ନୂଆବର୍ଷରେ ଦାମଙ୍କୁ ନବୀନଙ୍କ ଉପହାର

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡ଼ଃ ଦାମୋଦର ରାଉତଙ୍କ ଉପରୁ ଆଜି ବହିଷ୍କାର ଆଦେଶ ହଟିଛି।

ହଟିଲା ବହିଷ୍କାର ଆଦେଶ

ଭୁବନେଶ୍ବର, ୦୧/୦୧/୨୦୨୪: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡ଼ଃ ଦାମୋଦର ରାଉତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷର ପ୍ରଥମ ଉପହାର। ପୂର୍ବରୁ ବିଜୁ ଜନତା ଦଳରୁ ବହିଷ୍କାର ହୋଇଥିବା ଦାମଙ୍କୁ ଆଜି ମିଳିଛି ମୁଖ୍ୟମନ୍ତ୍ରୀଙ୍କ ଭେଟି। ବରିଷ୍ଠ ନେତା ଦାମ ରାଉତଙ୍କ ଉପରୁ ଆଜି ବହିଷ୍କାର ଆଦେଶ ହଟାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।

ଦାମଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ପରେ ଆଜି ତାଙ୍କ ପୁଅ ତଥା ବିଜେଡି ବିଧାୟକ ସମ୍ବିତ ରାଉତରାୟ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସମ୍ବିତ ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବାପା ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବହିଷ୍କାର ଆଦେଶ ପରେ ତାଙ୍କୁ ବହୁତ କଷ୍ଟ ହୋଇଥିଲା ଯାହା ଫଳରେ ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ଏ ନେଇ ସଭାପତିଙ୍କୁ ଜଣାଇବାକୁ ମୋତେ କହିଥିଲେ। ମୁଁ ପ୍ରାୟ ୨ ବର୍ଷ ତଳେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଜଣାଇଥିଲି ଯେ ମୁଖ୍ୟମନ୍ତ୍ରୀଙ୍କ ସହ ଏ ବାବଦରେ କଥା ହେବା ପାଇଁ। ସେ ସମୟ ସୁବିଧା ଦେଖି କଥା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥା ହୋଇନଥିଲି। ବାପା ଏବେ ତାଙ୍କ ଉପରୁ ବହିଷ୍କାର ଆଦେଶ ହଟିବା ନେଇ ଶୁଣିବା ପରେ ନିଶ୍ଚୟ ବହୁତ ଖୁସି ହେବେ।

ଉଲ୍ଲେଖଯୋଗ୍ୟ, ବହୁ ବର୍ଷ ଧରି ବିଜୁ ଜନତା ଦଳ ସହ ଜଡ଼ିତ ଥିଲେ ଦାମ। ୨୦୧୮ ସେପ୍ଟେମ୍ବରରେ ବିଜେଡିରୁ ବହିଷ୍କୃତ ହୋଇଥିଲେ। ବ୍ରାହ୍ମଣ ବିବାଦ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ମନ୍ତ୍ରୀ ପଦରୁ ବିଚ୍ୟୁତ ହେବା ସହ ଦଳରୁ ମଧ୍ୟ ବହିଷ୍କୃତ କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଇଥିଲେ। ଗତ ୨୦୧୯ ନିର୍ବାଚନରେ ବାଲିକୁଦା – ଏରସମାରୁ ବିଜେପି ଟିକେଟରୁ ଲଢିଥିଲେ। କିନ୍ତୁ ନିର୍ବାଚନରେ ହାରି ଯାଇଥିଲେ। ସେହି ୨୦୧୯ରେ ହିଁ ବିଜେପିରୁ ଇସ୍ତଫା ଦେଇଥିଲେ।