ପାଠ୍ୟପୁସ୍ତକ ତ୍ରୁଟିରେ ୧୭୫ କୋଟିର ରାଜସ୍ବ କ୍ଷତି: କ୍ରାଇମବ୍ରାଞ୍ଚର ସାଂଘାତିକ ତଥ୍ୟ

କର୍ତ୍ତବ୍ୟରେ ଚରମ ଅବହେଳା ସହ ଜାଣିଶୁଣି ତ୍ରୁଟି କରିଛନ୍ତି ମନୋଜ ପାଢ଼ୀ

ଭୁବନେଶ୍ୱର, ୧୪/୦୭: ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ପ୍ରକାଶନରେ ହୋଇଥିବା ଅନିୟମିତତା ଓ ଅପରାଧିକ ମାମଲାରେ ପୂର୍ବତନ SCERT ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢ଼ୀଙ୍କୁ ଗିରଫ କରାଯାଇଛି। ମନୋଜ ପାଢ଼ୀଙ୍କୁ ଗିରଫ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଛି ସାଂଘାତିକ ତଥ୍ୟ।

କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଅନୁଯାୟୀ, ପାଠ୍ୟପୁସ୍ତକ ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନରେ ହୋଇଥିବା ଅପରାଧିକ ଷଡ଼ଯନ୍ତ୍ର ନେଇ ତଦନ୍ତ ଚାଲିଛି। ମନୋଜ କୁମାର ପାଢ଼ୀ, TE & SCERT ର ନିର୍ଦ୍ଦେଶକ ଥିବା ସମୟରେ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାର ସମ୍ପୂର୍ଣ୍ଣ ତଦାରଖ, ସମନ୍ୱୟ, ନିରୀକ୍ଷଣ, ଅନୁମୋଦନ ଦାୟିତ୍ୱରେ ଥିଲେ।

କିନ୍ତୁ ସେ ନିଜର ସରକାରୀ ଦାୟିତ୍ୱ ସଠିକ୍ ଭାବେ ତୁଲାଇବାରେ ବିଫଳ ହୋଇଥିଲେ। ପାଠ୍ୟପୁସ୍ତକଗୁଡ଼ିକର ତଥ୍ୟ, ବୈଜ୍ଞାନିକ ଓ ଭୌଗୋଳିକ ଦିଗ, ଅନୁବାଦ ଏବଂ ଚିତ୍ରଗୁଡ଼ିକର ସଠିକତା ଯାଞ୍ଚ ନକରି ସେ ପାଣ୍ଡୁଲିପିଗୁଡ଼ିକୁ ମୁଦ୍ରଣ ପାଇଁ ଅନୁମୋଦନ କରିଦେଇଥିଲେ। ଏହି ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକର ପ୍ରକାଶନ ଓ ବଣ୍ଟନ ଯୋଗୁଁ ସରକାରୀ କୋଷାଗାରକୁ ପ୍ରାୟ ୧୭୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

କର୍ତ୍ତବ୍ୟରେ ଚରମ ଅବହେଳା ସହ ଜାଣିଶୁଣି ତ୍ରୁଟି କରିଥିବା ଜଣାପଡ଼ିଛି। ତାଙ୍କ ବିରୋଧରେ BNS ୩୧୬(୫), ୨୦୧, ୬୧(୨) ଏବଂ ୩/୫ରେ ମାମଲା ରୁଜୁ ହୋଇଛି।