ଭୁବନେଶ୍ୱର, ୨୨/୮: ରାଜଧାନୀ ଭୁବନେଶ୍ୱରରେ ହେବ କୁକୁର ଗଣନା। ଉଭୟ ବୁଲା ଏବଂ ପୋଷା କୁକୁର ଗଣନା ହେବ ବୋଲି ଶୁକ୍ରବାର BMC ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।
ମେୟର କହିଛନ୍ତି, ସବୁ କୁକୁରମାନଙ୍କ କାନରେ ଟ୍ୟାଗ ଲଗାଯିବ। ଯାହା ଦ୍ୱାରା BMC ପାଖରେ କୁକୁରମାନଙ୍କର ସବୁ ତଥ୍ୟ ରହିବ। ପୋଷା କୁକୁର ମାଲିକ କିଏ, ସେ କୁକୁରକୁ କେଉଁଠୁ ଆଣିଛନ୍ତି ଏବଂ ବୁଲା କୁକୁର କୁଆଡ଼େ ଯାଉଛନ୍ତି ସବୁ ତଥ୍ୟ ରହିବ। କୁକୁରଙ୍କ ବନ୍ଧ୍ୟାକରଣ ଏବଂ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ। ଏପରିକି କୁକୁରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକ୍ରାନ୍ତରେ ମଧ୍ୟ ଜାଣିହେବ। ଏହା ଦ୍ୱାରା ସହର ସୁନ୍ଦର ରହିବ ଏବଂ କୁକୁର ସୁରକ୍ଷିତ ରହିବେ ବୋଲି ମେୟର କହିଛନ୍ତି।
ସୂଚନାଯୋଗ୍ୟ, ରାଜରାସ୍ତାରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବାରୁ ବର୍ତ୍ତମାନ କୁକୁରକୁ ନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି, ଦେଶରେ ବୁଲା କୁକୁରଙ୍କୁ ସର୍ବସାଧାରଣ ସ୍ଥାନରେ ଖାଦ୍ୟ ଖାଇବାକୁ ଦିଆ ଯିବ ନାହିଁ। ବନ୍ଧ୍ୟାକରଣ ପରେ ହିଁ ବୁଲା କୁକୁରଙ୍କୁ ବାହାରେ ଛଡ଼ାଯିବ। ଆକ୍ରମଣାତ୍ମକ ବ୍ୟବହାର କରୁଥିବା କୁକୁରକୁ ସ୍ୱତନ୍ତ୍ର ସ୍ଥାନରେ ରଖାଯିବ।