ବିଭିନ୍ନ ରାସ୍ତା, ସେତୁ ଓ କୋଠାବାଡ଼ି ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ରାସ୍ତା ନିର୍ମାଣ କ୍ଷେତ୍ରରେ ବିଶେଷଜ୍ଞଙ୍କୁ ନେଇ ହେବ ସର୍ବଭାରତୀୟ ସମ୍ମିଳନୀ

ଭୁବନେଶ୍ୱର, ୧୦/୧୧: ଆଧୁନିକ ଯନ୍ତ୍ରପାତି ଓ ନୂତନ ଜ୍ଞାନକୌଶଳ ବ୍ୟବହାରକୁ ପ୍ରୋତ୍ସାହନ ଦେଇ ରାଜ୍ୟ ଏବେ ଆଗକୁ ବଢ଼ିବା ଆରମ୍ଭ କରିଛି । ନିକଟରେ ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଅଞ୍ଚଳରେ ରାସ୍ତା ଓ ସେତୁର କ୍ଷୟକ୍ଷତିକୁ ମାତ୍ର ୭୨ ଘଣ୍ଟା ମଧ୍ୟରେ ଗମନାଗମନଯୋଗ୍ୟ କରିବାରେ ପୂର୍ତ୍ତ ବିଭାଗର ଇଂଜିନିୟର ଓ ଅଧିକାରୀମାନେ ସଫଳ ହୋଇଛନ୍ତି, ଯାହା ସରକାରଙ୍କ ପାଇଁ ବଡ଼ ଉପଲବ୍ଧି । ଏହି ଉପଲବ୍ଧି ଆଧାରରେ ରାଜ୍ୟରେ ଚାଲୁଥିବା ରାସ୍ତା, ସେତୁ ଏବଂ କୋଠାବାଡ଼ି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ ଅଧିକାରୀ ଏବଂ ଇଂଜିନିୟରମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜ୍ୟରେ ଚାଲୁଥିବା ୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୦ଟି କୋଠାବାଡ଼ି ପ୍ରକଳ୍ପ, ୧୨ଟି ରାସ୍ତା ପ୍ରକଳ୍ପ, ୧୧ଟି ସେତୁ ପ୍ରକଳ୍ପ ସହ ଅନ୍ୟାନ୍ୟ ୨୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିଥିଲେ ।

ବୈଠକରେ ପ୍ରକଳ୍ପଗୁଡ଼ିକର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଜମି ଅଧିଗ୍ରହଣ, ୟୁଟିଲିଟି ସିଫଟିଂ , ଜଙ୍ଗଲ ଜମି ଆଦି ସମସ୍ୟାର ସମାଧାନ ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର ପରିସମାପ୍ତି ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲା ।

ସେହିପରି ବୈଠକରେ ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ବିଭିନ୍ନ ପ୍ରକ୍ରିୟାଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ସହ ୱାମିସ୍‌ ସଫଫେୱୟାର ଉପଯୋଗ କରିବା ନେଇ ପରାମର୍ଶ ଦେଇଥିଲେ ।

