ନଦୀବନ୍ଧରୁ ଜଳଭଣ୍ଡାର ଯାଏଁ କଡ଼ା ନଜର: ବାତ୍ୟା ମୁକାବିଲା ପାଇଁ ରାଜ୍ୟରେ ପ୍ରସ୍ତୁତି ଜୋରଦାର
ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା: ରାତ୍ରିକାଳୀନ ପାଟ୍ରୋଲିଂ, ଡ୍ରେନେଜ୍ ଅବରୋଧ ଦୂରୀକରଣ, ଜଳଭଣ୍ଡାର ପରିଚାଳନା ଓ ନଦୀବନ୍ଧ ସୁରକ୍ଷା ଉପରେ ଗୁରୁତ୍ୱ
ବାତ୍ୟା ‘ଅକଭାନ୍’ ପୂର୍ବରୁ ରାଜ୍ୟବ୍ୟାପୀ ୨୪ ଘଣ୍ଟିଆ ସତର୍କତା ଓ କ୍ଷେତ୍ରସ୍ତରୀୟ ପ୍ରସ୍ତୁତି ସୁଦୃଢ଼
ଭୁବନେଶ୍ୱର, ୧୯/୧୧: ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’ ପରିପ୍ରେକ୍ଷୀରେ ରାଜ୍ୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପର ସମୀକ୍ଷା ନିମନ୍ତେ ସେଚ ସଦନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲ୍ଲୀପ କୁମାର ରାଉତଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ବୈଠକରେ ୨୪ ଘଣ୍ଟିଆ ସତର୍କତା, ରାତ୍ରିକାଳୀନ ପାଟ୍ରୋଲିଂ ଏବଂ ବିପଦସଂକୁଳ ଅଞ୍ଚଳରେ କ୍ଷେତ୍ରସ୍ତରୀୟ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଗାମୀ ଦୁଇ ଦିନ ଓ ରାତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କୁ ସର୍ବାଧିକ ସତର୍କ ରହିବା, ନିୟମିତ ତଦାରଖ ବୃଦ୍ଧି କରିବା ଏବଂ ଯେକୌଣସି ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
କ୍ଷେତ୍ରସ୍ତରରେ ନିୟୋଜିତ ବରିଷ୍ଠ ଯନ୍ତ୍ରୀ ବିଭିନ୍ନ ଅଞ୍ଚଳର ସ୍ଥିତି, ଚାଲୁ ରହିଥିବା ପ୍ରସ୍ତୁତିମୂଳକ କାର୍ଯ୍ୟ ଏବଂ ବିପଦସଂକୁଳ ସ୍ଥାନଗୁଡ଼ିକର ସ୍ଥିତି ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ। ମୁଖ୍ୟାଳୟ ଓ କ୍ଷେତ୍ରୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପୂର୍ବ ବନ୍ୟା ସମୟରେ ଜଳ ନିଷ୍କାସନରେ ବାଧା ସୃଷ୍ଟି କରିଥିବା ଡ୍ରେନେଜ୍ ଚ୍ୟାନେଲ୍ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅବରୋଧ ହଟାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଥିଲା। ପ୍ରବଳ ବର୍ଷା ସମୟରେ ଜଳବନ୍ଦୀ ସମସ୍ୟା ଏଡ଼ାଇବା ପାଇଁ ଜଳ ନିଷ୍କାସନ ପଥରେ ଥିବା ବାଧା ଦୂର କରି ଜଳର ସ୍ୱାଭାବିକ ପ୍ରବାହ ସୁନିଶ୍ଚିତ କରିବାକୁ କ୍ଷେତ୍ରୀୟ ଡିଭିଜନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଜଳଭଣ୍ଡାରଗୁଡ଼ିକର ପରିଚାଳନା ଓ ଜଳ ନିଷ୍କାସନ ସ୍ଥିତି ମଧ୍ୟ ସମୀକ୍ଷା କରାଯାଇଥିଲା। ତଳମୁଣ୍ଡର ସୁରକ୍ଷାକୁ ଗୁରୁତ୍ୱ ଦେଇ ବୈଜ୍ଞାନିକ ଆକଳନ ଓ ସୁପରିକଳ୍ପିତ ପଦ୍ଧତିରେ ଜଳଭଣ୍ଡାରର ଜଳ ପରିଚାଳନା କରିବା ସହ ବନ୍ୟାଜଳ ଧାରଣ ପାଇଁ ଆବଶ୍ୟକ ସ୍ଥାନ ସୃଷ୍ଟି କରିବା ଉପରେ ଆଲୋଚନା ହୋଇଥିଲା। ଏଥିସହ ରାଜ୍ୟର ବିଭିନ୍ନ ନଦୀବନ୍ଧ, ବିଶେଷକରି ନିକଟରେ ପୁନରୁଦ୍ଧାର ଓ ସୁଦୃଢ଼ୀକରଣ ହୋଇଥିବା ନଦୀବନ୍ଧଗୁଡ଼ିକର ସ୍ଥିତି ସମୀକ୍ଷା କରାଯାଇଥିଲା। ଆବଶ୍ୟକସ୍ଥଳେ ତୁରନ୍ତ ମରାମତି ଓ ପ୍ରତିକାରମୂଳକ ପଦକ୍ଷେପ ନେବାକୁ କୁହାଯାଇଥିଲା।
ସାଳନ୍ଦୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଋଷିକୁଲ୍ୟା ଓ ବୈତରଣୀ ନଦୀ ଅବବାହିକାର ସ୍ଥିତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହି ଅଞ୍ଚଳଗୁଡ଼ିକରେ ନଦୀର ଜଳସ୍ତର, ଜଳ ନିଷ୍କାସନ ବ୍ୟବସ୍ଥା ଓ ନଦୀବନ୍ଧ ଉପରେ ନିରନ୍ତର ନଜର ରଖିବା ସହ ଯେକୌଣସି ବିପଦର ଆଗୁଆ ସୂଚନା ତୁରନ୍ତ ପ୍ରଦାନ କରିବାକୁ କ୍ଷେତ୍ରୀୟ ଅଧିକାରୀଙ୍କୁ କୁହାଯାଇଥିଲା।
ବୈଠକର ଶେଷରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସମସ୍ତ ଅଧିକାରୀଙ୍କୁ ପରସ୍ପର ମଧ୍ୟରେ ନିରନ୍ତର ସମନ୍ୱୟ ରଖିବା, କ୍ଷେତ୍ରସ୍ତରରେ ସତର୍କତା ଜାରି ରଖିବା ଏବଂ ଯେକୌଣସି ଆକସ୍ମିକ ପରିସ୍ଥିତିର ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ପ୍ରସ୍ତୁତି ଓ ମୁକାବିଲା କାର୍ଯ୍ୟରେ ମାନବଜୀବନର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ହେବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।