ଦିଲ୍ଲୀ ମୁହାଁ ମୋହନ-ନବୀନ

ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା

ଭୁବନେଶ୍ୱର, ୦୧/୦୯: ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦୁଇ ନେତାଙ୍କ ଏକେ ଦିନରେ ଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ୩୦ରେ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ‌ ଯିବେ। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ପ୍ରଥମ ବିଭାଗୀୟ ସମ୍ମିଳନୀରେ ସେ ଯୋଗଦେବେ। ସମ୍ମିଳନୀରେ ଜଳ ଭିତ୍ତିଭୂମି, ଜଳ ସଂରକ୍ଷଣ, ବର୍ଷାଜଳ ଅମଳ, ପାନୀୟ ଜଳ ବ୍ୟବସ୍ଥା ଓ ଜଳ ପରିଚାଳନା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବ।

ସମ୍ମିଳନୀରେ ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଅଧୀନରେ ପାନୀୟ ଜଳ ଯୋଗାଣ ଓ ସୃଷ୍ଟି ହୋଇଥିବା ଜଳସେଚନ କ୍ଷମତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ଥିତି ଓ ଉପଲବ୍ଧି ଉପସ୍ଥାପନ କରିବେ।

ଅନ୍ୟପଟେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟାହ୍ନ ପ୍ରାୟ ୧ଟାରେ ଦିଲ୍ଲୀ ଯିବେ। ତାଙ୍କର ଦିଲ୍ଲୀ ଗସ୍ତ ପ୍ରାୟ ୭ ଦିନିଆ ହେବ। ସେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଦିଲ୍ଲୀ ଯାଉଥିବା ସୂଚନା ମିଳିଛି।

ତେବେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଗୋଟିଏ ଦିନରେ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍ ହେଉଛି।