ହାଇଟେକ୍‌ରେ ବିରଳ ଅସ୍ତ୍ରୋପଚାର

୭ ଘଣ୍ଟାର ଅପରେସନ୍, ବଞ୍ଚିଗଲା ଜୀବନ

ଭୁବନେଶ୍ଵର, ୦୧/୦୯: ହାଇଟେକ୍ ହସ୍ପିଟାଲ୍‌ରେ ବିରଳ ଅସ୍ତ୍ରୋପଚାର କରାଯାଇ ଜଣେ ରୋଗୀକୁ ମୃତ୍ୟୁ ମୁଖରୁ ଫେରାଇ ଅଣାଯାଇପାରିଛି I ଗଞ୍ଜାମ ଅଞ୍ଚଳର ଜଣେ ରୋଗୀ ନା ସୁରଜ ନାୟକ, ପେଶାରେ ଜଣେ ଡ୍ରାଇଭର I ଅନେକ ଦିନ ହେଲା ଛାତି, ପିଠି ଓ ବେକରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ I କଟକ ବଡଡାକ୍ତରଖାନାରେ ଭର୍ତ୍ତି ହେବାପରେ, ରୋଗ ଚିହ୍ନଟ ହେଲା ସତ, ହେଲେ ଅସ୍ତ୍ରୋପଚାର ହୋଇପାରିଲାନାହିଁ I ବିଳମ୍ବିତ ରାତିରେ ହାଇଟେକ୍ ମେଡିକାଲ୍ କଲେଜରେ ଭର୍ତ୍ତି ହେଲେ ସୁରଜ । ବିଭିନ୍ନ ପରୀକ୍ଷା, ସିଟିସ୍କାନ୍, ଇସିଜି, ଆଞ୍ଜିଓ କରିବା ପରେ ଜଣା ପଡିଲା ଯେ, ରୋଗୀର ହାର୍ଟର ମୁଖ୍ୟ ଧମନୀରେ ଫାଟ ରହିଛି, ଯେଉଁଥୁରୁ ରକ୍ତ କ୍ଷରଣ ହୋଇ, ହାର୍ଟ ଉପରେ ପ୍ରବଳ ଚାପ ସୃଷ୍ଟି କରୁଛି I ଏଭଳି ସର୍ଜରୀ କରିବା ପୁର୍ବରୁ ପ୍ରଥମେ ରକ୍ତଭଣ୍ଡାର ଅକ୍ଷକଙ୍କୁ ରକ୍ତ ଓ ପ୍ଲାଜମା ମିଶାଇ ୨୫ ୟୁନିଟ ସଂରକ୍ଷିତ ରଖିବାକୁ କୁହାଯାଇଥିଲା I ହୃଦରୋଗ ବିଭାଗ, ନିଶ୍ଚେତକ ବିଭାଗ,ସର୍ଜରୀ ବିଭାଗ,ଓଟି ଟିମ୍ କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା I ଡାକ୍ତର ରିତେଶ ଆଚାର୍ଯ୍ୟ, ଡାକ୍ତର ଶ୍ଵେତାଙ୍କ ଦାଶ,ଡାକ୍ତର ସ୍ମୃତି ପ୍ରକାଶ ସାହୁ, ଡାକ୍ତର ସତ୍ୟ ସ୍ବରୁପ ପଟ୍ଟନାୟକ ଟିମ୍ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଆରମ୍ଭ କଲେ I ଡାକ୍ତର ଶ୍ଵେତାଙ୍କ ଦାଶଙ୍କ ନେତୃତ୍ୟରେ ଅସ୍ତ୍ରୋପଚାର ଆରମ୍ଭ ହେଲା । ପ୍ରାୟ ୭ଘଣ୍ଟା ଧରି ଅସ୍ତ୍ରୋପଚାର ଚାଲିଲା, ଏହି ସମୟରେ ରୋଗୀର ପୁରା ଶରୀରକୁ ୩୪ ମିନଟ ଧରି ରକ୍ତ ପ୍ରବାହ ବନ୍ଦ କରାଯିବା ସହ, କୃତ୍ରିମ ଆକାରରେ କେବଳ ହାର୍ଟକୁ ରକ୍ତ ପ୍ରବାହ ଜାରି ରହିଥିଲା I ଶରୀର ତାପମାତ୍ରାକୁ କମାଯାଇ, ପୁରା ଡାକ୍ତରୀ ଟିମ୍ ଏହି ବିରଳ ଅସ୍ତ୍ରୋପଚାର କରି, ରୋଗୀକୁ ମୃତ୍ୟୁ ମୁଖରୁ ଫେରାଇ ଆଣିବାରେ ସଫଳ ହୋଇଥିଲେ, ସଂନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଅସ୍ତ୍ରୋପଚାର, ଭୋର ପର୍ଯ୍ୟନ୍ତ ଚାଲିଥିଲା I ଡାକ୍ତର ଶ୍ଵେତାଙ୍କ ଙ୍କ କହିବା ହେଲା ଏଭଳି ରୋଗରେ ଶହେରୁ ୭୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଯାଏ, ହେଲେ ସୁରଜର ଜୀବନ ବଞ୍ଚାଇବାରେ ହାଇଟେକ୍‌ର ଅତ୍ୟାଧୂନିକ ଚିକିତ୍ସା ବ୍ୟବସ୍ଥା ଓ ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କ ପ୍ରୋତ୍ସାହନ ଯୋଗୁ ସମ୍ଭବ ହୋଇପାରିଲା, ସରକାରୀ ସ୍ୱାସ୍ଥ୍ୟବୀମା କାର୍ଡରେ ଏହି ଅସ୍ତ୍ରୋପଚାର କରାଯାଇଛି ଏବଂ ରୋଗୀ ଜଣକ ବର୍ତ୍ତମାନ ସଂପୁର୍ଣ୍ଣ ସୁସ୍ଥ ଅନୁଭବ କରୁଛନ୍ତି, କିଛିଦିନର ବିଶ୍ରାମ ପରେ ସେ ସମସ୍ତ କାର୍ଯ୍ୟ କରିପାରିବେ ।