କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଭୂମି ସଂସାଧନ ବିଭାଗର ଯୁଗ୍ମ ସଚିବଙ୍କ ଓଡ଼ିଶା ରାଜସ୍ୱ ସଚିବଙ୍କ ସହ ସାକ୍ଷାତ ଆଲୋଚନା

DILRMP 3.0ର କାର୍ଯ୍ୟାନ୍ୱୟନ, NGDRS ଆପଣାଇବା ଓ ରାଜସ୍ୱ ପ୍ରଶାସନର ଆଧୁନିକୀକରଣ ନେଇ ଉଚ୍ଚସ୍ତରୀୟ ଆଲୋଚନା

ସବ୍ ରେଜିଷ୍ଟ୍ରାର୍ କାର୍ଯାଳୟ ଗୁଡ଼ିକୁ ‘ପଞ୍ଜୀକରଣ ସେବା କେନ୍ଦ୍ର’ ଭାବେ ଅଧିକ ଲୋକାଭିମୁଖୀ ଅନୁଷ୍ଠାନ ଭାବେ ରୂପାନ୍ତରଣ ନେଇ ଗୁରୁତ୍ୱ

ଭୁବନେଶ୍ବର, ୧୭/୧୧: ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନସ୍ଥ ଭୂମି ସଂସାଧନ ବିଭାଗର ଯୁଗ୍ମ ସଚିବ ଶ୍ରୀ ପି. ନରହରି ଆଜି ଓଡ଼ିଶାର ରାଜସ୍ୱ ବିଭାଗ ପରିଦର୍ଶନରେ ଆସି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇଥିଲେ।

ଏହି ବୈଠକରେ ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ୍ ମଡର୍ଣ୍ଣାଇଜେସନ୍ ପ୍ରୋଗ୍ରାମ୍ (DILRMP) ୩.୦ର ସଫଳ କାର୍ଯ୍ୟାନ୍ୱୟନ, ନ୍ୟାସନାଲ୍ ଜେନେରିକ୍ ଡକ୍ୟୁମେଣ୍ଟ ରେଜିଷ୍ଟ୍ରେସନ୍ ସିଷ୍ଟମ୍ (NGDRS) ଆପଣାଇବା ତଥା ଏହି ଯୋଜନା ଅଧୀନରେ ହେଉଥିବା ବ୍ୟୟ ଏବଂ ଅନ୍ୟାନ୍ୟ ଉପାଦାନଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା ଓ ଆଲୋଚନା କରାଯାଇଥିଲା।

ବୈଠକରେ ଭୂ-ରେକର୍ଡର ଡିଜିଟାଇଜେସନ୍, ଜିଓ ରେଫରେନ୍ସିଂ, (ULPIN) ପ୍ରଚଳନ, ସମ୍ମତିଭିତ୍ତିକ ଆଧାର ସଂଯୋଗୀକରଣ, ମୋବାଇଲ୍ ନମ୍ବର ଓ ଠିକଣା ସଂଯୋଜନ ଆଦି ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହ ରାଜସ୍ୱ କୋର୍ଟଗୁଡ଼ିକର କମ୍ପ୍ୟୁଟରୀକରଣ ଏବଂ ତାହାକୁ ରାଜସ୍ୱ କାର୍ଯ୍ୟାଳୟଗୁଡ଼ିକ ସହ ସମନ୍ୱିତ କରିବା, ପୁରାତନ ରାଜସ୍ୱ ରେକର୍ଡର ସ୍କାନିଂ ଓ ଡିଜିଟାଇଜେସନ୍, ମେଟାଡାଟା ପ୍ରସ୍ତୁତି ଏବଂ ତହସିଲସ୍ତରରେ ଆଧୁନିକ ରେକର୍ଡ ରୁମ୍ ମାଧ୍ୟମରେ ନାଗରିକମାନଙ୍କୁ ସୁବିଧାଜନକ ସେବା ପ୍ରଦାନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ସେହିପରି ସାବିକ୍ କ୍ୟାଡାଷ୍ଟ୍ରାଲ୍ ମାନଚିତ୍ରଗୁଡ଼ିକର ସ୍କାନିଂ ଓ ଡିଜିଟାଇଜେସନ୍, ରାଜ୍ୟସ୍ତରୀୟ ଡାଟା ସେଣ୍ଟର (SLDC) ପ୍ରତିଷ୍ଠା ଓ ପରିଚାଳନା, ଜମି ପଞ୍ଜୀକରଣର କମ୍ପ୍ୟୁଟରୀକରଣ, ଆଧୁନିକ ରେକର୍ଡ ରୁମ୍ ସ୍ଥାପନ, ଜମି ସର୍ଭେ ଓ ପୁନଃସର୍ଭେ (Survey/Resurvey), ଏନ୍‌ଏଲ୍‌ଆର୍‌ଏମ୍‌ପି (NLRMP) ସେଲ୍ ଏବଂ ପ୍ରକଳ୍ପ ପରିଚାଳନା ୟୁନିଟ୍ (PMU)ର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।

