ମହାକାଳପଡ଼ା, ୨୪/୦୬: ବିଜେପି ବୁଥ୍ ସଭାପତିଙ୍କୁ ହତ୍ୟା। ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟାକାଣ୍ଡ। କାଠଫାଳିଆରେ ପିଟିପିଟି ମାରିଦେଲେ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ।
ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବୁଥ ସଭାପତି ତପନ ଦାସଙ୍କୁ କାଠ ଫାଳିଆ ଓ ଇଟାରେ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ଘଟିଛି। ହତ୍ୟା କରିବା ପରେ ଦୁର୍ବୃତ୍ତ ତପନଙ୍କ ମୃତଦେହକୁ ଫିଙ୍ଗି ଚାଲିଯାଇଥିଲା। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।
ମିଳିଥିବା ସୂଚନା ମୁତାବକ, ରାମନଗର ଗାଁର ରବୀନ୍ଦ୍ରନାଥ ମଣ୍ଡଳଙ୍କ ପୁଅ ସଞ୍ଜୟ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଗାଁରେ କିଛିଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ। ଏହି ସମୟରେ ତପନ ଦାସ(୫୦) ସେଠାରେ ପହଞ୍ଚି ସଞ୍ଜୟଙ୍କୁ ଏପରି ନ କରିବାକୁ ବାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୟ ଏକ କାଠ ଫାଳିଆ ଓ ଇଟା ଦ୍ୱାରା ତପନଙ୍କୁ ଆକ୍ରମଣ କରିଥିଲେ। ଫଳରେ ତପନଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ତପନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।