ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଆରମ୍ଭ ହେବାକୁ ଥିବା ଚାରୋଟି ନୂଆ କଲେଜର ଅଗ୍ରଗତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ କୃଷି ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ପାଠପଢ଼ା

ଭୁବନେଶ୍ୱର, ୦୩/୦୯: ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଚ୍ଚଶିକ୍ଷାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନରେ ୪ଟି ନୂତନ କଲେଜ ପ୍ରତିଷ୍ଠା ପ୍ରକ୍ରିୟା ଆଗେଇ ଚାଲିଛି। ଏହି ୪ଟି କଲେଜ ମଧ୍ୟରେ ମୟୁରଭଞ୍ଜରେ କୃଷି ମହାବିଦ୍ୟାଳୟ, ସମ୍ବଲପୁରରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ମହାବିଦ୍ୟାଳୟ, ସୋନପୁରରେ ମତ୍ସ୍ୟ ମହାବିଦ୍ୟାଳୟ ଏବଂ ବଲାଙ୍ଗିରରେ ଆଉ ଏକ କୃଷି ମହାବିଦ୍ୟାଳୟ ରହିଛି।

ଏହି ନୂତନ କଲେଜଗୁଡ଼ିକର ଅଗ୍ରଗତି ନେଇ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା କରିଛନ୍ତି। ବୈଠକରେ କଲେଜଗୁଡ଼ିକର ଭିତ୍ତିଭୂମି, ମାନବସମ୍ବଳ, କ୍ୟାମ୍ପସ ନିର୍ମାଣ ଏବଂ ଶିକ୍ଷାଦାନ ଆରମ୍ଭ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଇତିମଧ୍ୟରେ ୪ଟି ଯାକ କଲେଜ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ ହୋଇସାରିଛି। ସେହିପରି ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପସ ପାଇଁ ଆବଶ୍ୟକ ସ୍ଥାନ ଚୟନ ପ୍ରକ୍ରିୟା ମଧ୍ୟ ସମ୍ପନ୍ନ ହୋଇଛି। ୪ଟି ନୂତନ କଲେଜ ପାଇଁ ମୋଟ ୫୦ କୋଟି ଟଙ୍କାର ବଜେଟ ଆବଣ୍ଟନ କରାଯାଇଛି।

ମୟୁରଭଞ୍ଜରେ ପ୍ରତିଷ୍ଠା ହେବାକୁ ଥିବା କୃଷି ମହାବିଦ୍ୟାଳୟର ମୋଟ ୭୭ଟି ପଦବୀ ସୃଷ୍ଟି କରାଯାଇଛି। ସେଥିରେ ୨୪ଟି ଶିକ୍ଷକ ପଦବୀ ଏବଂ ୫୩ଟି ଅଣଶିକ୍ଷକ ପଦବୀ ରହିଛି।

ଚଳିତ ଶିକ୍ଷାବର୍ଷରୁ ମୟୁରଭଞ୍ଜ କୃଷି ମହାବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଠାରେ ୬୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଖୁବଶୀଘ୍ର ସେମାନଙ୍କର ପାଠପଢ଼ା ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସମ୍ବଲପୁରର ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ମହାବିଦ୍ୟାଳୟ, ସୋନପୁରର ମତ୍ସ୍ୟ ମହାବିଦ୍ୟାଳୟ ଏବଂ ବଲାଙ୍ଗିରର କୃଷି ମହାବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷରୁ ନାମଲେଖା ଓ ପାଠପଢ଼ା ଆରମ୍ଭ କରାଯିବ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଓୟୁଏଟି କୁଳପତି ଡ. ପ୍ରଭାତ କୁମାର ରାଉଳଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହାସହ ମୟୁରଭଞ୍ଜ, ସମ୍ବଲପୁର, ସୋନପୁର ଓ ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳମାନେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ସାମିଲ ହୋଇଥିଲେ।