ଜମି ପଞ୍ଜୀକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନଗଦବିହୀନ (Cashless), ପ୍ରତ୍ୟକ୍ଷ ଉପସ୍ଥିତିବିହୀନ (Faceless) ଏବଂ କାଗଜବିହୀନ (Paperless) କରିବା ସହ ଏହାକୁ ଅଧିକ ନାଗରିକକୈନ୍ଦ୍ରିକ, ସରଳ, ସ୍ୱଚ୍ଛ ଓ ଜନସାଧାରଣଙ୍କ ପାଇଁ ସହଜଲବ୍ଧ କରିବା ଉପରେ ଯୁଗ୍ମ ସଚିବ ଗୁରୁତ୍ୱାରୋପ କରିଥିଲେ। ଉପ-ନିବନ୍ଧକ କାର୍ଯ୍ୟାଳୟଗୁଡ଼ିକର ଆଧୁନିକୀକରଣ କରି ସେଗୁଡ଼ିକୁ ‘ପଞ୍ଜୀକରଣ ସେବା କେନ୍ଦ୍ର’ (Registration Seva Kendra) ଭାବେ ବିକଶିତ କରିବା, ପୁରାତନ ପଞ୍ଜୀକୃତ ଦଲିଲଗୁଡ଼ିକର ସ୍କାନିଂ, ଡିଜିଟାଇଜେସନ୍ ଓ ମେଟାଡାଟା ପ୍ରସ୍ତୁତି ମାଧ୍ୟମରେ ନାଗରିକ ସେବାର ଗୁଣବତ୍ତା ବୃଦ୍ଧି ଉପରେ ମଧ୍ୟ ଆଲୋକପାତ କରିଥିଲେ।

ଓଡ଼ିଶାରେ DILRMP ୩.୦ ଅଧୀନରେ ଯୋଜନାର ବିଭିନ୍ନ ଉପାଦାନଗୁଡ଼ିକର ସଫଳ ରୂପାୟନ ନିମନ୍ତେ ଆବଶ୍ୟକ ପାଣ୍ଠି ଯୋଗାଣରେ କୌଣସି ସମସ୍ୟା ହେବ ନାହିଁ ବୋଲି ଯୁଗ୍ମ ସଚିବ ଆଶ୍ୱାସନା ଦେଇଥିଲେ। ଏଥିସହ ରାଜ୍ୟରେ ରାଜସ୍ୱ ପ୍ରଶାସନର ସୁବ୍ୟବସ୍ଥିତ ପରିଚାଳନା, ଯୋଜନାବଦ୍ଧ କାର୍ଯ୍ୟାନ୍ୱୟନ ଏବଂ ଆଧୁନିକୀକରଣ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।

ରାଜ୍ୟରେ ଜମି ପରିଚାଳନା ଓ ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ଡିଜିଟାଲ୍, ସ୍ୱଚ୍ଛ, ଦକ୍ଷ ଏବଂ ନାଗରିକକୈନ୍ଦ୍ରିକ କରିବା ଦିଗରେ ଏହି ଆଲୋଚନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହୋଇଛି। ବୈଠକରେ ପଞ୍ଜୀକରଣ ମହାନିରୀକ୍ଷକ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ, ଲ୍ୟାଣ୍ଡ ରେକର୍ଡ଼ସ୍ ଏବଂ ସର୍ଭେ ନିର୍ଦ୍ଦେଶକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ସ୍ଵତନ୍ତ୍ର ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ଏବଂ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ।