ଯନ୍ତ୍ରୀଙ୍କ ୧୫ ପ୍ଲଟ, ୨ଟି ବହୁତଳ କୋଠା ଠାବ

ବିଦେଶୀ ମୁଦ୍ରା ସହ ଲକ୍ଷାଧିକ ଟଙ୍କା ଜବତ

ସମ୍ବଲପୁର, ୨୩/୦୬: ସମ୍ବଲପୁର CADA ଡିଭିଜନର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ୧୫ଟି ପ୍ଲଟ୍‌ ଠାବ ହୋଇଛି। ଭୁବନେଶ୍ୱର, କଟକ, କୋରେଇ, ବସ୍ତା ଓ ଡେଲାଙ୍ଗରେ ୧୫ ପ୍ଲଟ୍ ମିଳିଛି।

କଟକ ବିଦ୍ୟାଧରପୁରରେ ୭ ହଜାର ବର୍ଗଫୁଟ୍‌ର ତିନି ମହଲା କୋଠା ଓ ବସ୍ତାରେ ୧୪୬୫ ବର୍ଗଫୁଟ୍‌ର ଦ୍ବିମହଲା କୋଠା ଥିବା ଜଣାପଡ଼ିଛି। ସେହିପରି ୨ଟି ବହୁତଳ କୋଠା ସହ ନଗଦ ୩.୪୫ ଲକ୍ଷ ଟଙ୍କା ଜବତ ହୋଇଛି। ୩ଟି ଚାରି ଚକିଆ, ଗୋଟିଏ ଜେସିବି, ଗୋଟିଏ ଦୁଇ ଚକିଆ ଠାବ କରିଛି ଭିଜିଲାନ୍ସ। ଶ୍ରୀଲଙ୍କା, ନେପାଳ, ବାହାରିନ୍ ଏବଂ ଆମେରିକାର କିଛି ବିଦେଶୀ ମୁଦ୍ରା ଓ ନୋଟ୍ ମଧ୍ୟ ଜବତ କରାଯାଇଛି।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସମ୍ବଲପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୪ ଜଣ DSP, ୧୩ ଜଣ ଇନ୍ସପେକ୍ଟର, ୭ ଜଣ ASI ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଯନ୍ତ୍ରୀଙ୍କ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି।