ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ

ବିଦ୍ୟାର୍ଥୀ ମାନେ ରାଷ୍ଟ୍ରପାଇଁ ନିଜ ଜୀବନ ଉତ୍ସର୍ଗ କରିବାକୁ ସଂକଳ୍ପବଦ୍ଧ ହୁଅନ୍ତୁ: ଡ.ତିରୁପତି ପାଣିଗ୍ରାହୀ

ଭୁବନେଶ୍ବର, ୨୩/୦୬: ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବାହଦଳପୁରର ସୁବର୍ଣଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଛି I ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ସମ୍ମାନୀତ ଅତିଥି ଭାବରେ ହାଇଟେକ୍ ଗ୍ରୁପ୍ ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଯୋଗଦେଇ କହିଛନ୍ତି ଯେ, ବିଦ୍ୟାର୍ଥୀ ମାନେ ସଦାସର୍ବଦା ନିଜ ଜୀବନକୁ ଦେଶ, ଜାତି,ରାଷ୍ଟ୍ରପ୍ରତି ଉତ୍ସର୍ଗ କରିବା ପାଇଁ ଏବେଠାରୁ ସଂକଳ୍ପବଦ୍ଧ ହୁଅନ୍ତୁ । ଏହି ଅବସରରେ ବିଦ୍ୟାର୍ଥୀ ଜୀବନର ପରାକାଷ୍ଠାକୁ ସ୍ଵତନ୍ତ୍ର ରୁପେ ଦର୍ଶାଇବା ସହ ବିଦ୍ୟା ସଦାସର୍ବଦା ଅନ୍ୟ ମାନଙ୍କର କାମରେ ଆସୁ ବୋଲି ଦର୍ଶାଇବା ସହ ସ୍କୁଲ୍‌କୁ ୬ଟି କମ୍ପ୍ୟୁଟର ବିଶିଷ୍ଟ ଏକ ଲ୍ୟାବ୍‌ ଦେବାକୁ ଡକ୍ଟର ପାଣିଗ୍ରାହୀ ଘୋଷଣା କରିଥିଲେ । ସ୍କୁଲ୍‌ର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଜଟଣୀ ବିଧାୟକ ବିଭୂତି ଭୁଷଣ ବଡଜେନା ସ୍କୁଲ୍‌ର ଛାତ୍ରଛାତ୍ରୀ ମାନେ ଉତ୍ତମ ଚରିତ୍ର ଗଠନ କରିବା ସହ ନିଜ ସ୍କୁଲ୍ ଓ ବାପାମାଆଙ୍କ ପ୍ରତି କୃତଜ୍ଞତା ରହିବାକୁ ପରାମର୍ଶ ଦେଇଥିବା ବେଳେ, ଏକାମ୍ର ବିଧାୟକ ବାବୁ ସିଂ ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢି ଚାକିରୀ ପଛରେ ନଗୋଡାଇ ଆତ୍ମନିର୍ଭରଶୀଳ ହେବାକୁ କହିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ବୁଦ୍ଧିଜୀବି, ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।