ଜାଡ଼ରେ ଥରୁଛି ଓଡ଼ିଶା

ଭୁବନେଶ୍ବର : ଶନିବାର ଦିନ ପ୍ରବଳ ଜାଡ଼ରେ ସାରା ଓଡ଼ିଶା ଥରିଥିବା ବେଳେ ଆଜିଠାରୁ ଶୀତ କମିବ। ଶନିବାର ଦିନ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୫.୫ ଡିଗ୍ରି ରେକର୍ଡ ହୋଇଥିଲା। ସେହିପରି ସେମିଳିଗୁଡ଼ାରେ ୬.୧ ଡିଗ୍ରି, ଫୁଲବାଣୀରେ ୭.୫ ଡିଗ୍ରି, କିରେଇରେ ୭.୮ ଡିଗ୍ରି, କୋରାପୁଟରେ ୮.୫ ଡିଗ୍ରି, ଦାରିଙ୍ଗାବାଡ଼ିରେ ୯.୫ ଡିଗ୍ରି ଓ ଚିପିଲିମାରେ ୯.୮ ଡିଗ୍ରି ଲେଖାଏ ରାତି ତାପମାତ୍ରା ରେକର୍ଡ ହୋଇଛି।

ଏଥିସହ ଗତକାଲି ରାତିରେ ଭୁବନେଶ୍ବରରେ ମଧ୍ୟ ପ୍ରବଳ ଜାଡ଼ ଅନୁଭୂତ ହୋଇଥିଲା। ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା‌ ୧୨.୪ ଡିଗ୍ରି ଓ କଟକର ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଶନିବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। ଏଥିସହ କାଲି ରାତିରୁ ଧୀରେଧୀରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।