ଅମ୍ବାଦଳା ମାଟିର ପୁଅ ବିନୋଦଙ୍କୁ ତୃତୀୟ ଥର ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’
ଲଗାତାର ୩ ବର୍ଷ ରାଜ୍ୟସ୍ତରୀୟ ସଫଳତା; ଶିକ୍ଷାଦାନରେ ନୂଆ କୀର୍ତ୍ତିମାନ
ଅମ୍ବାଦଳା, ୦୪/୦୯(ସୁଦିପ କୁମାର ମିଶ୍ର): ଅମ୍ବାଦଳା ମାଟିର ଯୋଗ୍ୟ ସନ୍ତାନ ତଥା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଞ୍ଜିଗଡ଼ର ସାମାଜିକ ବିଜ୍ଞାନ ଶିକ୍ଷକ ଶ୍ରୀ ବିନୋଦ ବାଥ୍ରା ପୁଣି ଥରେ ରାଜ୍ୟସ୍ତରରେ ସୁନାମ ଅର୍ଜନ କରିଛନ୍ତି। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ତାଙ୍କୁ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ରେ ଶ୍ରେଷ୍ଠ ଶିକ୍ଷକ ଭାବେ ମନୋନୀତ କରାଯାଇଛି।
ବିନୋଦଙ୍କ ଏହି ସଫଳତା ଅମ୍ବାଦଳା ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କ ନିଷ୍ଠା ଓ ଅବଦାନର ଏହା ଏକ ବଡ଼ ସ୍ୱୀକୃତି ବୋଲି ମତ ପ୍ରକାଶ ପାଇଛି।
ଗରିବ ପରିବାରରେ ପିତା ଦାରୁ ବ୍ରହ୍ମ ଓ ମା’ ମୁଁଗୁନି ବାଥ୍ରାଙ୍କ ପୁଅ ବିନୋଦ ନିଜ ଅଧ୍ୟବସାୟ ଓ ଶିକ୍ଷାଦାନରେ ଆଜି ରାଜ୍ୟସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ଶ୍ରେଷ୍ଠ ୧୦ ଜଣ ଶିକ୍ଷକଙ୍କ ମଧ୍ୟରେ ସେ ଷଷ୍ଠ ସ୍ଥାନ ହାସଲ କରିଥିଲେ। ଏହାପରେ ୨୦୨୪-୨୫ ଶିକ୍ଷାବର୍ଷରେ ନିଜର ଉତ୍କୃଷ୍ଟ ଶିକ୍ଷାଦାନ ଓ ଅବଦାନ ପାଇଁ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରି ସର୍ବଶ୍ରେଷ୍ଠ ସାମାଜିକ ବିଜ୍ଞାନ ଶିକ୍ଷକ ଭାବେ ସମ୍ମାନିତ ହୋଇଥିଲେ।
ବର୍ତ୍ତମାନ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପୁଣି ଥରେ ଏହି ପୁରସ୍କାର ଲାଗି ମନୋନୀତ ହୋଇ ସେ ଲଗାତାର ତୃତୀୟ ଥର ରାଜ୍ୟସ୍ତରୀୟ ସମ୍ମାନ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ଏକ ବିଦ୍ୟାଳୟର ଜଣେ ଶିକ୍ଷକ ନିଜ ବିଷୟରେ ଲଗାତାର ତିନି ବର୍ଷ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ମନୋନୀତ ହେବା ଏକ ବିରଳ ସଫଳତା ବୋଲି ଚର୍ଚ୍ଚା ହେଉଛି।
ଆସନ୍ତା ଭୁବନେଶ୍ୱର ଲୋକସେବା ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ବାଥ୍ରାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ।
ବିନୋଦଙ୍କ ଏହି ସଫଳତା ପରେ ଅମ୍ବାଦଳା ଅଞ୍ଚଳବାସୀଙ୍କ ସମେତ ଲାଞ୍ଜିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ବୁଦ୍ଧିଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି। ଜଣେ ସାଧାରଣ ପରିବାରରୁ ଆସି ନିଜ ପ୍ରତିଭା ଓ ନିଷ୍ଠା ବଳରେ ରାଜ୍ୟସ୍ତରରେ ଲଗାତାର ସଫଳତା ହାସଲ କରିଥିବା ବିନୋଦ ଯୁବପିଢ଼ି ପାଇଁ ଏକ ପ୍ରେରଣା ପାଲଟିଛନ୍ତି।