ଏମସିଏଲକୁ ମିଳିଲା ଆସୋଚାମ୍ ବିଜନେସ୍ ଏକ୍ସଲେନ୍ସ ଆୱାର୍ଡ ୨୦୨୬

ଆସୋଚାମ୍ ଦ୍ୱାରା ଆୟୋଜିତ ମିନେରାଲ୍ସ ଆଣ୍ଡ୍ ମାଇନିଂ କନକ୍ଲେଭ୍ ୨୦୨୬ ରେ ପୁରସ୍କାର ପ୍ରଦାନ

ଭୁବନେଶ୍ୱର, ୨୫/୦୬: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ୍) କୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (PSU) କ୍ଷେତ୍ରରେ “ସ୍ଥିରତା ଉପରେ ସ୍ୱତନ୍ତ୍ର ଧ୍ୟାନ ସହିତ ଖଣି କାର୍ଯ୍ୟରେ ଉତ୍କର୍ଷତା” ବର୍ଗ ଅଧୀନରେ ସମ୍ମାନଜନକ ‘ଆସୋଚାମ୍ ବିଜନେସ୍ ଏକ୍ସଲେନ୍ସ ଆୱାର୍ଡ ୨୦୨୬’ ପ୍ରଦାନ କରାଯାଇଛି।

କୋଲକାତାଠାରେ ଆସୋଚାମ୍ ଦ୍ୱାରା ଆୟୋଜିତ ମିନେରାଲ୍ସ ଆଣ୍ଡ୍ ମାଇନିଂ କନକ୍ଲେଭ୍ ୨୦୨୬ – ‘ଟ୍ରାନ୍ସଫର୍ମେସନ୍ ଫର୍ ଗ୍ଲୋବାଲ୍ କମ୍ପିଟିଟିଭନେସ୍’ ର ଚତୁର୍ଥ ସଂସ୍କରଣ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସଆଇ) ର ମହାନିର୍ଦ୍ଦେଶକ ଶ୍ରୀ ଅସିତ ସାହା ଏହି ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଏମସିଏଲ୍ ପକ୍ଷରୁ ମହାପ୍ରବନ୍ଧକ (ଖଣି) ଶ୍ରୀ ରାଜେଶ ଶର୍ମା ଏହି ପୁରସ୍କାର ଗ୍ରହଣ କରିଥିଲେ।

ସ୍ଥାୟୀ ଖଣିଜ ପ୍ରଣାଳୀ, ପରିଚାଳନାଗତ ଉତ୍କର୍ଷତା, ଉନ୍ନତ ଜ୍ଞାନକୌଶଳ ଆପଣାଇବା, ପରିବେଶ ସୁରକ୍ଷା ଦିଗରେ ଏମସିଏଲର ଉଲ୍ଲେଖନୀୟ ଅବଦାନ ଏବଂ ଦେଶର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରି ଏହି ସମ୍ମାନ ପ୍ରଦାନ କରାଯାଇଛି।

ଆର୍ଥିକ ବର୍ଷ ୨୦୨୫-୨୬ ମଧ୍ୟରେ, ଏମସିଏଲ୍ ୨୧୮ ମିଲିୟନ୍ ଟନ୍ (MT) କୋଇଲା ଉତ୍ପାଦନ ଏବଂ ୨୧୧ ମିଲିୟନ୍ ଟନ୍ ପ୍ରେରଣର ଉପଲବ୍ଧି ହାସଲ କରିଛି, ଯାହାକି ସବୁଜ ଏବଂ ଜ୍ଞାନକୌଶଳ ଭିତ୍ତିକ ଖଣି ପଦକ୍ଷେପକୁ କ୍ରମାଗତ ଭାବରେ ଆଗେଇ ନେବା ସହ ଦେଶର ସର୍ବାଧିକ କୋଇଲା ଉତ୍ପାଦନକାରୀ କମ୍ପାନୀ ଭାବରେ ନିଜର ସ୍ଥାନ ବଜାୟ ରଖିପାରିଛି।

ଏହି ପୁରସ୍କାର ସ୍ଥିରତା, ନବସୃଜନ ଏବଂ ଦାୟିତ୍ୱବାନ ସମ୍ବଳ ପରିଚାଳନା ଉପରେ ବିଶେଷ ଧ୍ୟାନ ଦେବା ସହିତ ଖଣି କାର୍ଯ୍ୟରେ ଉତ୍କର୍ଷତା ହାସଲ କରିବା ଦିଗରେ ‘ଟିମ୍ ଏମସିଏଲ୍’ ର ସାମୂହିକ ପ୍ରୟାସ ଏବଂ ଅଙ୍ଗୀକାରକୁ ପ୍ରତିଫଳିତ କରୁଛି।