ଆପାର୍ଟମେଣ୍ଟ ପଞ୍ଜୀକରଣ ସରଳୀକରଣ ନିମନ୍ତେ ଭାରତୀୟ ଷ୍ଟାମ୍ପ୍ ଅଧିନିୟମରେ ସଂଶୋଧନ ଅଧ୍ୟାଦେଶ ଜାରି

ଏଣିକି ଆପାର୍ଟମେଣ୍ଟର ସାଧାରଣକ୍ଷେତ୍ର ଏବଂ ସୁବିଧାଗୁଡ଼ିକ ପାଇଁ ମାତ୍ର ୫୦,୦୦୦ ଟଙ୍କା ଷ୍ଟାମ୍ପ ଦେୟ

ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ ବିକ୍ରି ସମୟରେ ସାଧାରଣକ୍ଷେତ୍ର ଏବଂ ସୁବିଧାର ଅବିଭକ୍ତ ଅଂଶ ଉପରେ କେବଳ ୫% ଷ୍ଟାମ୍ପ୍ ଦେୟ

ଭୁବନେଶ୍ବର, ୧୪/୯୫: ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ ସମ୍ପର୍କିତ ବିଜ୍ଞପ୍ତି ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ପୂର୍ବରୁ ପ୍ରଚଳିତ ଥିବା ଆପାର୍ଟମେଣ୍ଟ୍ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଓ ସରକାରଙ୍କ ରାଜସ୍ବ ଆଦାୟକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଭାରତୀୟ ଷ୍ଟାମ୍ପ ଅଧିନିୟମ, ୧୮୯୯ରେ ଆବଶ୍ୟକ ସଂଶୋଧନ ପାଇଁ ଅଧ୍ୟାଦେଶ ଜାରି କରିବା ନିମନ୍ତେ କ୍ୟାବିନେଟର ସ୍ୱୀକୃତି ପ୍ରାପ୍ତ ହୋଇଥିଲା ।

ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ, ୨୦୨୩ [Odisha Apartment (Ownership and Management) Act, 2023] ଅନୁଯାୟୀ ପ୍ରଥମ ଆପାର୍ଟମେଣ୍ଟ ହସ୍ତାନ୍ତର ଦଲିଲ୍‌ ପଞ୍ଜୀକରଣ ସମୟରେ ସମୁଦାୟ ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକୁ (Common areas and facilities) ଆସୋସିଏସନ ଅଫ୍ ଆଲଟି(Association of Allottees)ଙ୍କ ସପକ୍ଷରେ ହସ୍ତାନ୍ତର କରିବା ବାଧ୍ୟତାମୂଳକ ଅଟେ l ଏଥିପାଇଁ ଆସୋସିଏସନ ଅଫ୍ ଆଲଟି (Association of Allottees)ଙ୍କୁ ଦଲିଲ୍‌ ପଞ୍ଜୀକରଣ ନିମନ୍ତେ ୫% ଷ୍ଟାମ୍ପ ଦେୟ ଦେବାକୁ ପଡୁଥିଲା, ଯାହାକି ସେମାନଙ୍କ ଉପରେ ଅଧିକ ଆର୍ଥିକ ଭାର ସୃଷ୍ଟି କରୁଥିଲା ଏବଂ ଏହାଦ୍ଵାରା ଆପାର୍ଟମେଣ୍ଟ ପଞ୍ଜୀକରଣରେ ବାଧା ସୃଷ୍ଟି ହେଉଥିଲା l

ତେବେ, ବର୍ତ୍ତମାନ ଏହି ସଂଶୋଧନ ବଳରେ ଆପାର୍ଟମେଣ୍ଟରେ ଥିବା ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକର ପଞ୍ଜୀକରଣ ନିମନ୍ତେ Association of Allotteesଙ୍କୁ ଦଲିଲ ପଞ୍ଜୀକରଣ ପାଇଁ ୫୦,୦୦୦/-ଟଙ୍କା ମାତ୍ର ଷ୍ଟାମ୍ପ ଦେୟ ଦେବାକୁ ପଡିବ। ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ ବିକ୍ରୟ ସମୟରେ ଆପାର୍ଟମେଣ୍ଟ ୟୁନିଟ୍ ସହ ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡିକ(common areas and facilities)ର ଅବିଭକ୍ତ ଅଂଶ ଉପରେ ୫% ଷ୍ଟାମ୍ପ ଡ୍ୟୁଟି ଆନୁପାତିକ ଭାବେ ଆଦାୟ ହେବ । ଏହା ସହିତ ଅଧିନିୟମରେ ଥିବା ଆପାର୍ଟମେଣ୍ଟର ମୂଲ୍ୟ ଅନୁଯାୟୀ ୩ଟି ସ୍ଲାବ୍ ଯଥା ୩%, ୪%, ଓ ୫% ପରିବର୍ତ୍ତେ କେବଳ ୫% ଷ୍ଟାମ୍ପ ଦେୟ ଦେବାକୁ ପଡିବ ।