କେନ୍ଦ୍ରୀୟ ବଜେଟ୍ – ୨୦୨୬-୨୭ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା
'ସବକା ସାଥ୍, ସବକା ବିକାଶ' ମନ୍ତ୍ରରେ ଅନୁପ୍ରାଣିତ ବଜେଟ୍, ସମାଜର ସବୁ ବର୍ଗର ଆକାଂକ୍ଷା ପୂରଣ କରିବ। ଦେଶର ଅର୍ଥନୀତି, ଜିଡିପି ଅଭିବୃଦ୍ଧି, ମୁଦ୍ରାସ୍ଫିତି, ଏଫଡିଆଇ ଓ ଆଗାମୀ ଦିନର ଯୋଜନା ଉପରେ ଆଲୋକପାତ।
ବଜେଟ୍ ଓଡ଼ିଶା ପାଇଁ ବିକାଶର ନୂତନ ଦ୍ୱାର ଖୋଲିବ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୦୭/୦୨: ଭୁବନେଶ୍ୱର ଠାରେ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭କୁ ‘ବିକଶିତ ଭାରତ’ ଗଠନର ଏକ ବଳିଷ୍ଠ ଆଧାର ବୋଲି ଅଭିହିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ୍, ସବକା ବିକାଶ’ ମନ୍ତ୍ରରେ ଅନୁପ୍ରାଣିତ ଏହି ବଜେଟ୍, ସମାଜର ସବୁ ବର୍ଗର ଆକାଂକ୍ଷା ପୂରଣ କରିବା ସହ ଶିକ୍ଷା, କୃଷି ଓ ପର୍ଯ୍ୟଟନ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡ଼ିଶା ପାଇଁ ବିକାଶର ନୂତନ ଦ୍ୱାର ଖୋଲିବା ନେଇ ସେ ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଉପସ୍ଥିତ ଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଥିବା ବେଳେ ଏହି ବଜେଟ୍ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୬.୮% ରୁ ୭.୨% ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଏହା ସମାଜର ସବୁ ବର୍ଗର ଆକାଂକ୍ଷା ପୂରଣ କରିବା ସହ ଏକ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରୁଛି । ୨୦୧୩-୧୪ରେ ଦେଶର ରପ୍ତାନୀ ପରିମାଣ ୪୬୬.୨୨ ବିଲିୟନ ଆମେରିକୀୟ ଡଲାର ଥିବା ବେଳେ ଆଜି ମୋଦୀ ସରକାରରେ ତାହା ୭୭ ପ୍ରତିଶତ ବଢି ୮୨୪.୯ ବିଲିୟନ ଆମେରିକୀୟ ଡଲାର ହୋଇଛି । ଦେଶରେ ବିଦେଶ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବା ଏଫଡିଆଇ ୨୦୧୩-୧୪ ବର୍ଷରେ ୩୬.୦୫ ବିଲିୟନ ଆମେରିକୀୟ ଡଲାର ଥିଲା । ଏହି ସଂଖ୍ୟା ଦୁଇ ଗୁଣା ହୋଇ ୮୧.୦୪ ବିଲିୟନ ଆମେରିକୀୟ ଡଲାର ହୋଇଛି । ଦେଶର ଜିଡିପି ହାର ୨୦୧୪-୧୫ରେ ୧୦୬.୫୭ କୋଟିରୁ ତିନିଗୁଣା ବଢି ୩୩୧.୦୩ କୋଟି ହୋଇଛି । ଆମ ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର (ଫରେକ୍ସ ରିଜର୍ଭ) ୬୯୭.୯ ବିଲିୟନ ଆମେରିକୀୟ ଡଲାର ବଢିଛି । ମୁଦ୍ରା ସ୍ଫିତି ନିୟନ୍ତ୍ରଣ ହୋଇଛି । ୨୦୨୦ରେ ଜିଏସଟି କଲେକ୍ସନ ୧୧ ଲକ୍ଷ କୋଟି ହୋଇଥିବା ବେଳେ ଏବେ ତାହା ବଢି ୨୨ ଲକ୍ଷ କୋଟି ହୋଇଛି । ଭାରତର ଷ୍ଟାର୍ଟଅପ ଇକୋସିଷ୍ଟମ ବିଶ୍ୱରେ ତୃତୀୟ ହୋଇଛି । ମୋଦୀ ସରକାରରେ ଲୋକଙ୍କ ଜନଜୀବନ ସହଜ ହୋଇଛି । ୨୦୩୫ ସୁଦ୍ଧା ଏଆଇ ୧.୭ ଟ୍ରିଲିୟନ ଡଲାର ଯୋଗଦାନ କରିବାର ଲକ୍ଷ୍ୟ ରଖାଯାଇଛି ।
