୨୨ ବର୍ଷର ସେବା ପରେ ବାୟୁସେନାରୁ ଅବସର ନେଲେ ଅଭିନନ୍ଦନ ବର୍ଦ୍ଧମାନ
ପାକିସ୍ତାନର F-16 ଖସାଇଥିବା ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନଙ୍କ ନୂଆ ଅଧ୍ୟାୟ ଆରମ୍ଭ
ନୂଆଦିଲ୍ଲୀ, ୦୩/୦୯: ୨୦୧୯ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରବର୍ତ୍ତୀ ଆକାଶମାର୍ଗ ଯୁଦ୍ଧରେ ପାକିସ୍ତାନର ଏଫ୍-୧୬ ଯୁଦ୍ଧବିମାନକୁ ଖସାଇ ଦେଇ ଚର୍ଚ୍ଚାକୁ ଆସିଥିବା ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ଦ୍ଧମାନ ବାୟୁସେନାରୁ ଅବସର ନେଇଛନ୍ତି। ପ୍ରାୟ ୨୨ ବର୍ଷର ସେବା ପରେ ସେ ବାୟୁସେନାରୁ ସ୍ବେଚ୍ଛାକୃତ ଅବସର ନେଇ ଏକ ବେସରକାରୀ ଏୟାରଲାଇନ୍ସରେ ବାଣିଜ୍ୟିକ ପାଇଲଟ୍ ଭାବେ ଯୋଗ ଦେଇଛନ୍ତି।
ସେ ଗୋଆର ଏୟାରଲାଇନ୍ସ FLY91 ରେ ପାଇଲଟ୍ ଭାବେ ଯୋଗ ଦେଇଛନ୍ତି। ମାର୍ଚ୍ଚ ୩୧, ୨୦୨୪ ରେ ସେ ବାୟୁସେନାରୁ ଅବସର ନେଇଥିଲେ ଏବଂ ଅଗଷ୍ଟ ମାସରେ ବେସରକାରୀ ଏୟାରଲାଇନ୍ସରେ ଯୋଗ ଦେଇଛନ୍ତି। ସେ ATR 72-600 ବିମାନ ଉଡ଼ାଇବାର ସମ୍ଭାବନା ରହିଛି।
୨୦୧୯ରେ ପାକିସ୍ତାନରେ ଅଟକ ଥିବା ଅଭିନନ୍ଦନ ଏବେ ଜୀବନର ନୂଆ ଇନିଂସ ଆରମ୍ଭ କରିଛନ୍ତି। ୧୪ ଫେବୃଆରୀ ୨୦୧୯ ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍ରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। ୨୭ ଫେବୃଆରୀ ୨୦୧୯ରେ ପାକିସ୍ତାନୀ ବାୟୁସେନାର ଯୁଦ୍ଧବିମାନ ଭାରତୀୟ ସୀମା ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ, ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ନିଜର MiG-21 ବାଇସନ ବିମାନ ନେଇ ଶତ୍ରୁପକ୍ଷକୁ ମାତ ଦେଇଥିଲେ। ଅତ୍ୟାଧୁନିକ ପାକିସ୍ତାନୀ F-16 ଯୁଦ୍ଧବିମାନକୁ ଆକାଶମାର୍ଗରେ ଗୁଳି କରି ଖସାଇ ଦେଇଥିଲେ, ଯାହା ତାଙ୍କର ମିଲିଟାରୀ ଆଭିଏସନ୍ ଇତିହାସରେ ଏକ ବିରଳ ସଫଳତା ଥିଲା।
ଏହି ଯୁଦ୍ଧ ସମୟରେ ତାଙ୍କ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା, ଯାହା ଫଳରେ ସେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ରେ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ଏହା ପରେ ପାକିସ୍ତାନ ସେନା ଦ୍ୱାରା ତାଙ୍କୁ ବନ୍ଦୀ କରାଯାଇଥିଲା। ଭାରତର କୂଟନୈତିକ ଚାପ ଯୋଗୁଁ ୧ ମାର୍ଚ୍ଚ ୨୦୧୯ରେ ପାକିସ୍ତାନ ତାଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲା।
ତାଙ୍କର ଅସାଧାରଣ ସାହସିକତା ଏବଂ ଦେଶସେବା ପାଇଁ ଭାରତ ସରକାର ତାଙ୍କୁ ତୃତୀୟ ସର୍ବୋଚ୍ଚ ଯୁଦ୍ଧକାଳୀନ ବୀରତ୍ୱ ପୁରସ୍କାର “ବୀର ଚକ୍ର” ରେ ସମ୍ମାନିତ କରିଥିଲେ। ଡିସେମ୍ବର ୨୦୨୧ ରେ ତାଙ୍କୁ ୱିଙ୍ଗ୍ କମାଣ୍ଡର୍ ପଦବୀରୁ ଗ୍ରୁପ୍ କ୍ୟାପ୍ଟେନ୍ ପଦବୀକୁ ପଦୋନ୍ନତି ଦିଆଯାଇଥିଲା।