ବିରଳ ରୋଗରେ ପୀଡ଼ିତ ବାଳକଙ୍କୁ ଚିକିତ୍ସା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଟ୍ରମାଟିକ୍ ନ୍ୟୁରୋ ମୋଟର ଡିସଅର୍ଡର ନାମକ ଏକ ବିରଳ ରୋଗରେ ପୀଡ଼ିତ ବାଳକକୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସିଏମ୍ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା

ଭୁବନେଶ୍ବର, ୧୬/୦୬: ଭଦ୍ରକରେ ବିରଳ ରୋଗରେ ପୀଡ଼ିତ ଥିବା ଜଣେ ଅସୁସ୍ଥ ବାଳକକୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଭଦ୍ରକ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତୁରନ୍ତ ୩୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ମାଧପୁର ଗାଁର ବାବୁଲି ଜଣେ ୧୪ ବର୍ଷର ବାଳକ। ସେ ଟ୍ରମାଟିକ୍ ନ୍ୟୁରୋ ମୋଟର ଡିସଅର୍ଡର ନାମକ ଏକ ବିରଳ ପ୍ରକାର ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କ ପିତାମାତା ଚିନ୍ତାମଣି ଓ ଝରଣା ବାରିକ ଆର୍ଥିକ ଅନଗ୍ରସର ଶ୍ରେଣୀର ହୋଇଥିବାରୁ ଚିକିତ୍ସା କରିବା ଅସମ୍ଭବ ହୋଇ ପଡୁଥିଲା। ସୋସିଆଲ ମିଡିଆ ଚ୍ୟାନେଲ ଓ ଅନ୍ୟାନ୍ୟ ଗଣମାଧ୍ୟମ ସୂତ୍ରରୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପିଲାଟିର ପରୀକ୍ଷା ପାଇଁ ମାଧପୁର ଗାଁରେ ଥିବା ତାଙ୍କ ଘରକୁ ଏକ ଡାକ୍ତରୀ ଟିମ୍ ପଠାଯାଇଥିଲା। ଯାଞ୍ଚ ପରେ ପିଲାଟିକୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଭବିଷ୍ୟତରେ ଅନ୍ୟାନ୍ୟ ସାହାଯ୍ୟ ଆବଶ୍ୟକ ହେଲେ, ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସିଏମ୍ଓ ପକ୍ଷରୁ ସୂଚନା ଦିଆଯାଇଛି।