ଜେଲରୁ ମୁକୁଳିବେ ଦାରା ସିଂ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦୀର୍ଘ ୨୬ ବର୍ଷ ପରେ ଜେଲରୁ ବାହାରିବେ ଦାରା ସିଂ

ନୂଆଦିଲ୍ଲୀ, ୧୪/୦୭: ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁତ୍ରଙ୍କୁ ଜୀବନ୍ତ ଦଗ୍ଧ କରିବା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲ୍‌ଙ୍କୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଦାରା ସିଂଙ୍କୁ ଜେଲରୁ ମୁକ୍ତ କରାଯିବ। ଦୀର୍ଘ ୨୬ ବର୍ଷରୁ ଅଧିକ ସମୟ ଜେଲ୍‌ରେ କାଟିବା ପରେ ତାଙ୍କର ମୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଦାରା ସିଂଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଦାରା ସିଂଙ୍କ ଓକିଲ ଏ.ପି. ସିଂ ସୂଚନା ଦେଇଛନ୍ତି।

ଦାରା ସିଂ ଜେଲ୍‌ରେ ୨୬ ବର୍ଷରୁ ଅଧିକ ସମୟ ବିତାଇ ସାରିଛନ୍ତି। ସାଧାରଣତଃ ଆଜୀବନ କାରାଦଣ୍ଡ ମାମଲାରେ ୧୪ ବର୍ଷରୁ ଅଧିକ ସମୟ ସଜା କାଟିବା ପରେ କାରାଗାର ନିୟମାବଳୀ ଅନୁଯାୟୀ ସମୟପୂର୍ବ ମୁକ୍ତି (Remission) ପାଇଁ ବିଚାର କରାଯାଏ।

ଜେଲ୍‌ରେ ତାଙ୍କର ଭଲ ଆଚରଣ ଏବଂ ବାର୍ଦ୍ଧକ୍ୟଜନିତ ସମସ୍ୟାକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୧୫ ସୁଦ୍ଧା ସମସ୍ତ ଆନୁଷଙ୍ଗିକ ସରକାରୀ ପ୍ରକ୍ରିୟା ଶେଷ କରି ତାଙ୍କୁ ମୁକ୍ତ କରିବାକୁ କୁହାଯାଇଛି।

କ’ଣ ଥିଲା ଘଟଣା?

୧୯୯୯ ମସିହା ଜାନୁଆରୀ ୨୨-୨୩ ବିଳମ୍ବିତ ରାତିରେ ଓଡ଼ିଶାର କେନ୍ଦୁଝର ଜିଲ୍ଲା ମନୋହରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା। ସେଠାରେ ରହୁଥିବା ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ପୁଅ (ଫିଲିପ୍ ଏବଂ ତିମୋଥି) ଏକ ଗାଡ଼ି ଭିତରେ ଶୋଇଥିବା ବେଳେ ଉଗ୍ର ଭିଡ଼ ସେମାନଙ୍କୁ ଜୀଅନ୍ତା ଜାଳି ଦେଇଥିଲେ।

ଏହି ବର୍ବରକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ଦାରା ସିଂ। ୨୦୦୦ ମସିହାରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୦୩ରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ପରବର୍ତ୍ତୀ ସମୟରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହି ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ, ଯାହାକୁ ୨୦୧୧ରେ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଥିଲେ।

ଦାରା ସିଂଙ୍କ ପକ୍ଷରୁ ଦାଖଲ ଆବେଦନରେ ଦର୍ଶାଯାଇଥିଲା ଯେ, ସେ ଆବଶ୍ୟକ ସମୟଠାରୁ ବହୁ ଅଧିକ କାରାଦଣ୍ଡ ଭୋଗିସାରିଥିବାରୁ ରାଜ୍ୟ ସରକାରଙ୍କ ସମୟପୂର୍ବ ମୁକ୍ତି ନୀତି ଆଧାରରେ ତାଙ୍କୁ ମୁକ୍ତ କରାଯାଉ। ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରି ଶେଷରେ ତାଙ୍କ ମୁକ୍ତି ନିର୍ଦ୍ଦେଶ ଜାରି କରିଛନ୍ତି।