ନାଲକୋର ୪୫ତମ ବାର୍ଷିକ ସାଧାରଣ ବୈଠକ
ଆର୍ଥିକ ବର୍ଷ ୨୦୨୫-୨୬ ର ରେକର୍ଡ ପ୍ରଦର୍ଶନ, ମହତ୍ୱାକାଂକ୍ଷୀ ସମ୍ପ୍ରସାରଣ ଏବଂ ଭବିଷ୍ୟତର ଅଭିବୃଦ୍ଧି ଯୋଜନାକୁ ଆଗେଇ ନେବ
ଭୁବନେଶ୍ୱର, ୦୧/୦୯: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ)ର ୪୫ ତମ ବାର୍ଷିକ ସାଧାରଣ ବୈଠକ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ କମ୍ପାନୀର ନିର୍ଦେଶକଗଣ, ନିର୍ଦେଶକ(ସ୍ୱାଧୀନ), ମୁଖ୍ୟ ସତର୍କତା ଅଧିକାରୀ, ଖଣି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ କମ୍ପାନୀ ସଚିବ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ସେୟାରଧାରକ ମାନଙ୍କୁ ସମ୍ବୋଧିତ କରିବା ଅବସରରେ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂ, କମ୍ପାନୀର ଆର୍ଥିକ ବର୍ଷ ୨୦୨୫-୨୬ର ରେକର୍ଡ ପ୍ରଦର୍ଶନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଏହି ସଫଳତା ନାଲକୋ ର ସ୍ଥିର ପ୍ରଦର୍ଶନ, ରଣନୈତିକ ଦୂରଦୃଷ୍ଟି ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷତାକୁ ପ୍ରତିଫଳିତ କରୁଛି । ଭାରତର ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ଏବଂ ଆତ୍ମନିର୍ଭର ଭାରତ ତଥା ବିକଶିତ ଭାରତ ଗଠନ ଦିଗରେ ମଧ୍ୟ କମ୍ପାନୀର ଯୋଗଦାନକୁ ସେ ଦୃଢତାର ସହ ସମର୍ଥନ କରିଥିଲେ।
ଆର୍ଥିକ ବର୍ଷ ୨୦୨୫-୨୬ ରେ କମ୍ପାନୀ ବ୍ୟବସାୟର ପ୍ରମୁଖ କ୍ଷେତ୍ର ଗୁଡ଼ିକରେ ସର୍ବୋଚ୍ଚ ପ୍ରଦର୍ଶନ ହାସଲ କରିଛି। ଏହି କାର୍ଯ୍ୟକ୍ଷମ ଉତ୍କର୍ଷତା ରେକର୍ଡ ଆର୍ଥିକ ଫଳାଫଳରେ ମଧ୍ୟ ପରିଲକ୍ଷିତ ହୋଇଛି । କମ୍ପାନୀ ଏହାର ସର୍ବକାଳୀନ ସର୍ବାଧିକ ପରିମାଣର ବ୍ୟବସାୟ, ଟିକସ ପୂର୍ବରୁ ଲାଭ ଏବଂ ନିଟ ଲାଭ ହାସଲ କରିଛି। ଘରୋଇ ଆଲୁମିନା ଏବଂ ଆଲୁମିନିୟମ ଧାତୁ ମଧ୍ୟ ସର୍ବାଧିକ ବିକ୍ରୟ ହୋଇଛି । ଏହି ସଫଳତାଗୁଡ଼ିକ ନାଲକୋ ର ଦୃଢ଼ ମୌଳିକତା, ଦକ୍ଷ କାର୍ଯ୍ୟକ୍ଷମତା ଏବଂ ଏକ ଗତିଶୀଳ ବ୍ୟବସାୟିକ ପରିବେଶରେ ସ୍ଥାୟୀ ମୂଲ୍ୟ ପ୍ରଦାନ କରିବାର କ୍ଷମତାକୁ ଗୁରୁତ୍ୱାରୋପ କରେ।
ସେୟାରଧାରକମାନଙ୍କ ପାଇଁ ସ୍ଥାୟୀ ମୂଲ୍ୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ କମ୍ପାନୀ ୨୦୨୫-୨୬ ଆର୍ଥିକ ବର୍ଷରେ ତିନୋଟି ପର୍ଯ୍ୟାୟରେ ପ୍ରତି ଇକ୍ୱିଟି ସେୟାର ପିଛା ୧୦.୫୦ ଟଙ୍କା ର ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ପ୍ରଦାନ କରିଛି, ଯାହାର ପରିମାଣ ୧,୯୨୮.୪୬ କୋଟି । ଏଥି ସହ, ୪୫ ତମ ବାର୍ଷିକ ସାଧାରଣ ବୈଠକରେ ସେୟାରଧାରକମାନେ ପ୍ରତି ଇକ୍ୱିଟି ସେୟାର ପିଛା ୧ ଟଙ୍କାର ଚୂଡ଼ାନ୍ତ ଲାଭାଂଶକୁ ମଧ୍ୟ ଅନୁମୋଦନ କରିଛନ୍ତି, ଯାହାର ପରିମାଣ ୧୮୩.୬୬ କୋଟି।
ଏହି ଅବସରରେ ସିଏମଡି ଶ୍ରୀ ସିଂହ କହିଛନ୍ତି ଯେ, ଭାରତରେ ଆଲୁମିନିୟମର ଚାହିଦା ଅନୁକୂଳ ରହିଛି ଏବଂ ଏହା ଏକ ଦୃଢ଼ ଅଭିବୃଦ୍ଧି ଧାରାରେ ବଜାୟ ରହିବ ବୋଲି ଆଶା କରାଯାଉଛି।
ନାଲକୋର ଅଭିବୃଦ୍ଧି ଯୋଜନା ଏବଂ ଦୀର୍ଘକାଳୀନ ରଣନୈତିକ ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ସିଂହ ଦାମନଜୋଡିରେ ଆଲୁମିନା ରିଫାଇନାରୀର ପଞ୍ଚମ ଷ୍ଟ୍ରିମ୍ ସମ୍ପ୍ରସାରଣ, ପୋଟାଙ୍ଗି ବକ୍ସାଇଟ୍ ଖଣିର ବିକାଶ, କ୍ୟାପ୍ଟିଭ୍ କୋଇଲା କ୍ଷମତା ବୃଦ୍ଧି ଏବଂ ଅନୁଗୋଳରେ ଆଲୁମିନିୟମ ସ୍ମେଲ୍ଟର ଏବଂ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟର ପ୍ରସ୍ତାବିତ ସମ୍ପ୍ରସାରଣ ଦିଗରେ କମ୍ପାନୀ କାର୍ଯ୍ୟ କରୁଛି ବୋଲି ସେ ଆଲୋକପାତ କରିଥିଲେ । ସେ କମ୍ପାନୀର ପ୍ରତିଯୋଗିତାମୂଳକତାକୁ ସୁଦୃଢ଼ କରିବା, କାର୍ଯ୍ୟକ୍ଷମ ସ୍ଥିରତା ବୃଦ୍ଧି କରିବା ଏବଂ ସ୍ଥାୟୀ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି କରିବା ସହ କ୍ରିଟିକାଲ ମିନେରାଲ, ସମ୍ପଦ ଏବଂ ଶକ୍ତି ସୁରକ୍ଷା, ଚକ୍ରାକାର ଅର୍ଥନୀତି, ଡିଜିଟାଲ୍ ରୂପାନ୍ତରଣ, ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ନାଲକୋର ରଣନୈତିକ ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରିଥିଲେ।
ଶ୍ରୀ ସିଂହ ଭାରତ ସରକାରଙ୍କୁ, ବିଶେଷକରି ଖଣି ମନ୍ତ୍ରଣାଳୟର ନିରନ୍ତର ମାର୍ଗଦର୍ଶନ ଏବଂ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ । ଏଥି ସହ ସେ କମ୍ପାନୀର କାର୍ଯ୍ୟ ଏବଂ ଅଭିବୃଦ୍ଧି ଯାତ୍ରାକୁ ସହଜ କରିବାରେ ଓଡ଼ିଶା ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଇଥିବା ସହଯୋଗ ନିମନ୍ତେ ମଧ୍ୟ କୃତଜ୍ଞତା ଜ୍ଞାପନ କରିଥିଲେ।
କମ୍ପାନୀର ପରିପାର୍ଶ୍ଵିକ କ୍ଷେତ୍ରଗୁଡ଼ିକରେ ବାସ କରୁଥିବା ସମ୍ପ୍ରଦାୟମାନଙ୍କର ସହଯୋଗ କମ୍ପାନୀର ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ସିଂହ କହିଥିଲେ । ସେ ନାଲକୋର କର୍ମଚାରୀ, ଚୁକ୍ତିଭିତ୍ତିକ କର୍ମଚାରୀ, ସେୟାର ଧାରକ, ନିବେଶକ, ଗ୍ରାହକ, ଯୋଗାଣକାରୀ, ବ୍ୟବସାୟ ସହଯୋଗୀ, ପରାମର୍ଶଦାତା ଏବଂ ଯୁଗ୍ମ ଉଦ୍ୟୋଗ ଅଂଶୀଦାରମାନଙ୍କୁ ସେମାନଙ୍କର ନିରନ୍ତର ବିଶ୍ୱାସ ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ।
“୨୦୨୫-୨୬ ଆର୍ଥିକ ବର୍ଷର ରେକର୍ଡ ପ୍ରଦର୍ଶନ ଏକ ସାମୂହିକ ସଫଳତା । ନାଲକୋ ଦ୍ୱାରା ହାସଲ କରାଯାଇଥିବା ପ୍ରତ୍ୟେକ ମାଇଲଖୁଣ୍ଟ ପଛରେ ଏହାର ଅଂଶୀଦାରଙ୍କ ପ୍ରତିବଦ୍ଧତା, କ୍ଷମତା ଏବଂ ସାମୂହିକ ମନୋଭାବ ରହିଛି, ବୋଲି ଶ୍ରୀ ସିଂହ ମତ ବ୍ୟକ୍ତ କରିଥିଲେ ।”