ଅଶାନ୍ତ ଭୁବନେଶ୍ୱର: ଦୀପାବଳୀ ପୂର୍ବରୁ ରାଜଧାନୀରେ ଡବଲ ମର୍ଡ଼ର
ପଏଣ୍ଟ ବ୍ଲାଙ୍କରୁ ମୁଣ୍ଡକୁ ଗୁଳି, ପଥରରେ ଛେଚି ବିଭତ୍ସ ହତ୍ୟା
ଭୁବନେଶ୍ୱର, ୦୭/୧୧: ରାଜଧାନୀ ଭୁବନେଶ୍ୱରରେ ଥମୁନି ଗୁଳିକାଣ୍ଡ। ଦୀପାବଳି ପୂର୍ବରୁ ପୁଣି ଅଶାନ୍ତ ହୋଇପଡିଛି ରାଜଧାନୀ ଭୁବନେଶ୍ବର। ଗୋଟିଏ ଦିନରେ ଦୁଇ ଦୁଇଟି ମର୍ଡ଼ର। ଜଣଙ୍କୁ ବ୍ଲାଙ୍କ ପଏଣ୍ଟରେ ଜଣଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଆଉ ଜଣଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା କରାଯାଇଛି।
ଶିଶୁପାଳଗଡ଼ରେ ଗୁଳିମାଡ଼ ଘଟଣାର ଦିନକ ପରେ ଶୁକ୍ରବାର ପୁଣି ଘଟିଛି ଆଉ ଏକ ଗୁଳିକାଣ୍ଡ। ବମିଖାଲ ଓଭରବ୍ରିଜ୍ ଉପରେ ଜଣେ ଯୁବକଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ହଳଦୀପଡ଼ିଆ ବସ୍ତିର ସୋନୁ ନାୟକ। ଏହି ଘଟଣା ପରେ ରାଜଧାନୀର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପୁଣି ପ୍ରଶ୍ନ ଉଠିଛି।
ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ସମୟରେ ସୋନୁ ତାଙ୍କର ଚାରିଜଣ ସାଙ୍ଗଙ୍କ ସହ ଗାଡ଼ିରେ ତେଲ ପକାଇବା ପାଇଁ ରସୁଲଗଡ଼ ପେଟ୍ରୋଲ ପମ୍ପକୁ ଯାଉଥିଲେ। ଏହି ସମୟରେ ବମିଖାଲ ଓଭରବ୍ରିଜ୍ ଉପରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ଏହାପରେ ସୋନୁଙ୍କ ମୁଣ୍ଡକୁ ଅତି ନିକଟରୁ ଗୁଳି ମାରିଥିଲେ। ଗୁଳିମାଡ଼ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଥିଲେ।
ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ପୁଲିସ କମିଶନର ଓ ଡିସିପି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତର ସମୀକ୍ଷା କରିଛନ୍ତି।
ଅନ୍ୟପଟେ ସହିଦନଗର ଥାନା ଅଧୀନ ଭିଏସଏ ନଗରର ତାରିଣୀ ବସ୍ତିରେ ଘଟିଛି ଅତ୍ୟନ୍ତ ବିଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ମୃତଦେହକୁ ରେଳ ଲାଇନ୍ କଡ଼ରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମୃତକ ଓ ଅଭିଯୁକ୍ତ ସମ୍ପର୍କରେ ଶଳା ଓ ଭିଣୋଇ ହେବେ। ଶଳାର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା ଭିଣୋଇ। ଘରେ ହତ୍ୟା ପରେ ଘୋଷାଡ଼ି ଘୋଷାଡ଼ି ନେଇ ମୃତଦେହକୁ ଟ୍ରେନ୍ ଲାଇନ୍ କଡ଼ରେ ଫିଙ୍ଗିଦେଇଥିଲା। ଆଜି ସକାଳେ ଅଭିଯୁକ୍ତ ଭିଣୋଇକୁ ଗିରଫ କରିଛି ପୋଲିସ।
ତେବେ ଆସନ୍ତାକାଲି ଦୀପାବଳୀ ଥିବା ବେଳେ ଉତ୍ସବମୁଖର ଅଛି ସାରା ରାଜ୍ୟ। ହେଲେ, ଏହା ପୂର୍ବରୁ ଅଶାନ୍ତ ହୋଇପଡିଛି ରାଜଧାନୀ। ଗୋଟିଏ ଦିନରେ ଗଡିଛି ଦୁଇଟି ମୁଣ୍ଡ। ଯାହା ପରେ ଆଇନଶୃଙ୍ଖଳା ପରିସ୍ଥିତି ମୁକାବିଲା କରିବା କମିଶନରେଟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି।