ନିର୍ବାଚନ ପୂର୍ବରୁ କଂଗ୍ରେସର ଘର ସଜା

ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ପ୍ରମୁଖ ଟାଣୁଆ ନେତାଙ୍କୁ ଦଳରେ ସାମିଲ କରୁଛି।

ସ୍ଥିତି ସୁଦୃଢ଼ ପାଇଁ ଚାଲିଛି ପ୍ରୟାସ

ଭୁବନେଶ୍ୱର, ୨୩/୦୧/୨୦୨୪: ଓଡ଼ିଶାରେ ଶାସକ ଦଳ ପରେ ଯଦି ପ୍ରମୁଖ ବିରୋଧୀ ଦଳ ଭାବେ ଦେଖାଯାଏ ତାହାଲେ ସେ ହେଉଛି ବିଜେପି। କଂଗ୍ରେସ ରହିଛି ବହୁତ ପଛରେ। କଂଗ୍ରେସର ସ୍ଥିତି ମଜବୁତ ନାହିଁ କହିଲେ ଚଳେ। କିପରି ନିର୍ବାଚନ ପୂର୍ବରୁ ନିଜର ମୂଳଦୂଆ ସୁଦୃଢ଼ କରିବେ ସେ ନେଇ ଚାଲିଛି ସଜବାଜ।

ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର ଏବେ ଚାଲିଛି ଘର ସଜା। ନିର୍ବାଚନ ପୂର୍ବରୁ ଦଳରେ ପୂର୍ବରୁ ଥିବା ଟାଣୁଆ ନେତାଙ୍କୁ ଏବେ ଫେରାଇ ଆଣୁଛି କଂଗ୍ରେସ। ୨୦୨୪ ନିର୍ବାଚନ ଜିତିବାକୁ ଚାଲିଛି ଜୋରଦାର କସରତ। ଗୋଟିଏ ପରେ ଗୋଟିଏ ନେତା ଏବେ ଘରକୁ ବାହୁଡୁଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ଅନ୍ୟ କୌଣସି ଦଳରେ କାଳେ ନିଲମ୍ବିତ ନେତା ମିଶି ଯିବେ ତେଣୁ ତାପୂର୍ବରୁ ହିଁ ଦଳକୁ ଫେରାଇ ଆଣୁଛି କଂଗ୍ରେସ।

ଗତ ଜାନୁଆରୀ ୧୭ରେ କଂଗ୍ରେସ ନେତା ଗିରିଧର ଗମାଙ୍ଗ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପରିବାର ଏବଂ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଥିଲେ। ଆଉ ଆଜି ପୂର୍ବରୁ ନିଲମ୍ବିତ ହୋଇଥିବା ପ୍ରମୁଖ ନେତା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଓ ଜଗତସିଂହପୁର ଜିଲ୍ଲାର କଂଗ୍ରେସ ନେତା ତଥା ସିଏଲପିର ପୂର୍ବତନ ଉପନେତା ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନ ପ୍ରତ୍ୟାହାର କରିଛି କଂଗ୍ରେସ। ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ବହିଷ୍କାରକୁ ମଧ୍ୟ ଦଳ ପ୍ରତ୍ୟାହାର କରିନେଇଛି। ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି।