ବେଲପାହାଡ଼ ବିଜେଡିରେ ମହାବିସ୍ଫୋରଣ: ହିତେଶ ଠକ୍କରଙ୍କ ନିଲମ୍ବନକୁ ନେଇ ୧୦ କାଉନସିଲରଙ୍କ ସମୂହ ଇସ୍ତଫା

ଅଳକା ମହାନ୍ତିଙ୍କ ବିରୋଧରେ ଅସନ୍ତୋଷର ବିସ୍ଫୋରଣ

ଝାରସୁଗୁଡ଼ା, ୧୪/୦୭: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପାଳିକାରେ ବିଜୁ ଜନତା ଦଳ ଭିତରେ ଦୀର୍ଘଦିନ ଧରି ଚାଲିଥିବା ଅସନ୍ତୋଷ ଶେଷରେ ଖୋଲା ବିଦ୍ରୋହର ରୂପ ନେଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବେଲପାହାଡ଼ର ବରିଷ୍ଠ ବିଜେଡି ନେତା ହିତେଶ ଠକ୍କରଙ୍କୁ ଦଳରୁ ନିଲମ୍ବିତ କରାଯିବା ପରେ ଏହାର ପ୍ରତିବାଦରେ ବେଲପାହାଡ଼ ପୌରପାଳିକାର ୧୪ ଜଣ ବିଜେଡି କାଉନସିଲରଙ୍କ ମଧ୍ୟରୁ ୧୦ ଜଣ ନିର୍ବାଚିତ କାଉନସିଲର ସମୂହ ଇସ୍ତଫା ଘୋଷଣା କରିଛନ୍ତି। ଏହି ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପଠାଯାଇଥିବା ଦାବି କରାଯାଇଛି।

ଏହି ଘଟଣା କେବଳ ଏକ ନେତାଙ୍କ ନିଲମ୍ବନକୁ ନେଇ ପ୍ରତିବାଦରେ ସୀମିତ ରହିନାହିଁ। ବରଂ ବେଲପାହାଡ଼ ବିଜେଡିରେ ଦୀର୍ଘଦିନ ଧରି ଚାଲିଥିବା ସାଂଗଠନିକ ଅସନ୍ତୋଷ, ନେତୃତ୍ୱକୁ ନେଇ ମତଭେଦ ଏବଂ କର୍ମୀଙ୍କ ଅବହେଳା ଭଳି ପ୍ରସଙ୍ଗ ସାମ୍ନାକୁ ଆସିଛି।

ଜରୁରୀ ସାମ୍ବାଦିକ ସମ୍ମିଳନୀରେ ନିଲମ୍ବିତ ନେତା ହିତେଶ ଠକ୍କର ଦଳର ନିଷ୍ପତ୍ତିକୁ ପ୍ରଶ୍ନ କରି କହିଥିଲେ ଯେ, ତାଙ୍କୁ କୌଣସି କାରଣ ଦର୍ଶାଇବା ନୋଟିସ୍‌ ନ ଦେଇ ସୋସିଆଲ ମିଡିଆରେ ପ୍ରକାଶିତ ଚିଠି ମାଧ୍ୟମରେ ନିଲମ୍ବନ କରାଯାଇଛି। ସେ କହିଥିଲେ ଯେ, ଝାରସୁଗୁଡ଼ା ଉପନିର୍ବାଚନ ସମୟରେ ସେ ଦଳ ପାଇଁ ସକ୍ରିୟ ଭାବେ କାମ କରିଥିଲେ ଏବଂ ବିଜେଡିର ବିଜୟରେ ଭୂମିକା ନେଇଥିଲେ। ତାଙ୍କ ମତରେ, ବେଲପାହାଡ଼ ପୌରପାଳିକାରେ କଂଗ୍ରେସ ସମର୍ଥିତ ଚେୟାରମ୍ୟାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯଦି ଦଳ ବିରୋଧୀ କାର୍ଯ୍ୟ ବୋଲି ବିବେଚନା କରାଯାଏ, ତେବେ ସେ ଏହାକୁ ଗ୍ରହଣ କରୁନାହାନ୍ତି।