ଚଳିତ ବଜେଟରେ ଆଗାମୀ ୫ ବର୍ଷ ପାଇଁ ୧୦,୦୦୦ କୋଟି ଟଙ୍କାର ବ୍ୟୟବରାଦ ସହ ‘ବାୟୋଫାର୍ମା ଶକ୍ତି’ ଏବଂ ୪୦,୦୦୦ କୋଟି ଟଙ୍କାର ‘ଇଣ୍ଡିଆ ସେମିକଣ୍ଡକ୍ଟର ୨.୦’ ମିଶନର ଶୁଭାରମ୍ଭ କରାଯାଇଛି। ଶ୍ରମ-ଭିତ୍ତିକ ବୟନ ଶିଳ୍ପ ଏବଂ ଖଦି-ହସ୍ତଶିଳ୍ପର ବିକାଶ ପାଇଁ ‘ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ’ ଅଭିଯାନ ଘୋଷଣା କରାଯାଇଛି। ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ୧୦,୦୦୦ କୋଟି ଟଙ୍କାର ଗ୍ରୋଥ୍ ଫଣ୍ଡ୍ ଗଠନ କରାଯାଇଛି। ଯୁବପିଢ଼ିଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ‘ଇଟୁଇ’ (ଶିକ୍ଷାରୁ ନିଯୁକ୍ତି ଓ ଉଦ୍ୟୋଗ) ମାନକ କମିଟି ଗଠନର ପ୍ରସ୍ତାବ ଦିଆଯାଇଛି । ଦେଶର ୧୫,୦୦୦ ମାଧ୍ୟମିକ ବିଦ୍ୟାଳୟ ଓ ୫୦୦ କଲେଜରେ ‘ଏଭିଜିସି’ (ଆନିମେସନ୍, ଗେମିଂ) ଲ୍ୟାବ୍ ପ୍ରତିଷ୍ଠା ହେବ । ଛାତ୍ରୀମାନଙ୍କୁ ଷ୍ଟେମ ଶିକ୍ଷାରେ ସହାୟତା ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଛାତ୍ରୀନିବାସ ନିର୍ମାଣ କରାଯିବ । ଶିକ୍ଷା ଓ ଚିକିତ୍ସା ଉଦ୍ଦେଶ୍ୟରେ ବିଦେଶକୁ ଅର୍ଥ ପ୍ରେରଣ ଉପରେ ଟିସିଏସ ହାରକୁ ୫% ରୁ ୨% କୁ ହ୍ରାସ କରାଯାଇଛି । ଏହି ବଜେଟ୍ରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟୟବରାଦକୁ ୧୧ ଲକ୍ଷ କୋଟିରୁ ୧୨.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଦେଶର ପ୍ରଗତି ପଥକୁ ପ୍ରଶସ୍ତ କରିବ । ଦେଶରେ ୭ଟି ହାଇ-ସ୍ପିଡ୍ ରେଳ କରିଡର ସହ ପର୍ଯ୍ୟଟନର ବିକାଶ ପାଇଁ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହସ୍ପିଟାଲିଟି’ ଗଠନ କରାଯିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ତିନୋଟି ନୂତନ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ) ସ୍ଥାପନ ହେବ। ଏହି ବଜେଟ୍ ସାମଗ୍ରିକ ଭାବେ ଏକ ସମୃଦ୍ଧ ଓ ସଶକ୍ତ ଭାରତ ଗଠନରେ ସହାୟକ ହେବ ।
ଏହି ବଜେଟରେ କୃଷି, ଶିକ୍ଷା ଏବଂ ପର୍ଯ୍ୟଟନ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡ଼ିଶା ବ୍ୟାପକ ଭାବେ ଉପକୃତ ହେବ । ରାଜ୍ୟର କୃଷି ଭିତ୍ତିଭୂମିର ସୁଦୃଢ଼ୀକରଣ, ଶିକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ଏବଂ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିଶ୍ୱସ୍ତରୀୟ ବିକାଶ ପାଇଁ ଏଥିରେ ବିଶେଷ ପ୍ରାଥମିକତା ଦିଆଯାଇଛି । ‘ପୂର୍ବୋଦୟ’ ଯୋଜନା ମାଧ୍ୟମରେ ଓଡ଼ିଶାକୁ ଦେଶର ବିକାଶର ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ପାଇଁ ରେକର୍ଡ ସଂଖ୍ୟକ ୧୦,୯୨୮ କୋଟି ଟଙ୍କାର ରେଳ ବଜେଟ୍ ଅନୁଦାନ ପ୍ରଦାନ କରାଯାଇଛି, ଯାହା ୨୦୦୯-୧୪ ର ହାରାହାରି ଅନୁଦାନ ତୁଳନାରେ ପ୍ରାୟ ୧୩ ଗୁଣ ଅଧିକ । ଅପରପକ୍ଷରେ ବ୍ରାହ୍ମଣୀ ଓ ମହାନଦୀ ଦେଇ ତାଳଚେର-ଅନୁଗୋଳ ଠାରୁ ପାରାଦୀପ-ଧାମରା ପର୍ଯ୍ୟନ୍ତ ୫ ନମ୍ବର ଜାତୀୟ ଜଳପଥର ବିକାଶ ଏବଂ ରାଜ୍ୟରେ ନୂତନ ‘ରେୟାର ଆର୍ଥ କରିଡର’ର ପ୍ରତିଷ୍ଠା ଓଡ଼ିଶାର ଶିଳ୍ପ ଓ ଖଣିଜ ଭିତ୍ତିଭୂମିକୁ ଏକ ନୂତନ ସ୍ତରକୁ ନେଇଯିବ । ଏହି ବଜେଟରେ ‘ନ୍ୟୁ ଏଜ୍ ଇକୋନୋମି’ ବା ନୂତନ ଯୁଗର ଅର୍ଥନୀତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ନୂତନ ଜ୍ଞାନକୌଶଳ ଓ ଖଣିଜ ସମ୍ପଦର ସଦୁପଯୋଗ ଦ୍ୱାରା ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ଅନେକ ନୂଆ ସୁଯୋଗ ସୃଷ୍ଟି ହେବ । ରାଜ୍ୟରେ ଜଳ ସେଚନର ସୁବିଧା ପାଇଁ ଜଳାଶୟ ଓ ଅମୃତ ସରୋବରର ବିକାଶ କରାଯିବ, ଯାହା କେବିକେ ଜିଲ୍ଲାଗୁଡ଼ିକ ପାଇଁ ବରଦାନ ସଦୃଶ ହେବ ।
ଓଡ଼ିଶାର ପ୍ରାୟ ୧୫ ଲକ୍ଷ କେନ୍ଦୁପତ୍ର ଶ୍ରମିକ ଓ ଜନଜାତି ଭାଇଭଉଣୀଙ୍କ ଜୀବନରେ ଏହି ବଜେଟ୍ ଏକ ବଡ଼ ପରିବର୍ତ୍ତନ ଆଣିବ । କେନ୍ଦୁପତ୍ର ଉପରେ ଟିକସ ୫% ରୁ ୨% କୁ ହ୍ରାସ କରାଯିବା ଦ୍ୱାରା ସମ୍ବଲପୁରଠାରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଶ୍ରମିକମାନେ ଉପକୃତ ହେବେ । ଉପକୂଳବର୍ତ୍ତୀ ଅଞ୍ଚଳରେ ନଡ଼ିଆ, କାଜୁ ଓ କୋକୋ ଚାଷ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ସରକାରଙ୍କ ଗରିବ ଓ ଚାଷୀ କଲ୍ୟାଣର ପ୍ରତିବଦ୍ଧତାକୁ ଦର୍ଶାଉଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମତ୍ସ୍ୟଜୀବୀ ସଂଗଠନଗୁଡ଼ିକୁ ଷ୍ଟାର୍ଟଅପ୍ ମାଧ୍ୟମରେ ବଜାର ସହ ଯୋଡିବା ସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟ ଚାଷକୁ ସୁଦୃଢ଼ କରାଯିବ । ଏହି ପଦକ୍ଷେପ ଆମର ମତ୍ସ୍ୟଜୀବୀ ଭାଇଭଉଣୀମାନଙ୍କ ଆୟ ବୃଦ୍ଧି କରିବା ସହ ବ୍ଲୁ ଇକୋନୋମୀକୁ ଅଧିକ ସୁଦୃଢ଼ କରିବ । ଓଡ଼ିଶାର ଉପକୂଳ ଅଞ୍ଚଳରେ ଏହା ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବ । ଓଡ଼ିଶାର ସମୁଦ୍ର କୂଳରେ ଗହିରମଥା ପରି ସ୍ଥାନଗୁଡ଼ିକରେ ‘ଟର୍ଟଲ ଟ୍ରେଲ୍ସ’ ଭଳି ପ୍ରକଳ୍ପ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଏକ ନୂତନ ପରିଚୟ ଦେବା ସହ ଅର୍ଥନୀତିକୁ ମଜଭୂତ କରିବ । ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ପାଇଁ ମୋଦୀ ସରକାର ଏହି ବଜେଟରେ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି ।