ଭୁବନେଶ୍ୱର, ୩୦/୦୬: ଭୁବନେଶ୍ୱର ମହାନଗର ନିଗମ ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରକୁ ଆକ୍ରମଣ କରିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଜି, ଶ୍ରୀ ରତ୍ନାକର ସାହୁ, ଓଏଏସ୍ ଅତିରିକ୍ତ କମିଶନର, ବିଏମସି, ଅତିରିକ୍ତ ସଚିବ ପଦର ଜଣେ ବରିଷ୍ଠ ଅଧିକାରୀ, ତାଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଟାଣି ଟାଣି ନିଆଯାଇ ଜଣେ ବିଜେପି କର୍ପୋରେଟରଙ୍କ ସମ୍ମୁଖରେ ନିଷ୍ଠୁର ଭାବରେ ଗୋଇଠା ମାରି ଆକ୍ରମଣ କରାଯାଇଥିଲା, ଯିଏ ଜଣେ ପରାଜିତ ବିଜେପି ବିଧାୟକ ପ୍ରାର୍ଥୀଙ୍କ ସହ ଜଡିତ ବୋଲି ଅଭିଯୋଗ ହେଉଛି। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହା ରାଜଧାନୀ ଭୁବନେଶ୍ୱରର ହୃଦୟରେ ସ୍ପଷ୍ଟ ଦିବାଲୋକରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହିତ ଘଟିଥିଲା, ଯେତେବେଳେ ସେ ତାଙ୍କ କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ମୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରୁଛି ଯେ କେବଳ ଅଭିଯୋଗକାରୀଙ୍କ ବିରୁଦ୍ଧରେ ନୁହେଁ ବରଂ ଏହି ଲଜ୍ଜାଜନକ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଏବଂ ରାଜନୈତିକ ନେତାମାନଙ୍କ ବିରୁଦ୍ଧରେ ତୁରନ୍ତ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯଦି ଜଣେ ବରିଷ୍ଠ ଅଧିକାରୀ ନିଜ କାର୍ଯ୍ୟାଳୟରେ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ନାଗରିକ ସରକାରଙ୍କଠାରୁ କେଉଁ ଆଇନ ଶୃଙ୍ଖଳା ଆଶା କରିବେ” ବୋଲି ନବୀନ କହିଛନ୍ତି।
ଅନ୍ୟପଟେ ଏହି ଘଟଣାରେ ଖାରବେଳ ନଗରୀ ଥାନାରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ, ତିନି ଜଣଙ୍କୁ ଗିରଫ କରାଯାଇଛି। ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଛି। ତେବେ ବିଜେଡ଼ି ପକ୍ଷରୁ ଏହି ଘଟଣାକୁ ନେଇ ବିଜେଡ଼ି ପକ୍ଷରୁ ଜନପଥରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟାନ୍ୟ ବିଜେଡ଼ି ନେତାଙ୍କୁ ଉଠାଇ ନେଇଛି ପୋଲିସ।
ସୂଚନାଯୋଗ୍ୟ, ଆଜି ଦିନ ୧୧ଟା ସମୟରେ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କିଛି ଯୁବକ ବିଏମସି ଅଫିସ ଭିତରକୁ ପଶି ଅତିରିକ୍ତ କମିଶନରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ପ୍ରତିବାଦରେ ବିଏମସି କର୍ମଚାରୀମାନେ କାମ ବନ୍ଦ କରି ଧାରଣାରେ ବସିଥିଲେ।