ଭିଜିଲାନ୍ସ ଜାଲରେ ଏସଆଇ

ସ୍କ୍ରାପ ଡିଲରଙ୍କଠାରୁ ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ବରଗଡ଼, ୨୫/୮: ଭିଜିଲାନ୍ସ ଜାଲରେ ସବ-ଇନ୍ସପେକ୍ଟର। ବରଗଡ଼ ଜିଲ୍ଲାର ବିଜେପୁର ଥାନାର ସବ-ଇନ୍ସପେକ୍ଟର ଜଗା ବରିହାଙ୍କୁ ଲାଞ୍ଚ ନେଲା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଜଣେ ସ୍କ୍ରାପ୍ ଡିଲରଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି।

ସ୍କ୍ରାପ ଡିଲରଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜୁ ନକରି ତାଙ୍କୁ ସୁରୁଖୁରୁରେ ବ୍ୟବସାୟ ଚଳାଇବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ବ୍ୟବସାୟୀ ଜଣକ ଏତେ ପରିମାଣର ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ପରେ ଏସଆଇ ଜଣକ ୭,୦୦୦ ଟଙ୍କା ମାଗିଥିଲେ ଏବଂ ଯଦି ନ ଦିଅନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଥିଲେ।

କୌଣସି ବିକଳ୍ପ ନ ଥିବାରୁ, ବ୍ୟବସାୟୀ ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ଭିଜିଲାନ୍ସ ପକ୍ଷରୁ ଏସଆଇଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା। ପୂର୍ବ ଯୋଜନା ମୁତାବକ, ଏସଆଇ ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ଏସଆଇଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସଆଇଙ୍କ ସହ ଜଡ଼ିତ ତିନୋଟି ସ୍ଥାନରେ ଛାନଭିନ କରୁଛି ଭିଜିଲାନ୍ସ।