ବିକାଶର ନଗ୍ନ ଚିତ୍ର! ଆମ୍ବୁଲାନ୍ସ ପାଖକୁ ଗର୍ଭବତୀଙ୍କୁ ୫ କିମି ବୋହିଲେ ପରିବାର

ଶେଷରେ ମୃତ ସନ୍ତାନ ପ୍ରସବ

ରାୟଗଡା, ୨୭/୧୦(ଦକ୍ଷ ବାଥ୍ରା): ଖଣିଜ ସମ୍ପଦ ଭରା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ରାସ୍ତାଘାଟ ସୁବିଧା ନ ଥିବା ଘାଟିପାହାଡ଼ ଅଞ୍ଚଳରେ ଜନନୀ ଯନ୍ତ୍ରଣା ବଢ଼ି ଚାଲିଛି। ଗତକାଲି ସିଜିମାଳି ଅଞ୍ଚଳରେ ଥିବା ମାଳିପଦର ଗ୍ରାମର ଜଣେ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଭାରରେ ପାଞ୍ଚ କିଲୋମିଟର ବାଟବୋହି ନେବାର କରୁଣ ଦୃଶ୍ୟ ପଦାକୁ ଆସିଛି। ଡାକ୍ତରଖାନାକୁ ନେବା ପରେ ମହିଳା ଜଣକ ମୃତ ସନ୍ତାନକୁ ଜନ୍ମ ଦେଇଛନ୍ତି। ସ୍ଥାନୀୟ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ମାଳି ପଦର ଗ୍ରାମର ଅର୍ଜ୍ଜୁନମାଝୀଙ୍କପତ୍ନୀସୁକୁ ମାଝୀ(୩୫) ଗତକାଲି ଗର୍ଭ ଯନ୍ତ୍ରଣା ହୋଇଥିଲା। ଖବର ପାଇ ଆଶାକର୍ମୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ମାଳି ପଦର ଗାଁକୁ ରାସ୍ତା ନ ଥିବାରୁ ଆଲିଗୁନା ଗ୍ରାମ ନିକଟରେ ଆମ୍ବୁଲାନ୍ସ ଅଟକି ରହିଥିଲା।ପରିବାର ଲୋକେ ପାହାଡ଼ ଅଞ୍ଚଳରେ ଥିବା ଗ୍ରାମରୁ ଗର୍ଭବତୀକୁ ଚାଦରରେ ଜାକଜୁକ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇଥିଲେ। ଏଥିରେ ଆମ୍ବୁଲାନ୍ସ ଡ୍ରାଇଭର ଦୀପକ ଗୋପାଳ ସହଯୋଗ କରିଥିଲେ। ନିକଟସ୍ଥ ସୁଙ୍ଗେର ପିଏଚସିରେ ଡାକ୍ତର ନ ଥିବାରୁ କାଶୀପୁର ସିଏଚସିରେ ନିଆଯାଇଥିଲା। କିନ୍ତୁ ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ରାୟଗଡା ଡାକ୍ତର ଖାନାରେ ମହିଳା ଜଣକ ମୃତ ସନ୍ତାନକୁ ଜନ୍ମ ଦେଇଥିବାର ଜଣାଯାଇଛି।