ଶ୍ରୀମନ୍ଦିର ପ୍ରଶାସନକୁ ପ୍ରେରଣ ହେଲା ୩୮୦ କିଲୋଗ୍ରାମ ବାସୁଙ୍ଗା ପାଟ
ବିଗ୍ରହମାନଙ୍କ ବିଜୟ ଡୋରୀ, ପଇତା, ରାକ୍ଷୀ ପ୍ରସ୍ତୁତିରେ ବ୍ୟବହାର ହୁଏ । ମଲବେରୀ ରେଶମରୁ ପ୍ରସ୍ତୁତ ହୁଏ, କଇଥ ଫଳର ଅଠାରେ ରଙ୍ଗ ଦିଆଯାଏ ।
କେବଳ ବିଗ୍ରହଙ୍କ ସେବାରେ ଲାଗେ, ଏହାର ବାଣିଜ୍ୟିକ ବ୍ୟବହାର ନାହିଁ
ଭୁବନେଶ୍ୱର, ୨୩/୦୬: ସ୍ଥାନୀୟ ଶହୀଦ ନଗରସ୍ଥିତ ଓଡିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ୍) କାର୍ଯ୍ୟାଳୟ ପରିସରରୁ ୩୮୦ କିଲୋଗ୍ରାମ ବାସୁଙ୍ଗା ପାଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଆଜି ପ୍ରେରଣ କରାଯାଇଛି । ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ପତାକା ଦେଖାଇ ଏହାର ପ୍ରେରଣ କରିଥିଲେ । ପୂଜାର୍ଚ୍ଚନା କରି ବାସୁଙ୍ଗା ପାଟ ଶ୍ରୀମନ୍ଦିର ପ୍ରଶାସନକୁ ଏହା ପଠା ଯାଇଥିଲା ।
ସୂଚନଯୋଗ୍ୟ, ବାସୁଙ୍ଗା ପାଟ ହେଉଛି ଅତ୍ୟନ୍ତ ଶକ୍ତିଶାଳୀ ପବିତ୍ର ରେଶମ ଡୋର ଯାହା ଚତୁର୍ଦ୍ଧାମୁରତୀଙ୍କ ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ବ୍ୟବହୃତ ହୋଇଥାଏ । ଶ୍ରୀମନ୍ଦିରରେ ବିଗ୍ରହମାନଙ୍କର ବିଜୟ ଡୋରୀ, ପଇତା, ରାକ୍ଷୀ ଆଦି ତିଆରି କରିବାରେ ଏହାର ବ୍ୟବହାର ହୋଇଥାଏ । ୧୯୮୧ ମସିହାରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଡ୍ ବାସୁଙ୍ଗା ପାଟ ଯୋଗାଇ ଆସୁଛି । ଚଳିତବର୍ଷ ୩୮୦ କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି ।
ଏହି ବାସୁଙ୍ଗା ପାଟ ମଲବେରୀ ରେଶମ କୋଷାରୁ ପ୍ରସ୍ତୁତ କରାଯାଇଥାଏ । ଏହା ମୁଖ୍ୟତଃ ଗଜପତି ଜିଲ୍ଲାର ମୋହନା ଏବଂ ଆର. ଉଦୟଗିରୀ ବ୍ଲକର ଜନଜାତି ରେଶମ ଚାଷୀଙ୍କ ଦ୍ଵାରା ଉତ୍ପାଦିତ ହୋଇଥାଏ । କୋରାପୁଟ ଜିଲ୍ଲାରୁ ସଂଗୃହୀତ କଇଥ ଫଳର ଅଠା ଲଗାଯାଇ ଏହାକୁ ରଙ୍ଗାୟିତ କରାଯାଇଥାଏ । ଏହି କୋଷାଗୁଡିକୁ ସେରିଫେଡ ଦ୍ଵାରା ସଂଗ୍ରହ କରାଯାଇ କଟକ ଜିଲ୍ଲାର ନୂଆପାଟଣା ସ୍ଥିତ Silk Production & Technical Upgradation Centre ଠାରେ ପ୍ରକ୍ରିୟାକରଣ କରାଯାଏ । ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ଏହାର କୌଣସି ବାଣିଜ୍ୟିକ ବ୍ୟବହାର କରାଯାଇନଥାଏ ।
ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, , ଅତିରିକ୍ତ ନିର୍ଦ୍ଦେଶକ (ରେଶମ) ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ସେରିଫେଡ୍ ସଭାପତି ଶ୍ରୀ ଭାଗୀରଥି ନନ୍ଦ, ସମ୍ପାଦକ ସଂଗୀତା ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ ।