ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ
'ଗତ ଅଢେଇ ବର୍ଷର ଶାସନ ଭିତରେ ଡବଲ ଇଞ୍ଜିନ ସରକାର ତାର ଅପାରଗତା ଓ କୁପରିଚାଳନା ଦ୍ୱାରା ଓଡିଶାବାସୀଙ୍କ ଆଶାକୁ ଧୂଳିସାତ କରିଛି'
ଏମଏମଡିଆର ଆକ୍ଟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନୀରବତା ନିନ୍ଦନୀୟ: ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୧୭/୧୧: ବିଧାନ ସଭାର ଶୀତ ଅଧିବେଶନ ପୂର୍ବରୁ ଆଜି ସନ୍ଧ୍ୟାରେ ଶଙ୍ଖ ଭବନଠାରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବିଜେଡି ବିଧାୟକ ମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ ଡବଲ ଇଞ୍ଜିନ ସରକାରର ଅପାରଗତାର ତୀବ୍ର ସମାଲୋଚନା କରିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ, ସଂପ୍ରତି ଗଞ୍ଜାମର ମନୁଷ୍ୟକୃତ ବନ୍ୟା ଓଡିଶାର ଛବିକୁ ଦେଶ ବିଦେଶରେ ମଳିନ କରିଛି । ଗଞ୍ଜାମରେ ଘଟିଯାଇଥିବା ବିପର୍ଯୟ ରାଜ୍ୟ ସରକାରଙ୍କ ଅପାରଗତାର ସର୍ବୋତ୍କୃଷ୍ଟ ଉଦାହରଣ । ଗଞ୍ଜାମର ଜନସାଧାରଣ ଏବେ ବି ରିଲିଫ ସହାୟତା ପାଇବାରେ ହଇରାଣ ହେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ଗଞ୍ଜାମର ବନ୍ୟା କ୍ଷୟକ୍ଷତି ତାଙ୍କୁ ବ୍ୟଥୀତ କରିଛି ବୋଲି ପ୍ରକାଶ କରି ରାଜ୍ନୈତିକ ବାଛ ବିଚାରରେ ରିଲିଫ ବଣ୍ଟନକୁ ସେ ନିନ୍ଦା କରିଥିଲେ । ସେହିପରି MMDR Act ସଂଶୋଧନ ଦ୍ୱାରା ଓଡିଶାର ବିପୁଳ କ୍ଷତି ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ଏହି କଳା ଆଇନକୁ ବିଜେଡିର ବିରୋଧ ଜାରୀ ରହିବ ।
କୋଟିଆ ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଉଭୟ ଆନ୍ଧ୍ର ଓ ଓଡିଶାରେ NDA ର ସରକାର ଥିବା ବେଳେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଘଟଣାକୁ ଜଟିଳ କରି ଦେଉଛି । ଓଡିଶାର ଅଖଣ୍ଡତାର ସୁରକ୍ଷା ପାଇଁ ବିଜେଡି ତାର ଲଢେଇ ଜାରୀ ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଚାଷୀଙ୍କ ସମସ୍ୟା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଦାୟୀତ୍ୱ ନେବା ଠାରୁ ଚାଷ ଓ ଚାଷୀ ଉଭୟ ଅବହେଳିତ ହୋଇ ଆସୁଛନ୍ତି । ମଣ୍ଡି ଠିକ୍ ସମୟରେ ଖୋଲୁନି । ଧାନ ସଂଗ୍ରହ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । Food Corporation of India ଓଡିଶାରୁ ଧାନ ଉଠାଉ ନାହିଁ । ଏ ସବୁ ସମସ୍ୟା ଦ୍ୱାରା ଚାଷୀର ସମସ୍ୟା ଦିନକୁ ଦିନ ଜଟିଳ ହୋଇଯାଉଛି । ତେଣୁ ବିଜେଡି ଚାଷୀର କଲ୍ୟାଣ ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ ।
ଛାତ୍ର ସଂସଦ ନିର୍ବାଚନରେ ସରକାରଙ୍କର ଅର୍ଥ ବଳ ଓ ବାହୁ ବଳ ଏବଂ ସରକାରୀ ହସ୍ତକ୍ଷେପ ସତ୍ତ୍ୱେ ଓଡିଶାର ଜେନ୍-ଜି ବିଜୁ ଜନତା ଦଳ ସହିତ ରହିଥିବାରୁ ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ସରକାରଙ୍କ ଉଦ୍ୟମର ତୀବ୍ର ନିନ୍ଦା କରିଥିଲେ ।
ସେହିପରି ବରିଷ୍ଠ ନାଗରିକ ମାନଙ୍କର ସାମାଜିକ ସୁରକ୍ଷା ପେନ୍ସନ କ୍ଷେତ୍ରରେ ସରକାର ଟାଳଟୁଳ ନୀତି ଯୋଗୁଁ ବୁଢା ବୁଢୀମାନେ ବିଭିନ୍ନ ସ୍ଥାନରେ ଆତ୍ମହତ୍ୟା କରୁଥିବା ଖବରରେ ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ ।
ଅନ୍ୟାନ୍ୟ ବିଷୟ ମଧ୍ୟରେ ଓଡିଶାରେ ଅତ୍ୟାବଶ୍ୟକୀୟ ଜିନିଷପତ୍ର ଓ ପରିବା ପତ୍ରର ଅସ୍ୱାଭାଭିକ ଦର ବୃଦ୍ଧି ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ପ୍ରସଙ୍ଗ ଗୃହରେ ବିଜେଡି ଉଠାଇବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ ।