ଭାରତୀୟ କମ୍ପାନୀ ସହ ୭୬୯ କୋଟିର ଚୁକ୍ତି; ଏଷ୍ଟୋନିଆର ପ୍ରତିରକ୍ଷା ମନ୍ତ୍ରୀଙ୍କ ଇସ୍ତଫା
ୟୁକ୍ରେନ ଗୋଳାବାରୁଦ ଚୁକ୍ତିରେ ବିବାଦ
ନୂଆଦିଲ୍ଲୀ, ୦୪/୦୯: ୟୁକ୍ରେନକୁ ସାମରିକ ସହାୟତା ପାଇଁ କରାଯାଇଥିବା ପ୍ରାୟ ୭୦ ମିଲିୟନ୍ ୟୁରୋ ଅର୍ଥାତ୍ ପ୍ରାୟ ୭୬୯ କୋଟିର ଗୋଳାବାରୁଦ କ୍ରୟ ଚୁକ୍ତିକୁ ନେଇ ବଡ଼ ବିବାଦରେ ଏଷ୍ଟୋନିଆ। ଏହି ବିବାଦ ପରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହାନ୍ନୋ ପେଭକୁର ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୨୨ରୁ ପ୍ରତିରକ୍ଷା ମନ୍ତ୍ରୀ ଥିଲେ।
୨୦୨୪ ମସିହାରେ ଏଷ୍ଟୋନିଆର ସେଣ୍ଟର ଫର ଡିଫେନ୍ସ ଇନଭେଷ୍ଟମେଣ୍ଟ (ଇସିଡିଆଇ) ଇଟାଲୀରେ ପଞ୍ଜୀକୃତ ଡାଟାସେଲ ଏସଆରଏଲ ନାମକ କମ୍ପାନୀ ସହ ଗୋଳାବାରୁଦ ଯୋଗାଣ ପାଇଁ ଚୁକ୍ତି କରିଥିଲା। ଡାଟାସେଲକୁ ସେହି ବର୍ଷ ଭାରତର ନାଗପୁର ସ୍ଥିତ ନେକୋ ଡିଫେନ୍ସ ମ୍ୟୁନିସନ୍ସ କିଣିଥିଲା।
ଏହାପରେ ଡାଟାସେଲ ଏଷ୍ଟୋନିଆ ସହ ପ୍ରାୟ ୭୬୯ କୋଟିର ଚୁକ୍ତି କରିଥିଲା। ଚୁକ୍ତିର ଉଦ୍ଦେଶ୍ୟ ଥିଲା ୟୁକ୍ରେନ ପାଇଁ ଆବଶ୍ୟକ ସାମରିକ ସାମଗ୍ରୀ ଯୋଗାଣ।
ରିପୋର୍ଟ ଅନୁସାରେ, ଚୁକ୍ତି ସମୟରେ ଡାଟାସେଲର ଏଭଳି ଗୋଳାବାରୁଦ ବିକ୍ରି କରିବାର ପୂର୍ବ ରେକର୍ଡ ନଥିଲା। ତଥାପି ଏଷ୍ଟୋନିଆ ଏହି କମ୍ପାନୀ ସହ ଚୁକ୍ତି କରି ଅଗ୍ରିମ ଅର୍ଥ ପ୍ରଦାନ କରିଥିଲା।
୨୦୨୪ ଅଗଷ୍ଟରେ ପ୍ରଥମ ଚୁକ୍ତି ହୋଇଥିଲା ଏବଂ ପ୍ରାୟ ୧୫ ମିଲିୟନ୍ ୟୁରୋ ଅଗ୍ରିମ ଦିଆଯାଇଥିଲା। ପରେ ଅକ୍ଟୋବରରେ ଆଉ ଏକ ଚୁକ୍ତି ହୋଇ ୧୦ ମିଲିୟନ୍ ୟୁରୋରୁ ଅଧିକ ଅଗ୍ରିମ ଦିଆଗଲା। ବର୍ଷ ଶେଷ ସୁଦ୍ଧା ମୋଟ ଅଗ୍ରିମ ଅର୍ଥ ପ୍ରାୟ ୭୦ ମିଲିୟନ୍ ୟୁରୋରେ ପହଞ୍ଚିଥିଲା। ଏହି ଅର୍ଥରେ ୟୁରୋପିଆନ ୟୁନିୟନର ୟୁରୋପିଆନ ପିସ୍ ଫ୍ୟାସିଲିଟିର ଟଙ୍କା ବ୍ୟବହାର ହୋଇଥିବା ରିପୋର୍ଟରେ କୁହାଯାଇଛି।
ଚୁକ୍ତି ଅନୁସାରେ ନିର୍ଦ୍ଧାରିତ ସମୟରେ ଯୋଗାଣ ହୋଇନଥିଲା। ଉତ୍ପାଦନ ସମସ୍ୟା ଦର୍ଶାଇ ଯୋଗାଣରେ ବିଳମ୍ବ ହୋଇଥିବା ରିପୋର୍ଟ ରହିଛି। ପରେ କିଛି ସାମଗ୍ରୀ ମିଳିଥିଲେ ମଧ୍ୟ ସେଗୁଡ଼ିକ ଆବଶ୍ୟକ ଗୁଣମାନ ପୂରଣ କରୁନଥିବା ନେଇ ଏଷ୍ଟୋନିଆ ପକ୍ଷରୁ ଆପତ୍ତି ଉଠିଥିଲା। ଏହାପରେ ଏଷ୍ଟୋନିଆ ଚୁକ୍ତି ବାତିଲ କରି ଅର୍ଥ ଫେରସ୍ତ ପାଇଁ ଆଇନଗତ ପଦକ୍ଷେପ ନେଇଛି।
ଏହି ମାମଲାରେ ଭାରତୀୟ କମ୍ପାନୀ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି। ଡାଟାସେଲ ଏଷ୍ଟୋନିଆ ସରକାରଙ୍କ ଦାବିକୁ ଖଣ୍ଡନ କରିଛି ଏବଂ ଏଷ୍ଟୋନିଆ ବିରୋଧରେ କ୍ଷତିପୂରଣ ଦାବି କରି ୟୁରୋପରେ ଦାବି କରିଥିବା ରିପୋର୍ଟ ହୋଇଛି। କମ୍ପାନୀର ଯୁକ୍ତି ହେଉଛି, ଚୁକ୍ତି ବାତିଲ ହେବାବେଳେ ତାଙ୍କ ପାଖରେ ପ୍ରସ୍ତୁତ ସାମଗ୍ରୀ ମହଜୁଦ ଥିଲା।