ସେପ୍ଟେମ୍ବରରେ ଅନୁଷ୍ଠିତ ହେବ ଦୁଇ ଦିନିଆ “ସୁସ୍ଥ ଓଡିଶା-ବିକଶିତ ଓଡିଶା: ୨୦୩୬।୨୦୪୭” ସମ୍ମିଳନୀ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ “ଓଡିଶା ଭିଜନ-୨୦୩୬ । ୨୦୪୭”ର ରୂପରେଖ ଏବଂ ଆଭିମୁଖ୍ୟ ପ୍ରସଙ୍ଗରେ ମତାମତ ରଖିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି।
ଦୃଷ୍ଟିଶୀଳ “ଓଡିଶା ଭିଜନ-୨୦୩୬।୨୦୪୭” କୁ ବାସ୍ତବ ରୂପ ଦେବା ପାଇଁ “ବିଶ୍ୱ ଓଡିଆ ପରିବାର”ର ପ୍ରୟାସ
ଭୁବନେଶ୍ୱର, ୧୯/୮: ଆମେ ସମସ୍ତେ ଜାଣିଛୁ ଯେ, ଓଡିଶା ସରକାର “ଓଡିଶା ଭିଜନ-୨୦୩୬ । ୨୦୪୭” ନାମରେ ଏକ ପ୍ରଗତିଶୀଳ ଦସ୍ତାବିଜ ପ୍ରସ୍ତୁତ କରିଛନ୍ତି । ଏହାର ଲକ୍ଷ୍ୟ ହେଉଛି, ୨୦୪୭ ସୁଦ୍ଧା ରାଜ୍ୟର ଅର୍ଥନୀତିକୁ ୧.୫ ଟ୍ରିଲିୟନ ଡଲାରକୁ ପରିଣତ କରିବା । ଏହି ପରିପ୍ରେକ୍ଷୀରେ ଆମ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, “ଏହି ଭିଜନ ବା ସ୍ୱପ୍ନ କେବଳ ଏକ ନୀତିଗତ ଦସ୍ତାବିଜ ନୁହେଁ, ବରଂ ଓଡିଶାବାସୀଙ୍କ ସାମୁହିକ ସ୍ୱର” । ଏହି ଭିଜନ ବା ସ୍ୱପ୍ନ ହେଉଛି ଏକ ଜୀବନ୍ତ ଓ ପରିବର୍ତନଶୀଳ, ଯାହାକି ସମୟ ସହିତ ତାଳ ଦେଇ ଏବଂ ନୂତନ ସମ୍ଭାବନା ଓ ସୁଯୋଗକୁ ସଠିକ ଉପଯୋଗ କରି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ “ବିକଶିତ ଓଡିଶା – ବିକଶିତ ଭାରତ” ଗଠନରେ ‘ଓଡିଶା ରାଜ୍ୟ’ ନେତୃତ୍ୱ ନେବ । ଆମର ଶହେ ବର୍ଷ ପୂର୍ତି ଅବସରରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ଏକ ଆତ୍ମନିର୍ଭର ରାଜ୍ୟ ତଥା ଦେଶରେ ପରିଣତ ହେବା ସରକାରଙ୍କ ପ୍ରମୁଖତା ରହିଛି । ଏହା ହିଁ ହେବ ଆମର ଉତର ପିଢୀ ପାଇଁ ସର୍ବଶ୍ରେଷ୍ଠ ଓ ମୂଲ୍ୟବାନ ଉପହାର ।
“ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ” – କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହାକୁ ସହସ୍ରଦ୍ଦୀ ଲକ୍ଷ୍ୟ ଭାବରେ ଘୋଷଣ କରିଛନ୍ତି ଏବଂ ସେହି ଅନୁଯାୟୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡିଶା ସରକାର ସହସ୍ରାଦ୍ଦୀ ଲକ୍ଷ୍ୟ ସହିତ ୨୦୨୪ ମସିହାରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଲୋକଙ୍କ ଦ୍ୱାରରେ ପହଂଚାଇବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ୨୦୩୬ ମସିହା ସୁଦ୍ଧା ଓଡିଶା ରାଜ୍ୟ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଶହେ ବର୍ଷ ପୂରଣ କରିବାକୁ ଯାଉଛି । ଏକ ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ସରକାରଙ୍କ ଭିଜନ ବା ସ୍ୱପ୍ନର ଦସ୍ତାବିଜରେ ସ୍ୱାସ୍ଥ୍ୟସେବାକୁ ବିଶେଷ ମହତ୍ୱ ଓ ଗୁରୁତ୍ୱ ପ୍ରଦାନ କରାଯାଇ ସେହି ଅନୁସାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଗଣତନ୍ତ୍ରରେ ଜନଭାଗିଦାରୀ ହିଁ ସରକାରୀ କାର୍ଯ୍ୟକ୍ରମକୁ ସଫଳ କରିବାର ଚାବିକାଠି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମାଜର ସର୍ବନିମ୍ନ ସ୍ତରରେ ଥିବା ଲୋକଟି ପାଖରେ ପହଂଚାଇବା କ୍ଷେତ୍ରରେ ଆମ ସମସ୍ତଙ୍କ ଗୁରୁଦାୟୀତ୍ୱ ରହିଛି । ୨୦୩୬ ବିକଶିତ ଓଡିଶା ଲକ୍ଷ୍ୟ ପୁର୍ତି କ୍ଷେତ୍ରରେ ସ୍ୱାସ୍ଥ୍ୟସେବାକୁ ଲୋକଙ୍କ ଦ୍ୱାରରେ ପହଂଚାଇବା ପାଇଁ “ବିଶ୍ୱ ଓଡିଆ ପରିବାର” ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି ସବୁ କାର୍ଯ୍ୟକ୍ରମ ମଧ୍ୟରେ ‘ସ୍ୱାସ୍ଥ୍ୟ ସଚେତନତା ବାର୍ତାକୁ ଘରେ ଘରେ ପହଂଚାଇବା ପାଇଁ ସଂପାନ, କର୍ମଶାଳା ଆୟୋଜନ, ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସେବାକ୍ଷେତ୍ର ଓ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ; ଚିକିତ୍ସକ, ଫାର୍ମା କଂପାନୀ, ଚିକିତ୍ସା ତାଲିମ ଅନୁଷ୍ଠାନ ଓ ଚିକିତ୍ସା ସହାୟକମାନଙ୍କ ସଂଯୋଗୀକରଣ ଆଦି ପଦକ୍ଷେପ ଅନ୍ୟତମ ।
ବିଶେଷ ଭାବେ ଅନ୍ୟତମ ମୈାଳିକ ‘ସେବା / ଅଧିକାର’ ସ୍ୱରୁପ “ସ୍ୱାସ୍ଥ୍ୟ କ୍ଷେତ୍ର”ରେ ଦୃତ ଉନ୍ନତିର ଆବଶ୍ୟକ ରହିଛି । “ବିଶ୍ୱ ଓଡିଆ ପରିବାର” ଦାୟୀତ୍ୱର ସହିତ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ଦୃଷ୍ଟିଶୀଳ “ଓଡିଶା ଭିଜନ-୨୦୩୬ । ୨୦୪୭” କୁ ବାସ୍ତବ ରୂପ ଦେବା ନିମନ୍ତେ ସାଧାରଣ ଲୋକଙ୍କ ପାଖରେ ପହଂଚାଇବାର ଏକ ପ୍ରୟାସ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଏକ ଦୁଇ ଦିନିଆ “ସୁସ୍ଥ ଓଡିଶା – ବିକଶିତ ଓଡିଶା: ୨୦୩୬ ।୨୦୪୭” ସମ୍ମିଳନୀ ଆୟୋଜନ କରିବାକୁ ଯୋଜନା କରିଛି । ଏହି ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ “ଓଡିଶା ଭିଜନ-୨୦୩୬ । ୨୦୪୭”ର ରୂପରେଖ ଏବଂ ଆଭିମୁଖ୍ୟ ପ୍ରସଙ୍ଗରେ ମତାମତ ରଖିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ସମେତ ସ୍ୱାସ୍ଥ୍ୟ ସଂପର୍କିତ ବହୁ ବରିଷ୍ଠ ଅଧିକାରୀବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି ସମ୍ମିଳନୀରେ ପ୍ରତିଷ୍ଠିତ ଚିକିତ୍ସକ, ମେଡିକାଲ କଲେଜ, ଗବେଷଣାରତ ଅନୁଷ୍ଠାନ, ପାରାମେଡିକାଲ ଶିକ୍ଷା ସଂସ୍ଥା, ସରକାରୀ ଓ ଘରୋଇ ହସପିଟାଲ, ଫାର୍ମା କଂପାନୀ, ସର୍ଜିକାଲ ଓ ମେଡିକୋ ଉପକରଣ କଂପାନୀ, ନିଦାନ ସଂସ୍ଥା, ସ୍ୱାସ୍ଥ୍ୟ ବୀମା କଂପାନୀ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ସପ୍ଟେୱେର କଂପାନୀମାନେ ଅଂଶୀଦାର ଭାବେ ସାମିଲ ହୋଇ ମତାମତ ରଖିବେ ।
ବିଶ୍ୱ ଓଡିଆ ପରିବାରର ଏହି କାର୍ଯ୍ୟକ୍ରମ ଯେଭଳି ସମସ୍ତ ଓଡିଶାବାସୀଙ୍କ ନିକଟରେ ପହଂଚିପାରିବ, ସେଥିପାଇଁ ଆପଣଙ୍କ ସାହାଯ୍ୟ, ସହଯୋଗ ଓ ପରାମର୍ଶ କାମନା କରୁଅଛୁ ।