ୟୁଏଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ୟୁଏଇ ଗସ୍ତ କରିବ ଏକ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର, ୦୧/୦୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ୟୁନାଇଟେଡ଼ ଆରବ ଅଫ ଏମିରେଟ୍ସ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଦୁବାଇ ଯିବ। ଏହି ଗସ୍ତରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ରହିବେ। ସେପ୍ଟେମ୍ବର ୮ ଓ ୯ ତାରିଖରେ ଦୁବାଇରେ ଦୁଇଦିନିଆ ଇନଭେଷ୍ଟର୍ସ ମିଟ୍ ଆୟୋଜନ ହେବ।

ମୁଖ୍ୟମନ୍ତ୍ରୀ ବିଭିନ୍ନ ନିବେଶକାରୀଙ୍କ ସହ ୱାନ୍‌-ଟୁ-ୱାନ୍‌ ବୈଠକ କରି ଓଡ଼ିଶାରେ ଥିବା ଶିଳ୍ପ ସୁଯୋଗ, ଭିତ୍ତିଭୂମି ଓ ନିବେଶ ଅନୁକୂଳ ପରିବେଶ ସମ୍ପର୍କରେ ଆଲୋଚନା କରିବେ। B2G ବୈଠକ ମାଧ୍ୟମରେ ବଡ଼ ଶିଳ୍ପଗୋଷ୍ଠୀଙ୍କୁ ଓଡ଼ିଶାରେ ପ୍ରକଳ୍ପ ସ୍ଥାପନ ପାଇଁ ଆମନ୍ତ୍ରଣ ଦିଆଯିବ।

ଦୁବାଇ ଇନଭେଷ୍ଟର୍ସ ମିଟ୍ ରେ ଓଡ଼ିଶା ସରକାର ରାଜ୍ୟର ପ୍ରମୁଖ ନିବେଶ କ୍ଷେତ୍ରଗୁଡ଼ିକୁ ଉପସ୍ଥାପନ କରିବେ। ଧାତୁ ଓ ଡାଉନଷ୍ଟ୍ରିମ୍ ମାନୁଫାକ୍ଚରିଂ, ପେଟ୍ରୋକେମିକାଲ୍ସ, ଗ୍ରୀନ୍ ଏନର୍ଜି ଓ ଗ୍ରୀନ୍ ହାଇଡ୍ରୋଜେନ୍, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ୍ ଓ ଆପାରେଲ୍, ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଡିଜାଇନ୍ ଓ ମାନୁଫାକ୍ଚରିଂ ଏବଂ ବନ୍ଦର ଓ ଲଜିଷ୍ଟିକ୍ସ ଭଳି କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯିବ।

ଦୁବାଇରେ ନିବେଶକାରୀଙ୍କୁ ନେଇ ରୋଡ୍‌ ଶୋ’ ସହିତ ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଓଡ଼ିଶାର ବିକାଶ, ଶିଳ୍ପ ଓ ନିବେଶ କ୍ଷେତ୍ରରେ ପ୍ରବାସୀ ଓଡ଼ିଆଙ୍କ ଭୂମିକା ଏବଂ ରାଜ୍ୟରେ ନିବେଶ ସୁଯୋଗ ସମ୍ପର୍କରେ ମଧ୍ୟ ଆଲୋଚନା ହେବ।