ପୁରୀରେ ଆୟୋଜିତ ୨୩ତମ ଲୋକମେଳା- ୨୦୨୫ ରେ ପୂର୍ବତଟ ରେଳକୁ ପ୍ରଥମ ପୁରସ୍କାର

ସମାଜ ଏବଂ ଅର୍ଥନୀତି ପ୍ରତି ପୂର୍ବତଟ ରେଳପଥର ଅବଦାନ ଅସୀମିତ

ପୁରୀ, ୨୧/୦୬: ପୁରୀ ବେଳାଭୂମିରେ ଆୟୋଜିତ ରାଜ୍ୟସ୍ତରୀୟ ୨୩ତମ ଲୋକ ମେଳା ଏବଂ କୃଷି ପ୍ରଦର୍ଶନୀ – ୨୦୨୫ ରେ ପୂର୍ବତଟ ରେଳକୁ ପ୍ରଥମ ପୁରସ୍କାରରେ ସମ୍ମାନିତ କରାଯାଇଛି। ଉଲ୍ଲେଖନୀୟ ଏବଂ ସୂଚନାତ୍ମକ ପ୍ୟାଭିଲିୟନ ମାଧ୍ୟମରେ ରେଳପଥର ଭୂମିକା, ଯୋଗାଯୋଗ ବିକାଶ ଓ ଆଞ୍ଚଳିକ ଅଭିବୃଦ୍ଧିରେ ପୂର୍ବତଟ ରେଳପଥର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥ ସମେତ ବିଭିନ୍ନ ସରକାରୀ ବିଭାଗ ଓ ଉଦ୍ୟୋଗ, କୃଷି ଅନୁଷ୍ଠାନ ଓ ସାଂସ୍କୃତିକ ସଂଗଠନ ତଥା ଦେଶ ବିଦେଶରୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଯୋଗଦେଇଥିଲେ। ପୂର୍ବତଟ ରେଳର ଏହି ପ୍ୟାଭିଲିୟନ୍‌କୁ ଜନସାଧାରଣ ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସମେତ ବିଭିନ୍ନ ରାଜ୍ୟର ମନ୍ତ୍ରୀ ଓ ପ୍ରତିନିଧିମଣ୍ଡଳ ଅତ୍ୟନ୍ତ ପ୍ରଶଂସା କରିଥିଲେ।

ଏହି ଷ୍ଟଲରେ ଭାରତୀୟ ରେଳପଥର ବୈଷୟିକ ପ୍ରଗତି, ଭିତ୍ତିଭୂମି ବିକାଶ ଏବଂ ଭବିଷ୍ୟତର ଦୃଷ୍ଟିକୋଣ ଉପରେ ଆଲୋକପାତ କରାଯାଇଥିଲା, ଯେଉଁଥିରେ ଜାତୀୟ ସଂଯୋଗ ଏବଂ ଆଞ୍ଚଳିକ ଅଭିବୃଦ୍ଧିରେ ପୂର୍ବ ତଟ ରେଳପଥ ଦ୍ୱାରା ଗ୍ରହଣ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଧ୍ୟାନ ଦିଆଯାଇଥିଲା। ଥିମାଟିକ୍ ଉପସ୍ଥାପନା ସମାଜ ଏବଂ ଅର୍ଥନୀତି ପ୍ରତି ପୂର୍ବ ତଟ ରେଳପଥର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଦର୍ଶିତ କରିଥିଲା।