ଘରେ ଘରେ ସମବାୟ ଅଭିଯାନ ‘ସମ୍ବନ୍ଧ’ ଲୋକଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ: ଗୋଲକ ମହାପାତ୍ର
କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମନ୍ତ୍ରୀ ଗୋଲକ ମହାପାତ୍ର
ଭୁବନେଶ୍ୱର, ୦୩/୦୯: ଲୋକଙ୍କ ଆର୍ଥିକ ସଶକ୍ତିକରଣ ସହ ତୃଣମୂଳ ସ୍ତରରେ ସମବାୟ ଆନ୍ଦୋଳନକୁ ଅଧିକ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାରଙ୍କ ଏକ ଅଭିନବ ପଦକ୍ଷେପ ହେଉଛି “ଘରେ ଘରେ ସମବାୟ ଅଭିଯାନ – ସମ୍ବନ୍ଧ”। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଜୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଅଭିଯାନ ସମବାୟର ସେବା ଓ ସୁଯୋଗକୁ ଘରେ ଘରେ ପହଞ୍ଚାଇବା ସହ ଅଧିକରୁ ଅଧିକ ଲୋକଙ୍କୁ ସମବାୟ ସହିତ ଯୋଡ଼ିବାର ଏକ ମହତ୍ୱପୂର୍ଣ୍ଣ ପ୍ରୟାସ ବୋଲି ବିଜେପିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି।
ଏହି ଅଭିଯାନ ଅନ୍ତର୍ଗତ କଳାରାହାଙ୍ଗ ସେବା ସମବାୟ ସମିତି ଲିଃ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଶ୍ରୀ ଗୋଲକ ମହାପାତ୍ର ଯୋଗଦେଇଥିଲେ। ଏହି ଅବସରରେ ସମବାୟ ସମିତିର କର୍ମକର୍ତ୍ତା, ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଉପସ୍ଥିତ ରହି ଅଭିଯାନକୁ ସଫଳ କରିବା ପାଇଁ ସଂକଳ୍ପ ନେଇଥିଲେ।
ଶ୍ରୀ ମହାପାତ୍ର କହିଥିଲେ ଯେ, ସମବାୟ ହେଉଛି ସାମୂହିକ ଶକ୍ତି, ସ୍ୱାବଲମ୍ବନ ଓ ସମୃଦ୍ଧିର ଏକ ପ୍ରଭାବଶାଳୀ ମାଧ୍ୟମ। ଚାଷୀ, ମହିଳା, ଯୁବକ-ଯୁବତୀ ଓ ସାଧାରଣ ପରିବାରଗୁଡ଼ିକୁ ସମବାୟ ସହିତ ଯୋଡ଼ି ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ସମବାୟ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ସୁବିଧା, ସେବା ଓ ଆର୍ଥିକ ସୁଯୋଗ ସହ ଯୋଡ଼ାଯାଇପାରିଲେ ତୃଣମୂଳ ସ୍ତରର ଅର୍ଥନୀତି ଆହୁରି ମଜବୁତ ହେବ।
ସେ ଆହୁରି କହିଥିଲେ ଯେ, “ଘରେ ଘରେ ସମବାୟ, ପରିବାର ପରିବାରରେ ସମୃଦ୍ଧି”ର ସଂକଳ୍ପ ନେଇ ଆଗକୁ ବଢ଼ୁଥିବା ‘ସମ୍ବନ୍ଧ’ ଅଭିଯାନ ଓଡ଼ିଶାର ସମବାୟ ଆନ୍ଦୋଳନକୁ ନୂଆ ଗତି ଦେବ। ଏହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱାବଲମ୍ବନର ଭାବନାକୁ ଆହୁରି ଦୃଢ଼ କରିବ।
ସମବାୟର ସୁଫଳ ଯେତେବେଳେ ପ୍ରତ୍ୟେକ ପରିବାରରେ ପହଞ୍ଚିବ, ସେତେବେଳେ ହିଁ ଆତ୍ମନିର୍ଭର ପରିବାର, ସଶକ୍ତ ସମାଜ ଓ ସମୃଦ୍ଧ ଓଡ଼ିଶା ଗଢ଼ି ଉଠିବ ବୋଲି ଶ୍ରୀ ମହାପାତ୍ର ଆଶା ପ୍ରକାଶ କରିଥିଲେ।
“ସମବାୟରେ ଶକ୍ତି, ସମ୍ବନ୍ଧରେ ଏକତା — ସମୃଦ୍ଧିର ପଥରେ ଓଡ଼ିଶା।”