ଭୁବନେଶ୍ୱର, ୦୬/୧୧: ଆଗାମୀ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଓ କଟକ ମହାନଗର ନିଗମ (ସିଏମ୍ସି) ଅଞ୍ଚଳରେ ଚାଲିଥିବା ଘରକୁ ଘର ସର୍ଭେ (Door-to-Door Survey) କାର୍ଯ୍ୟର ଅବଧିକୁ ଆଉ ୧୫ ଦିନ ବୃଦ୍ଧି କରାଯାଇଛି। ଏହି ସର୍ଭେ କାର୍ଯ୍ୟ ପୂର୍ବରୁ ନଭେମ୍ବର ୭ ତାରିଖରେ ଶେଷ ହେବାକୁ ଥିବାବେଳେ, ଏବେ ଏହାକୁ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନଭେମ୍ବର ୬ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉଭୟ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଅନୁରୋଧକୁ ବିଚାର କରି ମାନ୍ୟବର ରାଜ୍ୟ ନିର୍ବାଚନ ଆୟୋଗ ଏହି ଅବଧି ବୃଦ୍ଧିକୁ ଅନୁମୋଦନ କରିଛନ୍ତି।
ବର୍ଦ୍ଧିତ ସମୟସୀମା ମଧ୍ୟରେ ଘରକୁ ଘର ସର୍ଭେ କାର୍ଯ୍ୟକୁ ସଠିକ୍ ଭାବେ ସମ୍ପନ୍ନ କରିବା ସହ ଏହାର ନିୟମିତ ତଦାରଖ ଓ ତଦନୁଯାୟୀ ଆବଶ୍ୟକୀୟ ମନିଟରିଂ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଉଭୟ ମହାନଗର ନିଗମର କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଧାର୍ଯ୍ୟ ବର୍ଦ୍ଧିତ ସମୟସୀମା ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରିବା ସହ ଏଥିରେ ଯେପରି ଆଉ କୌଣସି ବିଳମ୍ବ ନହୁଏ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଆୟୋଗଙ୍କ ପକ୍ଷରୁ କୁହାଯାଇଛି।