ଓଡିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଭଣ୍ଡାରେଙ୍କ ପରଲୋକ

୯୫ ବର୍ଷ ବୟସରେ ଓଡିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଘଟିଛି।

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର, ୧୫/୦୬: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ୨୦୦୭ରୁ ୨୦୧୩ ପର୍ଯ୍ୟନ୍ତ ସେ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ଭାବେ ମୁରଲୀଧର ୩ ଥର ୧୯୮୦-୮୨, ୧୯୮୨-୮୮ ଓ ୧୯୮୮-୯୪ ଯାଏଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଥିବା ସହ ଦୁଇ ଥର ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତିତ୍ୱ କରିଥିଲେ ।

ଓଡ଼ିଶାର ବର୍ତ୍ତମାନ ରାଜ୍ୟପାଳ ରଘୁବର ଦାସ ଦୁଃଖ ପ୍ରକାଶ କରିଛନ୍ତି। “ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି” ବୋଲି ରାଜଭବନ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। “ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ରାଜ୍ୟପାଳ ଥିବା ବେଳେ ତାଙ୍କର ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା । ମୁଁ ଭଣ୍ଡାରେଙ୍କ ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାର ଏବଂ ବନ୍ଧୁବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।”