ଭାରତୀୟ ରେଳବାଇର ନୂଆ ଯୁଗ: ଗଡ଼ିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

ବିନା ଡିଜେଲ ଓ କୋଇଲାରେ ଚାଲିବ ଟ୍ରେନ୍, ଧୂଆଁ ବଦଳରେ ବାହାରିବ ପବନ

ନୂଆଦିଲ୍ଲୀ, ୧୭/୦୭: ଭାରତୀୟ ରେଳବାଇ ଇତିହାସରେ ଏକ ନୂତନ ଏବଂ ସବୁଜ ଯୁଗର ଆରମ୍ଭ ହୋଇଛି। ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅତ୍ୟାଧୁନିକ ଏବଂ ପରିବେଶ ଅନୁକୂଳ ଟ୍ରେନର ଶୁଭାରମ୍ଭ ହୋଇଛି।

ଏହି ଟ୍ରେନ୍ ହରିୟାଣାର ଜିନ୍ଦ୍-ସୋନିପତ ରୁଟ୍ ମଧ୍ୟରେ ଚାଲିବ। ଏହି ସମ୍ପୂର୍ଣ୍ଣ ରୁଟର ଦୂରତା ହେଉଛି ୮୯ କିଲୋମିଟର। ଏହି ଟ୍ରେନ ଜିନ୍ଦ୍ ସିଟି, ପାଣ୍ଡୁ ପିଣ୍ଡାରା, ଲଲିତ ଖେରା, ଭାମ୍ବେଭା, ଇଶାପୁର ଖେରୀ, ବୁଟାନା, ଖାନ୍ଦ୍ରାଇ, ଗୋହାନା, ରାଭ୍ରା, ଲାଠ୍, ମୋହାନା ଏବଂ ବରୱାସନି ଭଳି ପ୍ରମୁଖ ଷ୍ଟେସନରେ ରହିବ।ଏହି ଟ୍ରେନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୭୫ ରୁ ୧୧୦ କିଲୋମିଟର ରହିବ।

ଏଥିରେ ୨ଟି ଡ୍ରାଇଭିଂ ପାୱାର କାର୍ ଏବଂ ୮ଟି ଯାତ୍ରୀବାହୀ କୋଚ୍ ମିଶି ସମୁଦାୟ ୧୦ଟି କୋଚ୍ ରହିଛି। ଏହା ଏକ ସମୟରେ ପ୍ରାୟ ୨,୬୦୦ ଯାତ୍ରୀଙ୍କୁ ନେଇ ଯାତ୍ରା କରିପାରିବ।

ଏହା କିପରି ଚାଲିବ?

ଏହି ଟ୍ରେନ୍‌ ପାରମ୍ପରିକ ଡିଜେଲ କିମ୍ବା ଓଭରହେଡ୍ ଇଲେକ୍ଟ୍ରିକ୍ ତାର ବିନା କାମ କରିଥାଏ। ଟ୍ରେନ୍ ଭିତରେ ଥିବା ସିଲିଣ୍ଡରରୁ ହାଇଡ୍ରୋଜେନ୍ ଏବଂ ବାୟୁମଣ୍ଡଳରୁ ଅକ୍ସିଜେନ୍ ମିଶ୍ରିତ ହୋଇ ଫ୍ୟୁଲ ସେଲ୍ ଭିତରେ ଏକ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରନ୍ତି।ଏହି ପ୍ରତିକ୍ରିୟା ଦ୍ଵାରା ବିଦ୍ୟୁତ ଶକ୍ତି ଉତ୍ପନ୍ନ ହୁଏ, ଯାହା ଟ୍ରେନର ମୋଟରକୁ ଚଲାଇଥାଏ।

ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରକ୍ରିୟାରେ କୌଣସି କ୍ଷତିକାରକ ଧୂଆଁ ବାହାରେ ନାହିଁ। ଏଥିରୁ କେବଳ ଜଳୀୟ ବାଷ୍ପ ଏବଂ ଗରମ ପବନ ନିର୍ଗତ ହୋଇଥାଏ, ଯାହା ପରିବେଶ ପାଇଁ ସମ୍ପୂର୍ଣ୍ଣ ନିରାପଦ।

