ବଲୋଚିସ୍ତାନରେ ବଡ଼ ଆକ୍ରମଣ: ୨୫ ପାକ୍ ସେନା ମୃତ

୨ଟି ପାକ୍‌ ସାମରିକ ଟ୍ରକ୍‌କୁ ମଧ୍ୟ ଧ୍ୱଂସ କରିଥିବା ଦାବି

ବଲୋଚିସ୍ତାନ, ୦୪/୦୯: ପାକିସ୍ତାନର ଅଶାନ୍ତ ବଲୋଚିସ୍ତାନ ପ୍ରଦେଶରେ ପୁଣିଥରେ ବଡ଼ ଧରଣର ହିଂସାକାଣ୍ଡ ଘଟିଛି। ବଲୋଚ୍ ବିଚ୍ଛିନ୍ନତାବାଦୀ ସଂଗଠନ ବଲୋଚିସ୍ତାନ ଲିବରେସନ୍ ଆର୍ମି (BLA) ଦାବି କରିଛି ଯେ, ସେପ୍ଟେମ୍ବର ୩ରେ ବଲୋଚିସ୍ତାନର ଦୁଇଟି ସ୍ଥାନରେ ପାକିସ୍ତାନୀ ସାମରିକ ବାହିନୀକୁ ଟାର୍ଗେଟ୍ କରି ଆକ୍ରମଣ କରାଯାଇଛି। ଏହି ଦୁଇ ଆକ୍ରମଣରେ ମୋଟ ୨୫ ଜଣ ପାକିସ୍ତାନୀ ସାମରିକ କର୍ମଚାରୀ ନିହତ ହୋଇଥିବା ଏବଂ ୩ଟି ସାମରିକ ଯାନ ଧ୍ୱଂସ ହୋଇଥିବା BLA ଦାବି କରିଛି।

ପ୍ରଥମେ ଜିଆରତ କ୍ରସ୍ ଅଞ୍ଚଳରେ ଏକ ପାକିସ୍ତାନୀ ସାମରିକ କନଭୟ ଉପରେ ଆକ୍ରମଣ ହୋଇଥିଲା। ଏହି କନଭୟରେ ଥିବା ଚାରିଟି ଯାନକୁ ଟାର୍ଗେଟ୍ କରାଯାଇଥିବା ଏବଂ ସେଥିରୁ ଦୁଇଟି ଯାନ ଧ୍ୱଂସ ହୋଇଥିବା BLA କହିଛି। ଧ୍ୱଂସ ହୋଇଥିବା ଯାନ ମଧ୍ୟରେ ଏକ ସାମରିକ ଟ୍ରକ୍ ଥିବା ଦାବି କରାଯାଇଛି।

BLA ପ୍ରଥମେ ଏହି ଆକ୍ରମଣରେ ୧୮ ଜଣ ସାମରିକ କର୍ମଚାରୀ ନିହତ ହୋଇଥିବା କହିଥିଲା। ପରେ ସୁରାବର ହାଜିକା ଅଞ୍ଚଳରେ ଆଉ ଗୋଟିଏ ଆକ୍ରମଣ ହୋଇଥିଲା। ଦୁଇଟି ଆକ୍ରମଣରେ ମୋଟ ୨୫ ଜଣ ନିହତ ହୋଇଥିବା ଦାବି କରିଛି। ଆକ୍ରମଣ ସ୍ଥଳରୁ କିଛି ଅସ୍ତ୍ର ଜବତ କରାଯାଇଥିବା ମଧ୍ୟ BLA କହିଛି।

ବଲୋଚ ଲିବରେସନ ଆର୍ମି ଓ ପାକିସ୍ତାନ ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ସାମରିକ କନଭୟ, ରାସ୍ତା ଏବଂ ଚୀନ୍ ସମ୍ପୃକ୍ତ ଅର୍ଥନୈତିକ ପ୍ରକଳ୍ପଗୁଡ଼ିକୁ ନେଇ ଏହି ଅଞ୍ଚଳରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଚଳିତ ବର୍ଷ ମେ’ରେ ମଧ୍ୟ ବଲୋଚିସ୍ତାନରେ ଏକ ଟ୍ରେନ୍ ଉପରେ ଆକ୍ରମଣରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ରିପୋର୍ଟ ଆସିଥିଲା।