ଆଜିର ବୈଠକରେ ଉଚ୍ଚ ନ୍ୟାୟାଳୟର କର୍ମଚାରୀଙ୍କ ଲାଗି ନିର୍ମାଣାଧୀନ ଆବାସିକ ପ୍ରକଳ୍ପ, ଆଡ୍‌ଭୋକେଟ୍‌ ଜେନେରାଲଙ୍କ ନୂତନ କାର୍ଯ୍ୟାଳୟ କୋଠା ନିର୍ମାଣ, ଯାଜପୁର ପ୍ରଶାସନିକ ଭବନ, କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ନୂତନ କୋଠା ନିର୍ମାଣ, ନୂଆଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ ପ୍ରକଳ୍ପ, ରାଜଭବନର ନୂତନ ଆବାସିକ ପ୍ରକଳ୍ପ ନିର୍ମାଣ, ଗୋପବନ୍ଧୁ ଏକାଡେମୀରେ ନୂତନ ହଷ୍ଟେଲ ଓ ଆବାସିକ କୋଠା ନିର୍ମାଣ, ମୟୂରଭଞ୍ଜର ଆୟୁର୍ବେଦିକ୍‌ ମେଡ଼ିକାଲ କଲେଜ ନିର୍ମାଣ, ନୂଆ ବୟନିକା ଭବନ, ଢେଙ୍କାନାଳ, ଭଦ୍ରକ ଓ ଜଗତସିଂହପୁର ମେଡ଼ିକାଲ କଲେଜ ନିର୍ମାଣ ପ୍ରକଳ୍ପ ସହ ବ୍ରାହ୍ମଣୀ ନଦୀରେ ତାଳଚେରଠାରେ ହାଇଲେବୁଲ୍‌ ସେତୁ, ମହାନଦୀର ସାଲେପୁରଠାରେ ହାଇଲେବୁଲ୍‌ ସେତୁ, ସୁବର୍ଣ୍ଣରେଖା ନଦୀରେ ଜଳେଶ୍ୱରଠାରେ ହାଇଲେବୁଲ୍‌ ସେତୁ ସହ ବ୍ରହ୍ମପୁର ରିଂ-ରୋଡ଼୍‌, କଟକ ରିଂ-ରୋଡ୍‌ ଠାରେ ୬ ଲେନ୍‌ବିଶିଷ୍ଟ ରାସ୍ତା ନିର୍ମାଣର ଅଗ୍ରଗତି ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ମାର୍ଶାଘାଇ-ଜମ୍ବୋ ରାସ୍ତାର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା । ଏଥି ସହ ଓବିସିସି ଅଧୀନରେ ଥିବା ଏସ୍‌ସିବି କ୍ଲିନିକାଲ ଓ ରେସିଡେନ୍‌ସିଆଲ ବିଲ୍‌ଡିଂ, ରେଭେନ୍ସା କଲିଜିଏଟ୍‌ ସ୍କୁଲ ବିଲ୍‌ଡିଂ, ବିଧାୟକ କଲୋନୀ, ଜିଏ କ୍ୱାଟରସ୍‌, ଜୟଦେବ ବିହାର-ନନ୍ଦନକାନନ ରାସ୍ତା, ପୁରୀର ଜଗନ୍ନାଥ ବଲ୍ଲଭ ପାର୍କିଂ, ସମଙ୍ଗ ପାର୍କିଂ, ଦିଗବାରେଣୀଠାରେ ବହୁତଳ କାର୍‌ ପାର୍କିଂ, କାଠଯୋଡ଼ି ନଦୀ ଉପରେ ଦ୍ୱିତୀୟ ହାଇଲେବୁଲ୍‌ ସେତୁ, ମହିମା ଗାଦିର ଉନ୍ନତିକରଣ, ମା ସାରଳା ମନ୍ଦିରର ଉନ୍ନତିକରଣ, ଯାଜପୁରଠାରେ ଷ୍ଟାଡିୟମ୍‌ ଓ ସ୍ପୋଟର୍ସ ଏକାଡେମୀ ନିର୍ମାଣ, ରାଉରକେଲା ଠାରେ ବ୍ରାହ୍ମଣୀ ନଦୀରେ ନୂତନ ସେତୁ ନିର୍ମାଣ, ବେଦବ୍ୟାସ ମନ୍ଦିର ନିକଟ ନଦୀ କୂଳର ସୌନ୍ଦର୍ଯ୍ୟକରଣ, ମା’ ତାରିଣୀ ମନ୍ଦିରର ଉନ୍ନତି କରଣ, କେଉଁଝର ଆନନ୍ଦପୁର ଠାରେ ବୈତରଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକରେ ଓଙ୍ଗ ନଦୀରେ ହାଇ ଲେବୁଲ ସେତୁ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମୀକ୍ଷା କରିଥିଲେ ।

ବୈଠକ ପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟର ରୋଡ୍‌ ନେଟ୍‌ୱାର୍କକୁ ଅଧିକ ସୁଦୃଢ଼ କରିବା ନେଇ ଖୁବ୍‌ ଶୀଘ୍ର ବିଭିନ୍ନ ବିଶେଷଜ୍ଞ ଓ ବୁଦ୍ଧିଜୀବୀଙ୍କୁ ନେଇ ରାଜ୍ୟରେ ତିନିଦିନିଆ ଚିନ୍ତନ ଶିବିର ଆୟୋଜନ ନେଇ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି କହିଥିଲେ ।

ବୈଠକରେ ଓବିସିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ସ୍ୱତନ୍ତ୍ର ଶାସନ ସଚିବ ତଥା ସର୍ବୋଚ୍ଚ ଯନ୍ତ୍ରୀ ଇଂ ସମୀର ହୋତା, ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍‌ ଓ ରୋଡସ୍‌) ଇଂ ସତ୍ୟବ୍ରତ ବେହେରା, ସର୍ବୋଚ୍ଚ ଯନ୍ତ୍ରୀ ଇଂ ଧ୍ୟାନଚାନ୍ଦ ମହାନ୍ତି, ସର୍ବୋଚ୍ଚ ଯନ୍ତ୍ରୀ (ବିଲ୍‌ଡିଂ) ଇଂ ପ୍ରିୟବ୍ରତ ସାମନ୍ତରାୟ, ଓଏସ୍‌ଡ଼ି ଇଂ ଏଲ୍‌. କେ. ପାଢ଼ୀ, ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତି ରଞ୍ଜନ ସତପଥୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ଦୀପ୍ତିରଞ୍ଜନ ବେହେରା, ମୁଖ୍ୟଯନ୍ତ୍ରୀ ଇଂ ଶିବବ୍ରତ ତରିଆ, ତ୍ରିନାଥ ବେହେରା, ତପନ କୁମାର ବେହେରା ଓ ପ୍ରଭାସ ମାଝୀ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦଙ୍କ ସମେତ ବିଭିନ୍ନ ଜୋନ୍‌ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।