ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ରାଧା-କୃଷ୍ଣ ବେଶରେ ଶିଶୁଙ୍କ ମଧ୍ୟରେ ଭକ୍ତି ଓ ସନାତନ ସଂସ୍କୃତିର ଝଲକ

ରାଧା-କୃଷ୍ଣ ବେଶ ପ୍ରତିଯୋଗିତାରେ ବରିଷ୍ଠ ନେତା ଗୋଲକ ମହାପାତ୍ର

ଭୁବନେଶ୍ୱର, ୦୪/୦୯: ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟଦେବ ବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର ଭକ୍ତି, ଆନନ୍ଦ ଓ ସାଂସ୍କୃତିକ ଉତ୍ସାହରେ ଭରିଉଠିଥିଲା। ଏହି ଅବସରରେ ଆୟୋଜିତ ଛାତ୍ରଛାତ୍ରୀଙ୍କ ରାଧା-କୃଷ୍ଣ ବେଶ ପ୍ରତିଯୋଗିତାରେ ବିଜେପିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର ଯୋଗଦେଇ କୁନି କୁନି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ।

ପୁରାଣ ବର୍ଣ୍ଣନା ଅନୁସାରେ, ଅଧର୍ମର ବିନାଶ ଓ ଧର୍ମର ସଂସ୍ଥାପନା ପାଇଁ ଭଗବାନ ବିଷ୍ଣୁ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ରୂପରେ ଅବତାର ଗ୍ରହଣ କରିଥିଲେ। ମଥୁରାର କାରାଗାରରେ ଦେବକୀଙ୍କ ଗର୍ଭରୁ ଜନ୍ମ ନେଇ ନନ୍ଦ-ଯଶୋଦାଙ୍କ ସ୍ନେହରେ ବୃନ୍ଦାବନରେ ବାଲ୍ୟଲୀଳା କରିଥିବା ଶ୍ରୀକୃଷ୍ଣଙ୍କ ଜୀବନ ଧର୍ମ, ସତ୍ୟ, ନ୍ୟାୟ, କର୍ତ୍ତବ୍ୟ ଓ ନୀତିର ଏକ ଅମର ବାର୍ତ୍ତା ବହନ କରେ।

“ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ…”—ଭଗବଦ୍‌ଗୀତାର ଏହି ମହାନ ବାଣୀ ଯୁଗେ ଯୁଗେ ମାନବ ସମାଜକୁ ଧର୍ମ, ସତ୍ୟ ଓ ନ୍ୟାୟର ପଥରେ ଆଗେଇ ଯିବାକୁ ପ୍ରେରଣା ଦେଇଆସିଛି। ଶ୍ରୀକୃଷ୍ଣଙ୍କ ଜୀବନାଦର୍ଶ ଶିଶୁମାନଙ୍କ ମନରେ ସତ୍ୟନିଷ୍ଠା, ନ୍ୟାୟବୋଧ, କର୍ତ୍ତବ୍ୟପରାୟଣତା ଓ ମାନବିକ ମୂଲ୍ୟବୋଧ ଜାଗ୍ରତ କରିବାର ଏକ ଅମୂଲ୍ୟ ମାଧ୍ୟମ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ।

କୁନି କୁନି ପିଲାମାନେ ଶ୍ରୀକୃଷ୍ଣଙ୍କ ମନୋହର ବେଶରେ ସଜ୍ଜିତ ହୋଇ ସମ୍ମୁଖରେ ଉପସ୍ଥିତ ହେବା ସମୟରେ ସେମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାର ଦିବ୍ୟ ଝଲକ ଅନୁଭୂତ ହୋଇଥିଲା। କୁନି କୁନି କୃଷ୍ଣ ଓ ରାଧାଙ୍କ ମନୋହର ବେଶ ଓ ନିର୍ମଳ ହସ ସମସ୍ତଙ୍କ ମନ ମୋହିନେଇଥିଲା। ଏହି ଦୃଶ୍ୟ ବିଦ୍ୟାଳୟ ପରିସରକୁ ଭକ୍ତି, ଶ୍ରଦ୍ଧା ଓ ଆନନ୍ଦର ଏକ ଅପୂର୍ବ ପରିବେଶରେ ପରିଣତ କରିଥିଲା।

ରାଧା ଓ କୃଷ୍ଣଙ୍କ ମନୋହର ବେଶରେ ସଜ୍ଜିତ ଶିଶୁମାନଙ୍କ ଅପୂର୍ବ ରୂପସଜ୍ଜା, ନିର୍ମଳ ହସ ଓ ଉତ୍ସାହରେ ବିଦ୍ୟାଳୟ ପରିସର ମୁଖରିତ ହୋଇଉଠିଥିଲା। ଶିଶୁମାନଙ୍କ ମନରେ ଭାରତୀୟ ସଂସ୍କୃତି, ସନାତନ ପରମ୍ପରା ଓ ଆମ ମହାନ ଆଧ୍ୟାତ୍ମିକ ଐତିହ୍ୟ ପ୍ରତି ଶ୍ରଦ୍ଧା ଓ ଗର୍ବ ସୃଷ୍ଟି କରିବା ଦିଗରେ ବିଦ୍ୟାଳୟର ଏହି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ରାଧା-କୃଷ୍ଣ ବେଶ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ଗୋଲକ ମହାପାତ୍ର ପୁରସ୍କୃତ କରିବା ସହ ସମସ୍ତ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ସୁସ୍ଥ ଓ ସଫଳ ଜୀବନ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଶ୍ରୀ ବାଣୀବ୍ରତ ତ୍ରିପାଠୀ, ବିଶିଷ୍ଟ ସମାଜସେବୀ ଶ୍ରୀ ଅନଙ୍ଗ ବିକ୍ରମ ବିଶ୍ୱାଳ, ଶ୍ରୀ ଜମ୍ବେଶ୍ୱର ବିଶ୍ୱାଳଙ୍କ ସମେତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।