ବିଏମସି ଅଫିସରେ ଗୁଣ୍ଡାରାଜ; ଅତିରିକ୍ତ କମିଶନରଙ୍କୁ ଆକ୍ରମଣ
ଏହି କର୍ପୋରେଟରଙ୍କ ନାଁ ନେଇ ଅଭିଯୋଗ ଆଣିଲେ ଅଧିକାରୀ
ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ମେୟର
ଭୁବନେଶ୍ୱର, ୩୦/୦୬: ଭୁବନେଶ୍ୱର ମହାନଗର ନିଗମ ଅଫିସରେ ଗୁଣ୍ଡାରାଜ। ବିଏମସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରକୁ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ। ଆଜି ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କିଛି ଯୁବକ ଅଫିସ ଭିତରକୁ ପଶି ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ମାରିଥିବା ଅଭିଯୋଗ ସୋଇଛି। ପ୍ରତିବାଦରେ ବିଏମସି କର୍ମଚାରୀମାନେ କାମ ବନ୍ଦ କରି ଧାରଣାରେ ବସିଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ବିଏମସି ଅଫିସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। କିଏ ଓ କାହିଁକି ଆକ୍ରମଣ କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ତେବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ଅତିରିକ୍ତ କମିଶନର କହିଛନ୍ତି, “ମୁଁ ପ୍ରାୟ ୧୧.୩୦ ସମୟରେ ଅଭିଯୋଗ ଶୁଣାଣି କରୁଥିବା ସମୟରେ ବିଏମସି କର୍ପୋରେଟର ଜୀବନ ରାଉତଙ୍କ ସମେତ ପାଞ୍ଚରୁ ଛଅ ଜଣ ଯୁବକ ମୋ ଚାମ୍ବରରେ ପ୍ରବେଶ କରିଥିଲେ। ଚାମ୍ବର ଭିତରକୁ ପ୍ରବେଶ କରିବା ପରେ କର୍ପୋରେଟର ମୋତେ ପଚାରିଲେ ଯେ ମୁଁ ଜଗା ଭାଇଙ୍କ ସହ ଖରାପ ବ୍ୟବହାର କରିଛି କି ନାହିଁ। କିନ୍ତୁ ମୁଁ ମନା କରିବାରୁ ତାଙ୍କ ସହିତ ଥିବା ଲୋକମାନେ ମୋତେ ମାଡ଼ ମାରିଥିଲେ। ସେମାନେ ମୋତେ ମୋ ଅଫିସ ଚାମ୍ବରରୁ ବାହାରକୁ ଟାଣି ଆଣିଥିଲେ, ମାଡ ମାରିଥିଲେ ଏବଂ ଜୋରଜବରଦସ୍ତ ନିଜ ଗାଡ଼ିରେ ନେଇଯିବାକୁ ଚେଷ୍ଟା କରୁଥିଲେ” ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ମେୟର ସୁଲୋଚନା ଦାସ। ତୁରନ୍ତ ସିସିଟିଭି ଫୁଟେଜକୁ ଆଧାର କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଜଣେ କର୍ତ୍ତବ୍ୟରତ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ କରାଯାଇଛି। ପାଞ୍ଚ-ଛଅ ଜଣ ଦୁର୍ବୃତ୍ତ ତାଙ୍କ କାର୍ଯ୍ୟାଳୟରେ ପଶି ତାଙ୍କୁ କାର୍ଯ୍ୟାଳୟରୁ ଟାଣି ଆଣି ଆକ୍ରମଣ କଲେ। ଏହା ଦର୍ଶାଉଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା କିପରି ଭୁଶୁଡ଼ି ପଡ଼ିଛି। ସମସ୍ତ କର୍ମଚାରୀ ନିଜ ନିଜ କାମ ଛାଡି ଧାରଣାରେ ବସିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ନହେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ ଜାରି ରଖିବାକୁ ଧମକ ଦେଇଛନ୍ତି,” ବୋଲି ମେୟର କହିଛନ୍ତି।