ବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ ଏସିଏସ୍‌ ଶ୍ରୀମତୀ ପାଢୀ

ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ୍ ଅଧିକାରୀଙ୍କୁ ଘନିଷ୍ଠ ସମନ୍ୱୟ ଓ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ବିଭିନ୍ନ ଜିଲ୍ଲାକୁ ୫୯ ଜଣ ଅଧିକାରୀ ଓ କର୍ମଚାରୀ ନିୟୋଜିତ

ଭୁବନେଶ୍ୱର, ୧୯/୧୧: ସମ୍ଭାବ୍ୟ ଭୀଷଣ ବାତ୍ୟା ‘ଅକଭାନ୍’ର ମୁକାବିଲା ପାଇଁ ପ୍ରସ୍ତୁତି ଓ ସମନ୍ୱୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଆଜି ବିପଦସଂକୁଳ ଜିଲ୍ଲାଗୁଡ଼ିକ ପାଇଁ ନିଯୁକ୍ତ ବିଭାଗୀୟ ନୋଡାଲ୍ ଅଧିକାରୀମାନଙ୍କ ସହ ଏକ ବ୍ୟାପକ ସମୀକ୍ଷା ବୈଠକ କରିଛନ୍ତି।

ଏହି ନୋଡାଲ୍ ଅଧିକାରୀମାନଙ୍କ ମଧ୍ୟରେ ବିଭାଗର ବରିଷ୍ଠ ଅଧିକାରୀ, ନଗର ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ସ୍ୱତନ୍ତ୍ର ଶାସନ ସଚିବ ଓ ଅତିରିକ୍ତ ଶାସନ ସଚିବମାନେ ସାମିଲ ଅଛନ୍ତି। ସେମାନଙ୍କୁ ନିର୍ଦ୍ଦିଷ୍ଟ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ, ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା ଏବଂ ଆବଶ୍ୟକ ପଦକ୍ଷେପର ତ୍ୱରିତ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ସେମାନଙ୍କର ଦାୟିତ୍ୱ। ବୈଠକରେ ଶ୍ରୀମତୀ ପାଢ଼ୀ ଜିଲ୍ଲାୱାରୀ ପ୍ରସ୍ତୁତିର ସମୀକ୍ଷା କରିବା ସହ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ମୁକାବିଲା ପାଇଁ ପୌରସଂସ୍ଥାଗୁଡ଼ିକ ନେଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ।

ସକ୍ରିୟ ଓ ସମୟୋଚିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି ଶ୍ରୀମତୀ ପାଢ଼ୀ ସମସ୍ତ ନୋଡାଲ୍ ଅଧିକାରୀଙ୍କୁ ନିଜ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲା ସହ ନିରନ୍ତର ଯୋଗାଯୋଗରେ ରହିବାକୁ ଏବଂ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା ନକରି ଆବଶ୍ୟକ ସମସ୍ତ ଆଗୁଆ ସତର୍କତାମୂଳକ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ କହିଥିଲେ। ଜିଲ୍ଲାପାଳ, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଅନ୍ୟ ସମ୍ପୃକ୍ତ ବିଭାଗ ସହ ନିରନ୍ତର ସମନ୍ୱୟ ରଖିବା, ସୂଚନା ଆଦାନପ୍ରଦାନକୁ ସୁଗମ କରିବା, ତ୍ୱରିତ ନିଷ୍ପତ୍ତି ନେବା ଓ ଆବଶ୍ୟକ ସମ୍ବଳ ମୁତୟନ ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ବାତ୍ୟା ପ୍ରସ୍ତୁତିକୁ ଅଧିକ ଜୋରଦାର କରିବା ପାଇଁ ନଭେମ୍ବର ୧୯ ତାରିଖରେ ୧୪ ଜଣ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି। ଏହା ସହିତ ବିଭିନ୍ନ ପୌରସଂସ୍ଥାରୁ ୪୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଆଜି ଅପରାହ୍ନ ସୁଦ୍ଧା ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ କରିବାକୁ କୁହାଯାଇଛି। ଏଥିରେ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ବରିଷ୍ଠ ସହାୟକ ଓ କନିଷ୍ଠ ସହାୟକମାନେ ଅନ୍ତର୍ଭୁକ୍ତ। ସେମାନେ ଜିଲ୍ଲା ପ୍ରଶାସନକୁ ବାତ୍ୟା ପ୍ରସ୍ତୁତି ଓ ମୁକାବିଲା କାର୍ଯ୍ୟରେ ସହଯୋଗ କରିବେ। ଏହିପରି ମୋଟ ୫୯ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ବିଭିନ୍ନ ଜିଲ୍ଲାରେ ନିୟୋଜିତ କରାଯାଇଛି।

ସମ୍ଭାବ୍ୟ ସହରାଞ୍ଚଳ ଜଳବନ୍ଦୀ ପରିସ୍ଥିତିକୁ ଏଡ଼ାଇବା ପାଇଁ ବର୍ଷାଜଳ ନିଷ୍କାସନ ନାଳ, କଲଭର୍ଟ ଓ ପ୍ରାକୃତିକ ଜଳ ନିଷ୍କାସନ ପଥଗୁଡ଼ିକୁ ତୁରନ୍ତ ସଫା କରିବା ଉପରେ ଏସିଏସ୍‌ ଗୁରୁତ୍ୱ ଦେଇଥିଲେ। ଆବଶ୍ୟକ ସ୍ଥଳେ ତୁରନ୍ତ ମୁତୟନ ପାଇଁ ଜଳ ନିଷ୍କାସନ ପମ୍ପ, ଭାରୀ ଯନ୍ତ୍ରପାତି ଓ ଜରୁରୀକାଳୀନ ପ୍ରତିକ୍ରିୟା ଦଳକୁ ପ୍ରସ୍ତୁତ ରଖିବାକୁ ସେ ପୌରସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।

ଏଥିସହ ପାନୀୟ ଜଳ ଯୋଗାଣ ଅବ୍ୟାହତ ରଖିବା, ବିପଦସଂକୁଳ ନାଗରିକ ଭିତ୍ତିଭୂମି ଓ ହୋର୍ଡିଂଗୁଡ଼ିକୁ ସୁରକ୍ଷିତ କରିବା ଏବଂ ବାତ୍ୟା ଆଶ୍ରୟସ୍ଥଳୀ ସମେତ ଅନ୍ୟ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳୀଗୁଡ଼ିକୁ ଆବଶ୍ୟକ ସାମଗ୍ରୀ ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ ସେ କହିଥିଲେ। ସମସ୍ତ ପୌରସଂସ୍ଥାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରଖିବା ସହ ବାତ୍ୟା ସମୟରେ ନିରନ୍ତର ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

ରାଜ୍ୟ ସରକାରଙ୍କ ଶୂନ୍ୟ ଜୀବନହାନି ଲକ୍ଷ୍ୟ ଏବଂ ଅତ୍ୟାବଶ୍ୟକ ନାଗରିକ ସେବାରେ ବ୍ୟାଘାତକୁ ସର୍ବନିମ୍ନ ରଖିବା ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀମତୀ ପାଢ଼ୀ ସମସ୍ତ ଅଧିକାରୀଙ୍କୁ ବାତ୍ୟା ସମୟରେ ତୁରନ୍ତ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଏବଂ ବାତ୍ୟା ପରେ ଅତ୍ୟାବଶ୍ୟକ ସେବା ଓ ନାଗରିକ ଭିତ୍ତିଭୂମିର ପୁନଃସ୍ଥାପନ କାର୍ଯ୍ୟ ତ୍ୱରିତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ସ୍ତରରେ ଆଗୁଆ ପ୍ରସ୍ତୁତି, ତ୍ୱରିତ ପଦକ୍ଷେପ ଓ ଦୃଢ଼ ସମନ୍ୱୟ ହିଁ ଏହି ପରିସ୍ଥିତିର ସଫଳ ମୁକାବିଲାର ମୁଖ୍ୟ ଆଧାର ବୋଲି ସେ ଉଲ୍ଲେଖ କରିଥିଲେ।