ହରିୟାଣାର ଜିନ୍ଦ୍ ରେଲୱେ ଜଙ୍କସନଠାରେ ଭାରତର ପ୍ରଥମ ଓ ସବୁଠାରୁ ବଡ଼ ରେଳ ହାଇଡ୍ରୋଜେନ ରିଫ୍ୟୁଲିଂ ଷ୍ଟେସନ ଓ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ଏହି ପ୍ଲାଣ୍ଟରେ ପାଣିରୁ ହାଇଡ୍ରୋଜେନ୍ ଏବଂ ଅକ୍ସିଜେନକୁ ଇଲେକ୍ଟ୍ରୋଲାଇସିସ୍ ପ୍ରକ୍ରିୟାରେ ଅଲଗା କରି ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରସ୍ତୁତ କରାଯାଏ। ଏହି ଗ୍ୟାସକୁ ଅତ୍ୟଧିକ ଚାପରେ ପ୍ରା଼ୟ ୫୦୦ ବାରରେ ସାଇତି ରଖାଯାଏ ଏବଂ ଟ୍ରେନରେ ୩୫୦ ବାର ଚାପରେ ଭର୍ତ୍ତି କରାଯାଏ।

ହାଇଡ୍ରୋଜେନ୍ ଅତ୍ୟନ୍ତ ଜ୍ୱଳନଶୀଳ ହୋଇଥିବାରୁ, ଭାରତୀୟ ରେଳବାଇ ଏଥିରେ ମଲ୍ଟି-ଲେୟାର ସୁରକ୍ଷା ପ୍ରଣାଳୀ ଖଞ୍ଜିଛି। ଲିକ୍ ଡିଟେକ୍ଟର: ଯଦି କେଉଁଠି ସାମାନ୍ୟତମ ହାଇଡ୍ରୋଜେନ୍ ଲିକ୍ ହୁଏ, ତେବେ ସେନ୍ସର ତୁରନ୍ତ ଏହାକୁ ଚିହ୍ନଟ କରିବ।ଅଟୋମେଟିକ୍ ସଟ୍-ଡାଉନ୍: କୌଣସି ବିପଦ ଆଭାସ ମିଳିଲେ ସୁରକ୍ଷା ପ୍ରଣାଳୀ ଆପେ ଆପେ ହାଇଡ୍ରୋଜେନ୍ ଯୋଗାଣ ବନ୍ଦ କରିଦେବ। ନିରନ୍ତର ଭେଣ୍ଟିଲେସନ୍: ଟ୍ରେନ୍ ଭିତରେ ସବୁବେଳେ ବାୟୁ ଚଳାଚଳ ଜାରି ରହିବ, ଯାହାଫଳରେ ଗ୍ୟାସ୍ ଜମା ହୋଇ ରହିପାରିବ ନାହିଁ।

ଏହି ଟ୍ରେନର ମହତ୍ତ୍ୱ:-

ଏହା ଡିଜେଲ ଉପରେ ନିର୍ଭରଶୀଳତା କମାଇବା ସହ ଭାରତର ନେଟ୍ ଜିରୋ କାର୍ବନ ଏମିସନ ୨୦୭୦ ଲକ୍ଷ୍ୟ ହାସଲ କରିବାରେ ବଡ଼ ସହାୟକ ହେବ। ଏହି ଟ୍ରେନ୍‌ ସମ୍ପୂର୍ଣ୍ଣ ଭାବେ ଭାରତର ସ୍ୱଦେଶୀ ଡିଜାଇନ୍ ଏବଂ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ICF) ଦ୍ୱାରା ନିର୍ମିତ ହୋଇଛି। ଏହା ସଫଳତାର ସହ ଗଡିଲେ ଭାରତୀୟ ରେଳବାଇ ଦେଶର ବିଭିନ୍ନ ଐତିହାସିକ ସ୍ଥାନକୁ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଦ୍ୱାରା ଯୋଗାଯୋଗ କରିବାକୁ ଯୋଜନା କରୁଛି।