ହିତେଶ ଠକ୍କରଙ୍କ ସମର୍ଥନରେ ଆଗକୁ ଆସିଥିବା ବିଦ୍ରୋହୀ କାଉନସିଲରମାନେ, ବିଶେଷକରି ମହିଳା କାଉନସିଲରମାନେ, ପୂର୍ବତନ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ତୃଣମୂଳ ସ୍ତରର ନିର୍ବାଚିତ ପ୍ରତିନିଧିମାନଙ୍କୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିଲା। ଶଙ୍ଖ ଭବନରେ ଦଳୀୟ କାର୍ଯ୍ୟକ୍ରମ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତକାରରୁ ବେଲପାହାଡ଼ର ନିର୍ବାଚିତ କାଉନସିଲରମାନଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ ମଧ୍ୟ ସେମାନେ କରିଛନ୍ତି।

ବିଦ୍ରୋହୀ କାଉନସିଲରମାନଙ୍କ ମତରେ, ସ୍ୱର୍ଗତ ନବ କିଶୋର ଦାସ ଜୀବିତ ଥିବା ସମୟରେ ବେଲପାହାଡ଼ର କର୍ମୀ ଓ ଜନପ୍ରତିନିଧିମାନଙ୍କ ସହ ନିୟମିତ ସମନ୍ୱୟ ରହୁଥିଲା। ତାଙ୍କ ପରଲୋକ ପରେ ତୃଣମୂଳ ସ୍ତରର କର୍ମୀମାନେ ନିଜକୁ ଦଳରେ ଉପେକ୍ଷିତ ମନେ କରୁଛନ୍ତି ବୋଲି ସେମାନେ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏଭଳି ପରିସ୍ଥିତିରେ ଦଳରେ କାମ କରିବା ସମ୍ଭବ ନ ହେବାରୁ ସେମାନେ ସମୂହ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି।

ରାଜନୈତିକ ମହଲର ମତରେ, ବେଲପାହାଡ଼ ପୌରପାଳିକାରେ ଦୁଇ-ତୃତୀୟାଂଶରୁ ଅଧିକ କାଉନସିଲରଙ୍କ ଏକାସାଙ୍ଗରେ ଇସ୍ତଫା ଦଳ ପାଇଁ ଗୁରୁତର ସାଂଗଠନିକ ସଙ୍କେତ। ଏହା କେବଳ ବେଲପାହାଡ଼ରେ ନୁହେଁ, ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ବିଜେଡିର ଅନ୍ତର୍ନିହିତ ଅସନ୍ତୋଷକୁ ସାମ୍ନାକୁ ଆଣିଛି।

ଗତ କିଛି ମାସ ଧରି ଝାରସୁଗୁଡ଼ା ଜିଲ୍ଲା ବିଜେଡିରେ ନେତୃତ୍ୱ ଓ ସାଂଗଠନିକ ପ୍ରସଙ୍ଗକୁ ନେଇ ବିଭିନ୍ନ ସ୍ତରରେ ଅସନ୍ତୋଷର ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ବେଲପାହାଡ଼ର ଏହି ଘଟଣା ସେହି ଅସନ୍ତୋଷକୁ ସାର୍ବଜନୀନ କରିଦେଇଛି ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି।

ଅନ୍ୟପକ୍ଷରେ, ଏହି ଅଭିଯୋଗ ସମ୍ପର୍କରେ ପୂର୍ବତନ ବିଧାୟିକା ଅଳକା ମହାନ୍ତି କିମ୍ବା ବିଜୁ ଜନତା ଦଳ ପକ୍ଷରୁ ଖବର ଲେଖାହେବା ସୁଦ୍ଧା କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନଥିଲା। ଏହି ପରିସ୍ଥିତିରେ ବେଲପାହାଡ଼ରେ ସୃଷ୍ଟି ହୋଇଥିବା ସଙ୍କଟକୁ ଦଳର ଶୀର୍ଷ ନେତୃତ୍ୱ କିପରି ସମାଧାନ କରୁଛନ୍ତି ଏବଂ ବିଦ୍ରୋହୀ କାଉନସିଲରମାନଙ୍କୁ ମନାଇବାକୁ କୌଣସି ପଦକ୍ଷେପ ନେଉଛନ୍ତି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।