ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ପାଇଁ ସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ
ପ୍ରଭାବିତ ଜିଲ୍ଲାଗୁଡିକର ସ୍ୱାସ୍ଥ୍ୟସେବାକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦେଲେ ସ୍ଵାସ୍ଥ୍ୟ ସଚିବ
ଭୁବନେଶ୍ୱର, ୨୬/୧୦: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ସ୍ଵାସ୍ଥ୍ୟ ବିଭାଗର ପ୍ରସ୍ତୁତିକୁ ଆଜି ସ୍ଵାସ୍ଥ୍ୟ ବିଭାଗ ଶାସନ ସଚିବ ତଥା କମିଶନର ଅଶ୍ଵତୀ ଏସ. ସମୀକ୍ଷା କରିଛନ୍ତି । ଏହି ବୈଠକରେ ଶାସନ ସଚିବ ବିଭାଗର ବରିଷ୍ଠ ଅଧିକାରୀ ଓ ଅଭାସି ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାମାନଙ୍କର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଖାରବେଳ ଭବନ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଛନ୍ତି ।
ବୈଠକରେ ସଚିବ ବନ୍ୟା ପ୍ରଭାବିତ ଅଞ୍ଚଳରେ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ସହ ଅତ୍ୟାବଶ୍ୟକ ଔଷଧ ଓ ଚିକିତ୍ସା ସାମଗ୍ରୀ ହାଲୋଜେନ ବଟିକା , ବ୍ଲିଚିଙ୍ଗ ପାଉଡ଼ର ପର୍ଯ୍ୟାପ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପ୍ରଭାବିତ ଓ ଦୁର୍ଗମ ଅଞ୍ଚଳରେ ତ୍ଵରିତ ପ୍ରତିକ୍ରିୟା ଟିମ୍ (RRT) ଓ ମୋବାଇଲ୍ ହେଲ୍ଥ ୟୁନିଟ୍ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହ ଡାଇରିଆ, ହଇଜା, ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ ଜଳବାହିତ ଏବଂ ଭେକ୍ଟରଜନିତ ରୋଗର ନିରନ୍ତର ନଜର ରଖିବା ଓ ଆବଶ୍ୟକ ସ୍ଥଳେ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରିଲିଫ କେନ୍ଦ୍ରଗୁଡ଼ିକରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ପାନୀୟ ଜଳ, ସ୍ୱଚ୍ଛତା ବ୍ୟବସ୍ଥା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଗର୍ଭବତୀ ମହିଳା, ଶିଶୁ, ବୟସ୍କ ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।
ସମୀକ୍ଷା ବୈଠକରେ ବିଭିନ୍ନ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ବନ୍ୟା ପରିସ୍ଥିତି, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏବଂ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସଚିବଙ୍କୁ ଅବଗତ କରାଇଛନ୍ତି । ଅନ୍ୟ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସଚିବ ପରାମର୍ଶ ଦେଇଛନ୍ତି ।
ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଜନସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ, ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସଜାଗ ରହି ଦାୟିତ୍ୱ ସମ୍ପାଦନ କରିବାକୁ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ରାଜ୍ୟ ଏବଂ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ କାର୍ଯକ୍ଷମ କରାଯାଇଛି ।