ଢେଙ୍କାନାଳ, ୦୩/୦୯: ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳଙ୍କୁ ଜେଲ ଦଣ୍ଡାଦେଶ। ପୂର୍ବତନ ଜିଲ୍ଲାପାଳ ବା ଅବସରପ୍ରାପ୍ତ ଆଇଏଏସ ନିତ୍ୟାନନ୍ଦ ମହାନ୍ତିଙ୍କ ସମେତ ୩ ଜଣଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ସ୍ପେଶାଲ ଭିଜିଲାନ୍ସ କୋର୍ଟ। ଅଦାଲତ ସମସ୍ତ ଦୋଷୀଙ୍କୁ ବର୍ଷେ ଲେଖାଏଁ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି।
ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ଦୁଇ ବ୍ୟକ୍ତି ହେଲେ ଢେଙ୍କାନାଳ ଡିଆରଡିଏ ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟନାରାୟଣ ଦାସ ଓ ପୂର୍ବତନ ପରିବହନ ଠିକାଦାର ପ୍ରଦୀପ।
ସୂଚନା ଅନୁଯାୟୀ, ଚାଉଳ ଓ ଗହମ ପରିବହନରେ ଅନିୟମିତତା ଅଭିଯୋଗ ହୋଇଥିଲା। ୨୦୦୧ ମସିହାରେ କେନ୍ଦ୍ର ସରକାରଙ୍କ ‘ଫୁଡ୍ ଫର୍ ୱାର୍କ’ ଯୋଜନା ଅଧୀନରେ FCI ଗୋଦାମରୁ ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତକୁ ଚାଉଳ ଏବଂ ଗହମ ପରିବହନ କରାଯାଉଥିଲା। ଓଡ଼ିଶା ସିଭିଲ୍ ସପ୍ଲାଏ କୋର୍ପୋରେସନ୍ (OCSC) ଦ୍ୱାରା ନିର୍ଦ୍ଧାରିତ ପରିବହନ ଦରକୁ ଅଣଦେଖା କରି କୌଣସି ଖୋଲା ଟେଣ୍ଡର ଆହ୍ୱାନ ନକରି କେବଳ ‘ହ୍ୟାଣ୍ଡ କୋଟେସନ୍’ ଜରିଆରେ ଉଚ୍ଚ ଦରକୁ ମଞ୍ଜୁରୀ ଦିଆଯାଇଥିଲା। ସରକାରୀ ଧାର୍ଯ୍ୟ ଦରକୁ ଫୁ’ କରି ଅଧିକ ଦରରେ ବିଲ୍ ପୈଠ ହୋଇଥିଲା।
ପୂର୍ବତନ ଜିଲ୍ଲାପାଳ ଓ ପିଡି ମିଶି ସମ୍ପୃକ୍ତ ପରିବହନ ଠିକାଦାରଙ୍କୁ ଅଧିକ ଅର୍ଥ ପ୍ରଦାନ କରିଥିଲେ। ଫଳରେ ସରକାରୀ ତହସିଲରୁ ୯ ଲକ୍ଷ ୪୭ ହଜାର ୧୧୯ ଟଙ୍କା ହେରଫେର ହୋଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା।
ଏହି ମାମଲାରେ ଢେଙ୍କାନାଳ ଭିଜିଲାନ୍ସ ସ୍ପେଶାଲ କୋର୍ଟର ବିଚାରପତି ମାମଲାର ସମସ୍ତ ସାକ୍ଷ୍ୟ, ପ୍ରମାଣ ଓ ଦଲିଲକୁ ଆଧାର କରି ତିନି ଅଭିଯୁକ୍ତଙ୍କୁ ଆଇସିସି ଏବଂ ଦୁର୍ନୀତି ନିବାରଣ ଆଇନ ଅଧୀନରେ ଦୋଷୀ ସାବ୍ୟସ୍ତ କରିଛନ୍ତି।