ପଟିଆରୁ ଅଧ ଏକର ଜମି ଜବରଦଖଲମୁକ୍ତ

ମାଟିରେ ମିଶିଲା ୩୦ରୁ ଉର୍ଦ୍ଧ୍ବ ଘର

ଭୁବନେଶ୍ୱର, ୩୦/୧୨: ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ମୌଜାରେ ପ୍ଲଟ-୫୧୮ ଉପରେ ହୋଇଥିବା ଜବରଦଖଲ ଉଚ୍ଛେଦ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)। ଦୁଇ ଦିନ ଧରି ଚାଲିଥିବା ଉଚ୍ଛେଦ ଅଭିଯାନରେ ୩୦ରୁ ଊର୍ଦ୍ଧ୍ୱ ଘର, ଦୋକାନ, ହୋଟେଲ ମାଟିରେ ମିଶାଇ ଦିଆଯାଇଛି। ଏହାସହ ଅଧ ଏକର ଜମିକୁ ଜବରଦଖଲମୁକ୍ତ କରାଯାଇଥିଲା।

ଏହି ଉଚ୍ଛେଦରେ ୪ଟି ଲୁହା ଗେଟ୍, ୪ଟି ଛାତ ଘର, ୨୪ଟି ଆଜବେଷ୍ଟସ ଘର, ୮ଟି ଶୌଚାଳୟ, ୨ଟି ପାଣି ଟାଙ୍କି, ପ୍ରାୟ ୫୦ ଫୁଟ ପାଚେରୀ ଏବଂ ଗୋଟିଏ ଲୁହା ଗେଟ୍ ଭଙ୍ଗାଯାଇଥିଲା। ସମୟ ଅଭାବରୁ ଆଂଶିକ ଭାବରେ ଉଚ୍ଛେଦ ଅଭିଯାନ କରାଯାଇଥିଲା। ପ୍ଲଟ୍ ନମ୍ବର-୫୧୮ ଉପରେ ହୋଇଥିବା ଜବରଦଖଲରୁ ପ୍ରାୟ ୦.୫୦୦ ଡିସିମିଲ୍ ସରକାରୀ ଜମିକୁ ଜବରଦଖଲମୁକ୍ତ କରାଯାଇଥିଲା। ଆସନ୍ତା କାଲି ଅବଶିଷ୍ଟ ଉଛେଦ ପ୍ରକ୍ରିୟା ସମ୍ପାଦନ କରାଯିବ।

ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋଟିଏ ସେକ୍ସନ ପୋଲିସ ଫୋର୍ସ ଓ ଏକ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା। ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର (ଓଏସଡି) ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଉପସ୍ଥିତ ଥିବା ବେଳେ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ନମ୍ବର ୦୧, ୦୪ ଏବଂ ୦୫ ଉଚ୍ଛେଦରେ ନିୟୋଜିତ ହୋଇଥିଲେ।