ଜାତିପ୍ରଥାର ବିଷଜ୍ୱାଳା: ଆନ୍ତଃଜାତି ବିବାହ ପରେ ଶୁଦ୍ଧି ହେଲେ ଝିଅ ଘରର ୪୦ ସଦସ୍ୟ

ଛେଳି ଓ କୁକୁଡା ମାଂସ କରି ଗ୍ରାମବାସୀଙ୍କ ପାଇଁ କଲେ ମହାଭୋଜନର ଆୟୋଜନ

ରାୟଗଡ଼ା, ୨୧/୦୬: ଏବେ ବି କୁସଂସ୍କାର ଲୋକଙ୍କୁ କବଳିତ କରି ରଖିଛି। କୁସଂସ୍କାର ଭିତରେ ଛନ୍ଦି ହୋଇ ରହିଛନ୍ତି ଅନେକ ଲୋକ। ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ।

ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ଗରକପୁର ପଞ୍ଚାୟତ ଅନ୍ତର୍ଗତ ବାଇଗଣଗୁଡ଼ା ଗାଁର ଜଣେ ଯୁବତୀ ଭିନ୍ନ ଜାତିର ପୁରୁଷଙ୍କୁ ବିବାହ କରିବା ପରେ ଉକ୍ତ ଆଦିବାସୀ ମହିଳାଙ୍କ ପରିବାରର ୪୦ ଜଣ ସଦସ୍ୟଙ୍କୁ ଶୁଦ୍ଧି ହେବାକୁ ପଡିଛି। ଶୁଦ୍ଧିକରଣ ରୀତିନୀତିର ଅଂଶ ଭାବରେ ତାଙ୍କ ପରିବାର ସଦସ୍ୟଙ୍କୁ ମୁଣ୍ଡନ ହେବାକୁ ପଡିଛି। ଏହା ସହ ସ୍ଥାନୀୟ ଦେବତାଙ୍କ ପାଖରେ ଛେଳି, କୁକୁଡ଼ା ଏବଂ ଘୁଷୁରୀ ବଳି ଦିଆଯାଇଥିଲା।

ସୂତ୍ର ଅନୁସାରେ, ଏହି ଗାଁର କୋଡ଼ିଏ ବର୍ଷ ବୟସର ଯୁବତୀ ଜଣେ ଅନୁସୂଚିତ ଜାତି ସମ୍ପ୍ରଦାୟର ଯୁବକଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ ଏବଂ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ, ପୁରୁଷ ଆଦିବାସୀ ନ ଥିବାରୁ ସେମାନଙ୍କ ପରିବାର ବିବାହକୁ ବିରୋଧ କରିଥିଲେ। ବିରୋଧ ସତ୍ତ୍ୱେ, ଉଭୟ ବିବାହ କରିଥିଲେ।

ସେମାନଙ୍କ ପ୍ରଥା ଅନୁଯାୟୀ, ଯଦି ଜଣେ ଯୁବତୀ ସେମାନଙ୍କ ଜାତି ବାହାରେ ବିବାହ କରନ୍ତି, ତେବେ ସମଗ୍ର ପରିବାର ଗ୍ରାମଦେବତାର କ୍ରୋଧର ସମ୍ମୁଖୀନ ହୁଅନ୍ତି। ଏହା ସହ ସେମାନେ ନିଜ ସମ୍ପ୍ରଦାୟରେ ଗ୍ରହଣୀୟ ହେବା ପାଇଁ ଏକ ଶୁଦ୍ଧିକରଣ ହୁଅନ୍ତି। ତେଣୁ ଯୁବତୀଙ୍କ ପରିବାର ସଦସ୍ୟ ମୁଣ୍ଡର ହେବା ସହ ଗ୍ରାମବାସୀଙ୍କ ପାଇଁ ଏକ ମହାଭୋଜନର ବ୍ୟବସ୍ଥା କରିଥିଲେ।

ତେବେ ଗାଁର କେହି ଜଣେ ମୋବାଇଲ୍ ଫୋନ୍‌ରେ ଏହି ପୂଜାକୁ ରେକର୍ଡ କରି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପରେ ଘଟଣାଟି ସାମ୍ନାକୁ ଆସିଲା। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ଜିଲ୍ଲା ପ୍ରଶାସନ ନଜରକୁ ଆସିବା ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

ତେବେ କାଶୀପୁରର ବିଡିଓ ବିଜୟ ସୋଏ କହିଛନ୍ତି ଯେ,  ବ୍ଲକସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଘଟଣାର ତଦନ୍ତ ପାଇଁ ବାଇଗଣଗୁଡ଼ା ଗାଁକୁ ଯାଇଥିଲା। ହେଲେ ସେମାନେ ବାଧ୍ୟବାଧକତାରେ ନୁହେଁ, ବରଂ ସେମାନଙ୍କ ପ୍ରଥା ଅନୁଯାୟୀ ଏହି ନିୟମ କରିଛନ୍ତି। ତଥାପି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରୟାସ ଜାରି ରହିଛି।