୀଷ୍ମ ଓ ଆର୍ଦ୍ର ପାଗର ପ୍ରଭାବକୁ କମାଇବା ପାଇଁ ଜଳଛିଞ୍ଚନ ବ୍ୟବସ୍ଥା ଏବଂ ଭକ୍ତମାନଙ୍କ ପାଇଁ ନିଶୁଳ୍କ ଅନ୍ନ ପ୍ରସାଦ ବିତରଣର ସୁବ୍ୟବସ୍ଥା କରାଯାଇଥିଲା। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ପ୍ରାୟୋଜନରେ ଆସିଥିବା ସାଂସ୍କୃତିକ ଦଳଗୁଡ଼ିକ ରଥଯାତ୍ରା ଶୋଭାଯାତ୍ରା ସମୟରେ ଘୋଡ଼ା ନାଚ, ବାଘ ନାଚ ଓ ପାଇକ ଯୁଦ୍ଧନୃତ୍ୟ ପରି ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରି ଉପସ୍ଥିତ ଭକ୍ତମାନଙ୍କୁ ମୁଗ୍ଧ କରିଥିଲେ।

ଚିକିତ୍ସାଜନିତ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଡାକ୍ତରଙ୍କ ସହ ଚାରୋଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା। ଏହା ସହିତ ପର୍ଯ୍ୟାପ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସ୍ଥାୟୀ ଓ ମୋବାଇଲ୍ ସିସିଟିଭି ନଜରଦାରି ମାଧ୍ୟମରେ ସମଗ୍ର ରଥଯାତ୍ରାକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପରିଚାଳିତ କରାଯାଇଥିଲା।ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଶୋଭାଯାତ୍ରାର ସମ୍ପୂର୍ଣ୍ଣ ମାର୍ଗରେ ଭକ୍ତମାନଙ୍କୁ ପାନୀୟ ଜଳ, ଶରବତ, ଲସି ଏବଂ ହାଲୁକା ଜଳଖିଆ ବଣ୍ଟନ କରି ସେବା ପ୍ରଦାନ କରିଥିଲେ।

ମନ୍ଦିର ପରିଚାଳନା କମିଟିର ଉପସଭାପତି ଶ୍ରୀ ଡି. ଏନ୍. ସାହୁ, ସମ୍ମାନୀୟ ସାଧାରଣ ସମ୍ପାଦକ ଶ୍ରୀ କେ. ଡି. ବିଶ୍ୱାଳ ଓ ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରଦ୍ୟୁମ୍ନ ପଲାଇଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। କମିଟିର ସଦସ୍ୟI ପ୍ରଣତି ବିଶ୍ୱାଳ, ବିଜୟାନନ୍ଦ ସାମଲ, ଅଭୟ ପଲାଇ, ପ୍ରଦୀପ ପ୍ରଧାନ, ମହେନ୍ଦ୍ର ବାରିକ, ଜ୍ଞାନ ରଞ୍ଜନ ନାୟକ, ଶମ୍ଭୁନାଥ ଅଗ୍ରୱାଲ, ଖ୍ୟାତି ସେଗଲ, ବିନାୟକ ମୁଦୁଲି, ରମାକାନ୍ତ ସ୍ୱାଇଁ, ସରୋଜ ବାରିକ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ତ୍ୟାଗରାଜ ନଗର କଲୋନୀର ବାସିନ୍ଦାମାନେ ମଧ୍ୟ ଅତ୍ୟନ୍ତ ଉତ୍ସାହ ଓ ଭକ୍ତିଭାବର ସହିତ ଏହି ମହାପର୍ବରେ ସକ୍ରିୟ ଭାବେ ସାମିଲ ହୋଇଥିଲେ।

ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ଯେ, ମନ୍ଦିରର ଦୀର୍ଘ ଏକ ଦଶନ୍ଧିରୁ ଅଧିକ ପୁରାତନ ପରମ୍ପରାକୁ ଅବ୍ୟାହତ ରଖି ଚଳିତ ବର୍ଷ ୧୭ ଜୁଲାଇରୁ ୨୭ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ୧୧ ଦିନବ୍ୟାପୀ ରଥଯାତ୍ରା ମହୋତ୍ସବ ଆୟୋଜନ କରାଯିବ। ଏହି ଅବଧିରେ ପ୍ରତି ସନ୍ଧ୍ୟାରେ ବର୍ଣ୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦାତାମାନଙ୍କ ମଧ୍ୟରେ ଲକି ଡ୍ର’ (ଭାଗ୍ୟଶାଳୀ କୁପନ୍ ଉଠାଣ)ର ଆୟୋଜନ କରାଯିବ। ଏହା ସହିତ ଶିଶୁମାନଙ୍କ ମଧ୍ୟରେ ସୃଜନଶୀଳତା ଓ ସୁସ୍ଥ ପ୍ରତିଯୋଗିତାର ମନୋଭାବ ବିକାଶ ପାଇଁ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ ଓ ଅନ୍ୟାନ୍ୟ ପ୍ରତିଯୋଗିତାର ଆୟୋଜନ କରାଯିବ।

ରଥଯାତ୍ରା ମହୋତ୍ସବ ଅବସରରେ ଶିଶୁ ଓ ମହିଳାମାନଙ୍କ ପାଇଁ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ଭଜନ ଓ ବିଭିନ୍ନ ଧାର୍ମିକ-ସାଂସ୍କୃତିକ ପ୍ରତିଯୋଗିତା ଆୟୋଜିତ ହେବ। ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଉଦ୍‌ଯାପନୀ ସମାରୋହରେ ସମ୍ମାନିତ କରାଯିବ।ପ୍ରତିଦିନ ସନ୍ଧ୍ୟାରେ ଦେଶର ବିଭିନ୍ନ ପ୍ରାନ୍ତର ବିଶିଷ୍ଟ କଳାକାର ଓ ସାଂସ୍କୃତିକ ଦଳମାନେ ଓଡ଼ିଶୀ, କଥକ, ସମ୍ବଲପୁରୀ ସମେତ ବିଭିନ୍ନ ଲୋକ ଓ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବେ, ଯାହା ରଥଯାତ୍ରା ମହୋତ୍ସବକୁ ଅଧିକ ଆକର୍ଷଣୀୟ ଓ ଭବ୍ୟ କରିବ।