‘ପୁଟିନଙ୍କୁ ରୋକିବା ସାମର୍ଥ୍ୟ ମୋଦୀଙ୍କ ପାଖରେ ଅଛି’

ମୋଦୀଙ୍କ ଯୋଗୁଁ ଟଳିଥିଲା ପରମାଣୁ ବିପତ୍ତି: ପୋଲାଣ୍ଡ ମନ୍ତ୍ରୀ

ନୂଆଦିଲ୍ଲୀ, ୧୫/୦୭: ଋଷ-ୟୁକ୍ରେନ ଯୁଦ୍ଧକୁ ୪ ବର୍ଷ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଯୁଦ୍ଧ ଥମିବାର ନାଁ ଧରୁନି। ବରଂ ଆହୁରି ବଢି ବଢି ଚାଲିଛି ଯୁଦ୍ଧ। ଏପରିକି ଆଜି ରୁଷିଆ ୟୁକ୍ରେନ ଉପରେ ୩ ଟନ୍ ବିଶିଷ୍ଟ ବୋମାମାଡ କରିଛି। ଯାହା ଅତ୍ୟନ୍ତ ଭୟଙ୍କର। ଏ ସମୟରେ ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଯଦି ମୋଦି ଚାହିଁବେ ତାହାଲେ ଏହି ଯୁଦ୍ଧ ବନ୍ଦ ହୋଇପାରିବ।

୨୦୨୨ ମସିହା ଶେଷ ଭାଗରେ ଯେତେବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଥିଲା, ସେତେବେଳେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପରମାଣୁ ଅସ୍ତ୍ର ବ୍ୟବହାର କରିବାରୁ ନିବୃତ୍ତ କରିବାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ପୋଲାଣ୍ଡର ଉପବିଦେଶ ମନ୍ତ୍ରୀ ବ୍ଲାଡିସଲାଭ୍ ଟେଓଫିଲ୍ ବାର୍ତ୍ତୋସେଭସ୍କି କହିଛନ୍ତି।

ସୂଚନା ଅନୁଯାୟୀ, ନୂଆଦିଲ୍ଲୀରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ପୋଲାଣ୍ଡ ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସେହି ସୀମିତ ବିଶ୍ୱ ନେତାମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କ କଥାକୁ ଋଷ ରାଷ୍ଟ୍ରପତି ଗୁରୁତ୍ୱର ସହ ଶୁଣନ୍ତି ଏବଂ ମାନନ୍ତି।

ବାର୍ତ୍ତୋସେଭସ୍କି କହିଛନ୍ତି, “ଭାରତର ଋଷ ସହିତ ଦୀର୍ଘ ଦିନର ବନ୍ଧୁତା ରହିଛି। ୨୦୨୨ ଶେଷ ଆଡ଼କୁ ୟୁକ୍ରେନ ବିରୋଧରେ ଟାକ୍ଟିକାଲ୍ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ପାଇଁ ଋଷ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହସ୍ତକ୍ଷେପ ଯୋଗୁଁ ହିଁ ଏହି ମହାବିପତ୍ତି ଟଳିଥିଲା।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱରେ ଖୁବ୍ କମ୍ ନେତା ଅଛନ୍ତି ଯେଉଁମାନେ ପୁଟିନଙ୍କ ଉପରେ ପ୍ରଭାବ ପକାଇପାରିବେ ଏବଂ ଏହି ଯୁଦ୍ଧକୁ ଶେଷ କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।

ଋଷ କେବେହେଲେ ଭାରତକୁ ଏକ ପ୍ରତିଦ୍ୱନ୍ଦ୍ୱୀ କିମ୍ବା ଶତ୍ରୁ ଦେଶ ଭାବେ ଗ୍ରହଣ କରେନାହିଁ। ତେଣୁ ଯୁଦ୍ଧ ବନ୍ଦ କରିବା କିମ୍ବା ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ମୋଦି ଯେଉଁ ପରାମର୍ଶ ଦେବେ, ତାହାକୁ ଋଷ ଉପେକ୍ଷା କରିପାରିବ ନାହିଁ। ଯୁଦ୍ଧ ଏଡ଼ାଇବା ପାଇଁ କେବଳ ଭାରତ ନୁହେଁ, ଚୀନ ମଧ୍ୟ ପ୍ରୟାସ କରିଛି। କିନ୍ତୁ ଭାରତର ଏହି ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଆଭିମୁଖ୍ୟ ବେଶ୍ ପ୍ରଭାବଶାଳୀ ବୋଲି ପୋଲାଣ୍ଡ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୨ ମସିହା ସେପ୍ଟେମ୍ବରରେ ଏସସିଓ (SCO) ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ସାମ୍ନାରେ କହିଥିଲେ ଯେ “ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ”। ଏହାକୁ ସେତେବେଳେ ସମଗ୍ର ବିଶ୍ୱ ପ୍ରଶଂସା କରିଥିଲା।