କଟକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କଟକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଅନେକ ଆହତ ହେବା ସହ ୩ ଜଣଙ୍କର ମୃତ୍ୟୁ ଘଟିଛି।

୩ ମୃତ, ୪୦ ଗୁରୁତର ଆହତ

କଟକ, ୦୨/୦୧/୨୪: କଟକ-ଚାନ୍ଦବାଲି ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ନିଶ୍ଚିନ୍ତକୋଇଲି ନିକଟ କଟାରାପଡ଼ାଠାରେ ମଙ୍ଗଳବାର ଏକ ଦଶ ଚକିଆ ଟ୍ରକ୍ ସହ ଏକ ବସର ମୁହାଁମୁହିଁ ଧକ୍କା ହେବାଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ‘ମନୋରମା’ ନାମକ ଏକ ଘରୋଇ ବସ୍ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲା। ଘନ କୁହୁଡ଼ି ଯୋଗୁଁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ଗାଡ଼ି ଧକ୍କା ଦେଇଥିଲା।

ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଫସି ରହିଥିବା ବସ୍ ଓ ଟ୍ରକ୍ ଚାଳକଙ୍କୁ ଗ୍ୟାସ୍ କଟର ସାହାଯ୍ୟରେ ଉଦ୍ଧାର କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସେମାନଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ କର୍ମଚାରୀ, ପୁଲିସ ଓ ସ୍ଥାନୀୟ ଲୋକେ ବସ୍ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।